ଆସନ୍ତୁ ଜାଣିବା, ଆଶାରାମ ବାପୁଙ୍କ ଅପରାଧିକ ସାମ୍ରାଜ୍ୟ ଓ କଳାକାରନାମାର ଇତିହାସ!

ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଦିନେ ଭକ୍ତ ଓ ଭଗବାନଙ୍କୁ ନେଇ ଡ଼ିଣ୍ଡିମ ପିଟୁଥିବା ଆଶାରାମ ବାପୁ ପ୍ରକୃତରେ ଭଗବାନଙ୍କର ଦୂତ ନୁହେଁ ବରଂ ଜଣେ ବଳାତ୍କାରୀ। ଯୋଧପୁର କୋର୍ଟଙ୍କ ରାୟ ଆସିବା ପରେ ଏକଥା ସ୍ପଷ୍ଟ ହୋଇଯାଇଛି। କେବଳ ଗୋଟିଏ ମାମଲା ନୁହେଁ ଆଶାରାମ ବାପୁଙ୍କ ବିରୋଧରେ ରହିଛି ଏକାଧିକ ଅପରାଧିକ ମାମଲା, ଆଉ ଏସବୁ ଭିତରେ ରାଜନୈତିକ ସହଯୋଗ ଏହି ଭଣ୍ଡ ବାବାଙ୍କୁ ଆହୁରି ପ୍ରତିଷ୍ଠିତ କରିଦେଇଥିଲା। ଭକ୍ତ ଓ ଭଗବାନଙ୍କୁ ନେଇ ଚାଲିଥିଲା ଭଣ୍ଡବାବାର ଭୟଙ୍କର କାରନାମା।

ସାରାଦେଶରେ ୪ଶହରୁ ଅଧିକ ଆଶ୍ରମ ପ୍ରତିଷ୍ଠା କରି ଲୋକଙ୍କୁ ଆଧ୍ୟାତ୍ମିକତାର ବାର୍ତା ଦେଉଥିବା ଆଶାରାମ ବାପୁଙ୍କ ପଛପଟେ ଲୁଚି ରହିଥିଲା ଅପରାଧୀର ଏକ ବଡ ଚେହେରା। ଏପରି କି ଆଶାରାମ ବାପୁ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପାଇଁ ବି ପଛାଇ ନଥିଲେ। ୨୦୧୩ ମସିହାରେ ଯୋଧପୁର ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ ଆଶାରାମ, ଆଉ ଏହି ଘଟଣା ପରେ ବାବାଙ୍କ ଅସଲ ଚେହେରା ପଦାକୁ ଆସିଥିଲା। ଏହି ମାମଲାରେ ୨୦୧୩ ମସିହା ସେପ୍ଟେଟର ୧ ତାରିଖରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଆଉ ୬ ବର୍ଷ ପରେ ଆଜି ଆଶାରାମ ବାପୁଙ୍କୁ ଏହି ଘଟଣାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ ଆଶାରାମଙ୍କ ବିରୋଧରେ ରହିଛି ଅନେକ ଅପରାଧିକ ମାମଲା। ୨୦୦୮ ମସିହାରେ ଆଶାରାମଙ୍କ ଆଶ୍ରମ ନିକଟରୁ ଦୁଇଟି ଶିଶୁଙ୍କ ଗଳିତ ଶବ ମିଳିଥିଲା। ଯେଉଁ ଶିଶୁମାନଙ୍କର ପିତା ମାତା ଅଶାରାମ ବାପୁଙ୍କର ହିଁ ଭକ୍ତ ଥିଲେ। ସେହି ସମୟରେ ଅଭିଯୋଗ ହୋଇଥିଲା ଯେ ଅଶାରାମ ଆଶ୍ରମ ଭିତରେ ତନ୍ତ୍ର ସାଧନା କରୁଛନ୍ତି ଓ ବଳି ଦେଉଛନ୍ତି। ହେଲେ ପରେ ଏହି ମାମଲାରେ ଆଶାରାମଙ୍କୁ କ୍ଲିନ ଚିଟ ମିଳିଗଲା।

୨୦୧୨ ମସିହାରେ ବି ବାବା ଆଶାରାମ ବିବାଦୀୟ ହୋଇଥିଲେ। ଯେତେବେଳେ ନିର୍ଭୟା ଦୁଷ୍କର୍ମ ଘଟଣାରେ ସାରା ଦେଶ ଦୋହଲି ଯାଇଥିଲା ସେତେବେଳେ ଆଶାରାମ କହିଥିଲେ ‘ଦୋଷ ଗୋଟିଏ ପକ୍ଷରୁ ହୁଏ ନାହିଁ, ପୀଡିତା ଛାଡି ଦେବା ପାଇଁ କାକୁତିବିନତି ହେବା ଆବଶ୍ୟକ ଥିଲା ଓ ଆକ୍ରମଣକାରୀଙ୍କୁ ଭାଇ ଭଳି ବ୍ୟବହାର କରିବା ଉଚିତ ଥିଲା’।

ସାଙ୍ଘାତିକ ବୟାନ ଓ ଅପରାଧର ବଡ ଷଡଯନ୍ତ୍ର ପରେ ମଧ୍ୟ ଆଶାରାମ ପାଖରେ ପହଁଚିପାରୁ ନଥିଲା ଆଇନର ଲମ୍ବା ହାତ। ଏହା ପଛରେ ଆଶାରାମର ରାଜନୈତିକ ଳିଙ୍କକୁ ଦାୟୀ କରାଯାଏ । ଏମିତିକି ଉଭୟ ବିଜେପି ଓ କଂଗ୍ରେସ ସରକାର ଆଶାରାମ ବାପୁଙ୍କ ପାଇଁ ଅହେତୁକ ଅନୁକମ୍ପା ଅଜାଡି ଦେଇଥିଲେ। କାହିଁକି ନା ଅଶାରାମଙ୍କ ପଛରେ ଥିଲା ଭକ୍ତଙ୍କ ଏକ ବଡ ସମର୍ଥନ। ହେଲେ ଶେଷରେ ଏହି ଭଣ୍ଡବାବା ଆଇନର ଜାଲରେ ଫଶିଯାଇଛନ୍ତି । ଆଉ ଏବେ ଜେଲରେ ଆଶାରାମ।

ସେପଟେ ନାବାଳିକା ଦୁଷ୍କର୍ମ ମାମଲାରେ ଗୋଟିଏ ପଟେ ଆଶାରାମଙ୍କୁ କୋର୍ଟ ଆଜୀବନ ଦଣ୍ଡାଦେଶ ଶୁଣାଉଥିଲେ ଅନ୍ୟପଟେ, ବାବାଙ୍କ ମୁକ୍ତି ପାଇଁ ଚାଲିଥିଲା ପ୍ରାର୍ଥନା। ଆଶାରାମଙ୍କ ପାଇଁ ଜପ-ତପରେ ମାତିଥିଲେ ତାଙ୍କ ସମର୍ଥକ। ଆଜି ପୁରୀରେ ଥିବା ଆଶାରାମଙ୍କ ଆଶ୍ରମରେ ଦେଖିବାକୁ ମିଳିଥିଲା ଏଭଳି ସ୍ଥିତି। ଯେଉଁ ବାବାଙ୍କୁ ବଳାତ୍କାରୀ କହି ସାରା ଦେଶ ଛି ଛି କରୁଛି, ସେହି ବାବାଙ୍କ ପାଇଁ ଏହି ଭକ୍ତଙ୍କ ମନରେ ଏବେବି ଭକ୍ତି ଭରି ରହିଛି। ହାତରେ ଜପ ମାଳ, ତୁଣ୍ଡରେ ବାବାଙ୍କ ବାଣୀ। କୋର୍ଟ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ସଜା ଶୁଣାଇବା ପରେ ବି ଏମାନେ ବାବା ବଳାତ୍କାରୀ ବୋଲି ମାନିବାକୁ ନାରାଜ। ଗୋଟିଏ ପଟେ ବାବାଙ୍କ ଦଣ୍ଡ ଶୁଣାଣି କରୁଥିଲେ କୋର୍ଟ ଏପଟେ ପୁରୀର ଆଶାରାମ ଆଶ୍ରମରେ ବାବା ପାଉଥିଲେ ପୂଜା। ଜପ-ତପ ସହ ବାବାଙ୍କ ପୂଜାର୍ଚ୍ଚନା ଯ ଆଉ ଭକ୍ତଙ୍କ ଟାର୍ଗେଟରେ ଥିଲା ଗଣମାଧ୍ୟମ। ଏମାନଙ୍କ ଧାରଣା ଯେ, ଗଣମାଧ୍ୟମ ହିଁ ବାବାଙ୍କ ଛବିକୁ ବିଗାଡିଦେଇଛି।

ସମ୍ବନ୍ଧିତ ଖବର