ଜଗନ୍ନାଥ ମନ୍ଦିର ସଂପର୍କରେ ଏହି ସବୁ କଥା ଜାଣନ୍ତି କି? ସିଂହଦ୍ୱାରରେ ପ୍ରଥମ ପାଦ ରଖୁ ରଖୁ ଆଉ ଶୁଭେ ନାହିଁ ସମୁଦ୍ର ଗର୍ଜନ, ମନ୍ଦିର ଉପରେ ପକ୍ଷୀ ବି ଉଡ଼େ ନାହିଁ

ଜଗନ୍ନାଥ ସଂସ୍କୃତି ବିଷୟରେ ଯେତେ ଜାଣିଲେ ବି ତାହା କମ୍‌ ହୋଇଥାଏ। ଏ ସଂସ୍କୃତି ବିଷୟରେ ଜାଣିବା ପାଇଁ ହୁଏତ ଗୋଟାଏ ଜୀବନ ଯଥେଷ୍ଟ ନୁହେଁ। ପୁରୀରେ ଅବସ୍ଥିତ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ବିଶ୍ୱର କୋଣ ଅନୁକୋଣରୁ ଲୋକେ ଦର୍ଶନ ପାଇଁ ଧାଇଁ ଆସନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରେ ଦେଖିବାକୁ ମିଳେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଚାଲନ୍ତୁ ସେହି ଭାବବିନୋଦିଆ କାଳିଆ ଓ ତା’ର ସେହି ରହସ୍ୟମୟ ଶ୍ରୀମନ୍ଦିର ସଂପର୍କରେ ଆଜି କିଛି କଥା ଜାଣିବା।

:ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ପବନ ଯେଉଁଆଡୁ ବହୁଥାଏ ସାମ୍ନରେ ଥିବା ଯେକୌଣସି କପଡ଼ା ଲତାକୁ ସେ ସେହି ଦିଗରେ ଉଡ଼ାଇ ନେଇଯାଏ। ମାତ୍ର ଜଗନ୍ନାଥଙ୍କ ନେତ କ୍ଷେତ୍ରରେ ବ୍ୟତିକ୍ରମ ରହିଛି। ଆପଣ ଏହାକୁ ମହାପ୍ରଭୁଙ୍କ ଇଚ୍ଛା ଭାବିପାରନ୍ତି, ପବନ ଯେଉଁ ଦିଗରୁ ବୋହୁଥାଏ ନେତ ସେହି ଦିଗକୁ ହିଁ ଉଡ଼େ, ଅର୍ଥାତ ପ୍ରତିକୂଳବର୍ତ୍ତୀ ହୋଇ। ଏହା ପଛର ବୈଜ୍ଞାନିକ କାରଣ ଏଯାବତ୍‌ ଜଣାପଡ଼ି ନାହିଁ।

:କୌଣସି ବି ସୁଦୀର୍ଘ ଘର, ମନ୍ଦିର ବା ଖମ୍ବ ହେଉ ଖରା ହେବ ମାନେ ଛାଇ ନିଶ୍ଚୟ ଦେଖିବାକୁ ମିଳିଥାଏ। ମାତ୍ର ଜଗନ୍ନାଥ ମନ୍ଦିରେ ସେପରି ଦେଖିବାକୁ ମିଳେ ନାହିଁ। କାରିଗରମାନଙ୍କ କାରଗରୀ କୌଶଳ ହେତୁ ହେଉ କିମ୍ବା ଏହା କାଳିଆର ଲୀଳା ହେଉ କେହି କିନ୍ତୁ ଏ ଯାଏ ମନ୍ଦିରର ଛାଇ ଦେଖିପାରି ନାହାନ୍ତି।

:ମନ୍ଦିରେ ଲାଗିଥିବା ସୁଦର୍ଶନ ଚକ୍ରଟି ଏପରି ତିଆରି କରାଯାଇଛି ତାହାକୁ ଯେଉଁ ଆଡ଼ୁ ବି ଦେଖିଲେ ଏକା ପରି ଲାଗେ।

:ଭଗବାନଙ୍କଠୁ ଊର୍ଧ୍ୱରେ କେହି ନୁହନ୍ତି। ସେହି ନ୍ୟାୟରେ ଜଗନ୍ନାଥ ମନ୍ଦିରର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ କୌଣସି ପକ୍ଷୀ ବି ଉଡ଼ନ୍ତି ନାହିଁ।

:ସବୁବେଳେ ଗର୍ଜନ କରୁଥିବା ପୁରୀ ସମୁଦ୍ର ଗୋଟାଏ ସମୟରେ ଶୁଭେ ନାହିଁ। ଭକ୍ତ ସିଂହଦ୍ୱାରରେ ପାଦ ରଖୁ ରଖୁ ସମୁଦ୍ରର ଗର୍ଜନ ଆଉ ଶୁଭେ ନାହିଁ। କଥା ରହିଛି ଯେ ସୁଭଦ୍ରା ମନ୍ଦିରରେ ଶନ୍ତି ଚାହିଁବାରୁ ମହାପ୍ରଭୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ସମୁଦ୍ରର ଗର୍ଜନକୁ ମନ୍ଦିର ଭିତରକୁ ବାରଣ କରିଛନ୍ତି।

ସମ୍ବନ୍ଧିତ ଖବର