ସତେଜ ରହିଛି ବାଜପେୟୀଙ୍କ ସ୍ମୃତି

କାନପୁର ଜଳପ୍ରକଳ୍ପକୁ ମିଳିଥିଲା ୬୨୫ କୋଟି

କେନ୍ଦୁଝର : ରତ୍ନଗର୍ଭା କେନ୍ଦୁଝରରେ ୨୦୦୦ ମସିହା ପର୍ଯ୍ୟନ୍ତ ବିକାଶର ଛାଇ ପଡି ନଥିଲା। ଖଣିଜ ସଂପଦ ପରିବହନ ପାଇଁ ଏଠାକାର ମୁଖ୍ୟ ରାଜପଥ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଟ୍ରକ୍‌ ପାଇଁ ରାସ୍ତାଜାମ୍‌ ଯୋଗୁଁ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଥିଲେ। ଆଉ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇଥିଲେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ।

୧୯୯୯ ଏବଂ ୨୦୦୪ ମସିହାରେ ୨ ଥର ବାଜପେୟୀ ନିର୍ବାଚନୀ ପ୍ରଚାରରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ। ଉଭୟ ଥର ସେ କେନ୍ଦୁଝର ଡିଡି କଲେଜ ପଡିଆରେ ନିର୍ବାଚନୀ ସଭା କରି ଦଳୀୟ ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଏବଂ ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କ ପାଇଁ ପ୍ରଚାର କରିଥିଲେ। ବାଜପେୟୀଙ୍କ ପ୍ରଭାବରେ ଉଭୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୧୯୯୯ ମସିହା ନିର୍ବାଚନୀ ପ୍ରଚାର ବେଳେ ସେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୁରଣ କରିଥିଲେ। କେନ୍ଦୁଝର ଜିଲ୍ଳାର କୃଷିର ବିକାଶ ପାଇଁ ସେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ନିର୍ବାଚନରେ ବିଜୟୀ ହେବାପରେ କାନପୁର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୩୨୮ କୋଟି ଟଙ୍କାରୁ ୬୨୫ କୋଟି ଟଙ୍କାକୁ ବୃଦ୍ଧି କରିିଥିଲେ।

ଗମନାଗମନର ବିକାଶ ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ। କେନ୍ଦୁଝର ଜିଲାରେ ରେଳସେବା ଏବଂ ୨୧୫ ନମ୍ବର ଜାତୀୟ ରାଜପଥ ବିକାଶ ପାଇଁ ମଧ୍ୟ ଦେଇଥିବା ପ୍ରତିଶ୍ରୁତି ସେ ପୂରଣ କରିଥିଲେ। ୨୦୦୧-୦୨ ମସିହାରେ ୨୧୫ ନମ୍ବର ଜାତୀୟ ରାଜପଥ ଏବଂ କେନ୍ଦୁଝରକୁ ରେଳ ସଂଯୋଗୀକରଣ ପାଇଁ ଘୋଷଣା କରି କାର୍ଯ୍ୟକାରୀ କରିଥିଲେ। ଫଳରେ ଆଜି କେନ୍ଦୁଝରବାସୀଙ୍କ ଗମନାଗମନରେ ବହୁ ସୁବିଧା ପାଇପାରିଛନ୍ତି। ସେହିଭଳି, କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ୨୧୫ ନମ୍ବର ଜାତୀୟ ରାଜପଥ ତାଙ୍କ ଶାସନକାଳରେ ହୋଇଛି। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଶିକ୍ଷାର ବିକାଶ ପ୍ରତି ମଧ୍ୟ ବହୁ ଗୁରୁତ୍ୱ ଦେଇଥିଲେ।

ବିଜୁ ମୈଦାନରେ ବାଜପେୟୀ

ଅନୁଗୁଳ : ୧୯୯୯ ମସିହା। ଅକ୍ଟୋବର ମାସର ଶୀତୁଆ ସକାଳ। ସାଧାରଣ ନିର୍ବାଚନ ପାଇଁ ଦେଶରେ ସେତେବେଳକୁ ବାଜି ସାରିଥିଲା ବିଗୁଲ୍‌। ଓଡ଼ିଶାରେ କଂଗ୍ରେସ ଏବଂ ବିଜେପି-ବିଜେଡି ମେଣ୍ଟ ମଧ୍ୟରେ ପ୍ରଚାର ବି ଜୋର୍‌ ଧରିଥିଲା। ଠିକ୍‌ ଏତିକି ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ଦିଲ୍ଲୀରୁ ଆସି ପହଞ୍ଚିଥିଲେ ଅନୁଗୁଳ ସହରରେ। ବର୍ତ୍ତମାନ ବିଜୁ ମୈଦାନ କୁହାଯାଉଥିବା ପଡ଼ିଆରେ ଓହ୍ଲାଇ କରିଥିଲେ ନିର୍ବାଚନୀ ପ୍ରଚାର।

ତତ୍କାଳୀନ ବିଜେପି-ବିଜେଡି ମେଣ୍ଟର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ତଥାଗତ ସତପଥୀଙ୍କ ସପକ୍ଷରେ ଅଟଳ ଦେଇଥିଲେ ପ୍ରାୟ ଘଣ୍ଟାଏ କାଳ ଅନର୍ଗଳ ଭାଷଣ। ଯଦିଓ ନିର୍ବାଚନୀ ରଣାଙ୍ଗନରେ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ଯୋଗୁ ସେଥର ମେଣ୍ଟ ପ୍ରାର୍ଥୀ ଶ୍ରୀ ସତପଥୀଙ୍କର ପରାଜୟ ହୋଇଥିଲା, କିନ୍ତୁ ବିକାଶ ପ୍ରସଙ୍ଗକୁ ନେଇ ବାଜପେୟୀ ସେଦିନ ଯେଉଁ ଭାଷଣ ଲୋକଙ୍କ ସାମ୍ନାରେ ରଖିଥିଲେ ତାହା ମନେ ପକାଇଲେ ଏବେ ବି ଅନୁଗୁଳ ସହରର ପୁରୁଖା ନେତା ଓ ଭୋଟରଙ୍କ ମନକୁ ଆନ୍ଦୋଳିତ କରୁଛି।

କେବଳ ଅନୁଗୁଳ ନୁହେଁ, ତାଳଚେରବାସୀଙ୍କୁ ବି ସିଧାସଳଖ ଭେଟିଥିଲେ ବାଜପେୟୀ। ଠିକ୍‌ ସେଇଦିନ ଅନୁଗୁଳରେ ନିର୍ବାଚନୀ ସଭା ଶେଷ କରି ସିଧା ମୁହାଁଇଥିଲେ ତାଳଚେର କଲେଜ ପଡ଼ିଆକୁ। ମଧ୍ୟାହ୍ନ ସମୟ। ସଭାରେ ଜନତାଙ୍କ ଖଚାଖଚ୍‌ ଭିଡ଼। ସେତେବେଳେ ତାଳଚେର ଅଞ୍ଚଳ ଥିଲା ଦେବଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ଅଂଶ। ଲୋକସଭା ପ୍ରାର୍ଥୀ ହୋଇଥିଲେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ। ପ୍ରାୟ ୪୫ମିନିଟ୍‌ କାଳ ଅବିରତ ତାଳଚେରବାସୀଙ୍କୁ ହୃଦୟରୁ ବିକାଶର କଥା କହିଥିଲେ ବାଜପେୟୀ। ଯାହା ବେଶ୍‌ ହୃଦୟସ୍ପର୍ଶୀ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଅନୁଗୁଳରେ ବିଦ୍ରୋହୀ ପ୍ରାର୍ଥୀଙ୍କ ନିର୍ବାଚନ ଲଢ଼େଇ ଯୋଗୁ ବାଜପେୟୀଙ୍କ ପ୍ରାର୍ଥୀ ସିନା ପରାଜିତ ହେଲେ ଓ ସେତେବେଳେ କଂଗ୍ରେସ ପ୍ରାର୍ଥୀ କାମାକ୍ଷାପ୍ରସାଦ ସିଂହଦେଓ ବିଜୟୀ ହେଲେ, କିନ୍ତୁ ତାଳଚେରରେ ତାଙ୍କର ଓଜସ୍ୱୀ ଭାଷଣ ଯାଦୁପରି କାମ କରିଥିଲା। ବାଜପେୟୀଙ୍କ କଥା ଲୋକଙ୍କ ମନକୁ ଏମିତି ପ୍ରଭାବିତ କରିଥିଲା ଯେ ମେଣ୍ଟକୁ ବହୁ ମତ ମିଳିଥିଲା। ଦେବଗଡ଼ ଲୋକସଭା ଆସନରୁ ସେ ବହୁମତ ପାଇ ନିର୍ବାଚିତ ହୋଇଥିଲେ ବୋଲି ଡା. ପ୍ରଧାନ କହିଛନ୍ତି।

ଗୋବରଘାଟା ଘୂର୍ଣ୍ଣିଝଡ଼ ବେଳେ ବାୟୁସେନା ବିମାନରେ ମୋତେ ପଠାଇଥିଲେ: ଖାରବେଳ

ବାଲେଶ୍ୱର : ଜଣେ ବିଶାଳ ହୃଦୟର ବ୍ୟକ୍ତି ଭାବେ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ ବାଜପେୟୀଜୀ। ଏଭଳିି ଜଣେ ଜନଦରଦୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ପାଇଥିଲେ ବାଲେଶ୍ୱରର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ବାଜପେୟୀଜୀଙ୍କ ସହ ତାଙ୍କ ଅନୁଭୂତିରୁ ଶ୍ରୀ ସ୍ୱାଇଁ ଏମିତି ଏକ ଘଟଣାର ସ୍ମୃତିଚାରଣ କରିଛନ୍ତି ଯାହା ଶୁଣିଲେ ସ୍ୱତଃ ତାଙ୍କ ପାଖରେ ମୁଣ୍ଡ ନଇଁଯିବ।

୧୯୯୮ ମସିହା ଏପ୍ରିଲ ମାସର କଥା। ପ୍ରଥମ ଥର ପାଇଁ ବାଲେଶ୍ୱରର ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦକୁ ଯାଇଥାନ୍ତି ଖାରବେଳ ବାବୁ। ବାଜପେୟୀଜୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୩/୪ ଦିନ ପରେ ହଠାତ୍‌ ଦିନେ ସକାଳ ୯ଟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଫୋନ୍‌ ଆସିଲା। ପିଏମ୍‌ଓର ଜଣେ ଯୁଗ୍ମ ସଚିବ ଶ୍ରୀ ସାଇକିଆ ତାଙ୍କୁ ଫୋନ କରି କହିଲେ ଆପଣ ତୁରନ୍ତ ଆସନ୍ତୁ। ପ୍ରଧାନମନ୍ତ୍ରୀ ଆପଣଙ୍କୁ ଖୋଜୁଛନ୍ତି। ଖାରବେଳ ବାବୁ ତରବରରେ ଏକ ଅଟୋ ଧରି ବାସଭବନରେ ପହଞ୍ଚିଲାବେଳକୁ ବାଜପେୟୀଜୀ ଜଳଖିଆରେ ଅମୃତଭଣ୍ଡା ଖାଉଛନ୍ତି। ପାଖରେ ବସିଛନ୍ତି ମମତା ବାନାର୍ଜୀ। ତାଙ୍କୁ ଦେଖି ବାଜପେୟୀଜୀ କହିଲେ, ଆପଣଙ୍କ ନିର୍ବାଚନମଣ୍ଡଳୀର ଜଳେଶ୍ୱର ନିକଟରେ ଘୂର୍ଣ୍ଣିଝଡ଼ ହୋଇଥିବା କଥା ଜାଣିଛନ୍ତି? ସେତେବେଳକୁ ଲକ୍ଷ୍ମଣନାଥ ନିକଟସ୍ଥ ଗୋବରଘାଟା ଗାଁ ଏବଂ ପାଶ୍ୱବର୍ତୀ ପଶ୍ଚିମବଂଗରେ ଏକ ଗାଁ ଘୂର୍ଣ୍ଣିଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥାଏ। ଗୋବରଘାଟାର ଏକ ସ୍କୁଲ ଘରର ଛାତ ଭାଙ୍ଗି ୯ ଜଣ ପିଲା ମରି ଯାଇଥାନ୍ତି। ଖାରବେଳବାବୁ ଏ କଥା ଜଣାଇବାରୁ ବାଜପେୟୀଜୀ କହିଲେ, ଲୋକଙ୍କ ଏଭଳି ବିପତ୍ତିବେଳେ ସେଠି ପହଞ୍ଚିବା ଦରକାର। ତେଣୁ ବାୟୁସେନା ବିମାନରେ ତୁମେ ମମତାଙ୍କ ସହ ତୁରନ୍ତ ସେଠାକୁ ଚାଲିଯାଅ। ପ୍ରଧାନମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ପାଇବା ପରେ ମମତା ବାନାର୍ଜୀ, ତତ୍କାଳୀନ କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ସହ ଖାରବେଳ ବାବୁ ବାୟୁସେନା ବିମାନରେ କଲେଇକୁଣ୍ଡା ଆସିଲେ ଏବଂ ସେଠାରୁ ଏକ ଗାଡ଼ିରେ ଗୋବରଘାଟା। ସମସ୍ତେ ଘୂର୍ଣ୍ଣିଝଡ଼ ବିଧ୍ୱସ୍ତ ଇଲାକା ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ରିପୋର୍ଟ ପ୍ରଦାନ କଲେ ତାହାରି ଆଧାରରେ ତୁରନ୍ତ ଲୋକଙ୍କୁ ସହାୟତା ଦିଆଗଲା ଏବଂ ସେ ସବୁ ଗାଁର ପୁନନିର୍ମାଣ କରାଗଲା।

ସେଦିନର ଏହି କଥା ମନେ ପକାଇ ଖାରବେଳବାବୁ କହନ୍ତି, ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେଉ ହେଉ ସୁଦୂର ଓଡ଼ିଶା ଓ ପଶ୍ଚିମବଂଗର କେତୋଟି ଗାଁରେ ଘଟିଥିବା ଏହି ବିପର୍ଯ୍ୟୟରୁ ମୁକାବିଲା ଲାଗି ଯେଭଳି ଆଗ୍ରହ ଓ ଆନ୍ତରିକତା ଦେଖାଇଲେ, ତାହା ମୋ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା।

ଭୋକ ସମ୍ଭାଳି ପାରିଲେନି, ହିଞ୍ଜିଳିରେ କଲେ ରାତ୍ରି ଭୋଜନ

ବ୍ରହ୍ମପୁର : ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ୧୯୮୪ ମସିହା ଡିସେମ୍ବର ୩ ତାରିଖରେ ଗଂଜାମ ଜିଲ୍ଲା ଗସ୍ତରେ ଆସିଥିଲେ ଅଟଳ ବିହାରୀ ବାଜପେୟୀ। ବ୍ରହ୍ମପୁରରେ ସାଧାରଣ ବୈଠକରେ ଯୋଗଦେବା ପରେ ସଂଧ୍ୟାରେ ବାହାରିଥିଲେ ଭଂଜନଗର ଅଭିମୁଖେ। ଭଂଜନଗର ଜଳସେଚନ ବିଭାଗରେ ରାତ୍ରଭୋଜନ ସହ ବିଶ୍ରାମ ନେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାସ୍ତାରେ ଭୋକ ସମ୍ଭାଳି ପାରିନଥିଲେ ବାଜପ୍ରେୟୀ। ଭଂଜନଗର ଅଭିମୁଖେ ଯାଉଥିବା ଦଳୀୟ କର୍ମକର୍ତା ଗାଡି ଆସିକା ରୋଡ୍‌ ପେଟ୍ରୋଲ ପମ୍ପରେ ତେଲ ଭରୁଥିବା ସମୟରେ ବାଜପେୟୀଙ୍କ ସହ ଗାଡିରେ ଉପସ୍ଥିତ ଥିବା ତତ୍‌କାଳୀନ ଜିଲ୍ଲା ସାଧାରଣ ସଂପାଦକ ନନ୍ଦ କିଶୋର ସାହୁଙ୍କୁ ବାଜପେୟୀ ଭୋକ ହେଉଥିବା କଥା କହିଥିଲେ। ଭଂଜନଗର ପୂର୍ବରୁ କେଉଁଠି ଖାଇବା ବ୍ୟବସ୍ଥା କରିବା ପାଇଁ କହିଥିଲେ। ବାଜପେୟୀଙ୍କ କଥାକୁ ନ ଟାଳି ଶ୍ରୀ ସାହୁ ରାଜ୍ୟ ଉପ ସଭାପତି ଉଦୟ ପାଳଙ୍କ ସହ କଥାବାର୍ତା କରି ହିଞ୍ଜିଳିରେ ରାତ୍ର ଭୋଜନର ବ୍ୟବସ୍ଥା କରିଥିଲେ। ୨ ଖଣ୍ଡ ରୁଟି ସହ ପରିବା ତରକାରୀ ଖାଇଥିଲେ ବାଜପେୟୀ। ତା ପରେ କର୍ମକର୍ତାଙ୍କ ସହ ଆଲୋଚନା କରି ଆଗେଇ ଥିଲେ ଭଂଜନଗର ଅଭିମୁଖେ।

ଦଳିତଙ୍କୁ ଦର୍ଶନ ମନା ବୋଲି ମନ୍ଦିରକୁ ଗଲେନି…

ଦଳିତଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିବା ଜାଣିବା ପରେ ବାଜପେୟୀ ଠାକୁରଙ୍କ ଦର୍ଶନ ନ କରି ଫେରି ଆସିଥିଲେ। ଏହି ଘଟଣା ଘଟିଥିଲା ୧୯୮୪ ଡିସେମ୍ବର ୪ରେ। ପୂର୍ବ ରାତିରେ ଭଂଜନଗର ରସଲକୁଣ୍ଡା ଜଳଭଣ୍ଡାରକୁ ଲାଗି ରହିଥିବା ଡାକ ବଙ୍ଗଳାରେ ବାଜପେୟୀ ରାତ୍ରିଯାପନ କରିବା ପରେ ବାହାରିଥିଲେ କନ୍ଧମାଳ (ଫୁଲବାଣୀ) ଅଭିମୁଖେ। ଭଂଜନଗରରୁ ୧୫ କିମି ଦୂର ମୁଜାଗଡ ନିକଟରେ ବାଜପେୟୀଙ୍କ ଗାଡି ପମ୍ପଚର ହେବା ପରେ ନିକଟସ୍ଥ ମନ୍ଦିରକୁ ଯାଇଥିଲେ ବାଜପେୟୀ। ବାହାରେ ଥିବା ପୂଜକଙ୍କୁ ପଚାରିଥିଲେ ମନ୍ଦିରକୁ ହରିଜନଙ୍କ ପ୍ରବେଶ ପାଇଁ ଅନୁମତି ଅଛି ନା ନାହିଁ। ପୂଜକ ମନା କରିବା ପରେ ମନ୍ଦିର ଗେଟ ପାଖରୁ ହିଁ ବାଜପେୟୀ ଫେରି ଆସିଥିଲେ। ଠାକୁରଙ୍କୁ ଦର୍ଶନ କରିନଥିଲେ ବୋଲି କହିଛନ୍ତି ତାଙ୍କ ସହ ଥିବା ଜିଲ୍ଲା ଉପ ସଭାପତି ଶିବାନନ୍ଦ ତ୍ରିପାଠୀ।

ବିଶ୍ରାମ ନେଲେନି, ଢେମସାର ତାଳେ ତାଳେ ନାଚିଲେ ଆଦିବାସୀଙ୍କ ସହ

ଫୁଲବାଣୀ ବୈଠକ ସାରି ମଧ୍ୟାହଣ୍‌ରେ ବାଜପେୟୀ ପହଞ୍ଚିଥିଲେ ବାଲିଗୁଡାରେ। ଘଣ୍ଟାଏ ବିଶ୍ରାମ ପରେ ସଂଧ୍ୟାରେ ଭବାନୀପାଟଣାରେ ଅନୁଷ୍ଠିତ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ଥାଏ। ବାଲିଗୁଡା ଡାକବଙ୍ଗଳା ସମ୍ମୁଖରେ ଶହ ଶହ କର୍ମକର୍ତାଙ୍କ ବାଜପେୟୀଙ୍କ ଅପେକ୍ଷା କରିଥିଲେ। ଢେମସାର ତାଳେ ତାଳେ ନାଚ କରୁଥାନ୍ତି ଆଦିବାସୀ ଯୁବକ ଯୁବତୀ। ବାଜା ଶବ୍ଦ ଶୁଣିବା କ୍ଷଣି ବିଶ୍ରାମ ନ ନେ ଇ ବିଞ୍ଚଣାରୁ ଉଠି ଆସିଥିଲେ ବାଜପେୟୀ। ବାଜା ଓ ନାଚରେ ଆକର୍ଷିତ ହୋଇ ଧୀରେ ଧୀରେ ପାଦ ମିଶାଇ ନାଚିଥିଲେ ଆଦିବାସୀ ଯୁବକ, ଯୁବତୀଙ୍କ ସହ। ଯାହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

ସମ୍ବନ୍ଧିତ ଖବର