ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ କିରଣ! ରକ୍ତଦାନ ପାଇଁ ଚାଲି ଚାଲି ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

ରକ୍ତ ନ ପାଇ ଅନେକ ସମୟରେ ବହୁ ଲୋକଙ୍କ ଜୀବନ ଚାଲିଯାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯିବା ସହ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି। ଆଉ ଏହା ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅନ୍ୟମାନଙ୍କୁ କିପରି ରକ୍ତ ମିଳିପାରିବ ସେନେଇ ନିଜର ପ୍ରୟାସ ଜାରି ରଖିଛନ୍ତି। ନୋଏଡାର ଏକ ବିଶ୍ୱବିଦ୍ୟାଳୟର ମାର୍କେଟିଙ୍ଗ ହେଡ ୩୩ ବର୍ଷୀୟ ଏହି ଯୁବକ ହଜାର ହଜାର ଲୋକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଏହି ଯୁବକଙ୍କର ନାମ ହେଉଛି କିରଣ ବର୍ମା। ରକ୍ତଦାନ ପ୍ରତି ସଚେତନତା ଦିଗରେ ଏହି ବ୍ୟକ୍ତିଜଣଙ୍କ ହଜାର ହଜାର କିଲୋମିଟର ପାଦରେ ଚାଲି ଚାଲି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ଭାରତରେ ପ୍ରତି ବର୍ଷ ରକ୍ତ ଅଭାବରୁ ୧୨,୦୦୦ ରୁ ଉର୍ଦ୍ଧ୍ୱ୍‌ ଲୋକଙ୍କର ମୃତ୍ୟୁ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିରଣ ବର୍ମା ଏକ ନିଆରା ପ୍ରୟାସ ଜାରି ରଖିଛନ୍ତି। ତେବେ କିରଣ ହେଉଛନ୍ତି ମୋବାଇଲ ଆପ ସିମ୍ପୁଲ ବ୍ଲଡର ପ୍ରତିଷ୍ଠାତା। ଏହି ମୋବାଇଲ ଆପ ସାହାଯ୍ୟରେ ଅନଲାଇନ ବ୍ଲଡ ଡୋନରଙ୍କୁ ଖୋଜାଯାଇପାରିବ। କରିଣ ବର୍ମାଙ୍କ କହିବା କଥା ସେ ତାଙ୍କର ଏହି ଅଭିଯାନ ପ୍ରୟାସରେ ପାଖାପାଖି ୧.୫ ଲକ୍ଷ ଲୋକଙ୍କର ଡାଟାବେସକୁ ଯୋଡିବାକୁ ଚାହୁଁଛନ୍ତି ।

ଏହି ପ୍ରୟାସ ଜରିଆରେ କିରଣ ୧୧ଟି ଦେଶରେ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ବଞ୍ଚାଇ ସାରିଲେଣି । ସେ ଗତ ଜାନୁଆରୀ ୨୬ ତାରିଖରୁ ଏହି ପ୍ରୟାସ ଶ୍ରୀନଗରର ଲାଲଚୌକ ଠାରୁ ଆରମ୍ଭ କରିଥିଲେ । ତେବେ ଏପର୍ଯ୍ୟନ୍ତ ଉଦୟପୁର, ବଡୋଦରା, ଚେନ୍ନାଇ ଏବଂ ବାଙ୍ଗାଲୋର ସହର ପରିକ୍ରମା କରି ଜାମ୍ମୁକାଶ୍ମୀର, ପଞ୍ଜାବ, ହିମାଚଳ, ରାଜସ୍ଥାନ, ଗୁଜୁରାଟ, କେରଳ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକ ପରି ଅନେକ ରାଜ୍ୟରେ ପହଞ୍ଚିସାରିଲେଣି। ମାତ୍ର ତିନି ମାସରେ ପାଦରେ ଚାଲିଚାଲି ଏବଂ ପବ୍ଲିକ ଟ୍ରାନ୍‌ସପୋର୍ଟ ସହାୟତାରେ ସେ ୭ ହଜାର କିଲୋମିଟର ଯାତ୍ରା କରିସାରିଲେଣି।

ଜାତୀୟ ଗଣମାଧ୍ୟମକୁ କରିଣ ବର୍ମା କହିଛନ୍ତି ଯେ, ଅନେକ ସହରରେ ରକ୍ତଦାନର ସଂଖ୍ୟା କମିଯାଇଛି। ଆଉ ଏହି କାରଣରୁ ସେ ସଚେତନତାର ଏହି ବାର୍ତ୍ତା ବାଣ୍ଟି ଚାଲିଛନ୍ତି । ସେ ପ୍ରତି ୧ କିଲୋମିଟରରେ ୧୦ ଜଣ ଲୋକମାନଙ୍କ ସହ ମିଶିବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ କ୍ୟାନ୍‌ସର କାରଣରୁ ନିଜ ମାଙ୍କୁ ହରାଇବା ପରେ କିରଣ ବର୍ମାଙ୍କୁ ଏଭଳି ମିଶନ ଏବଂ ଏଭଳି ଆପ କରିବା ପାଇଁ ପ୍ରେରଣା ମିଳିଥିଲା। ତେବେ କିରଣ ସ୍କୁଲ, ରେଲୱେ ଷ୍ଟେସନ ଏବଂ ବସ ଷ୍ଟପ ଆଦି ସ୍ଥାନ ମାନଙ୍କରେ ୬,୫୦,୦୦୦ ଜଣ ଲୋକମାନଙ୍କ ସହ ସାକ୍ଷାତ କରିସାରିଲେଣି। ଏପରିକି ରକ୍ତଦାନ ସଚେତନତା ପାଇଁ ସେ ନେପାଳ ଏବଂ ଭୂଟାନ ମଧ୍ୟ ଯାଇସାରିଲେଣି।

ସମ୍ବନ୍ଧିତ ଖବର