କୁମ୍ଭମେଳାରେ ବାବା : କିଏ ହାତଟେକି ରହିଛନ୍ତି ତ କିଏ ଏକ ଗୋଡରେ ଠିଆ ହୋଇଛନ୍ତି, ପୁଣି କାହା ଦେହରେ ଲଦା ହୋଇଛି ସୁନା ଓ ଋଦ୍ରାକ୍ଷ

କୁମ୍ଭମେଳାରେ ଦେଶର ପ୍ରାୟ ସମସ୍ତ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ମଧ୍ୟ ହଜାର ହଜାର ସାଧୁବାବା ଏକତ୍ରୀତ ହୋଇଛନ୍ତି। ଏହି ବାବାମାନେ ନିଜର ବେଶଭୂଷା ଓ ଜୀବନଶୈଳୀ ଲାଗି ସମାଗତ ଶ୍ରଦ୍ଧାଳୁଙ୍କ ନଜରକୁ ଆସିଛନ୍ତି। ଆସନ୍ତୁ ଜାଣିବା ସେପରି କିଛି ବାବାଙ୍କ ସଂପର୍କରେ।

ପାଇଲଟ୍ ବାବା

ଏମିତି ଜଣେ ସାଧୁ ହେଲେ ପାଇଲଟ୍ ବାବା । ବାୟୁସେନା ପାଇଲଟରୁ ସେ ସନ୍ୟାସୀ ବନିଛନ୍ତି । ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟକରିଥିବା କପିଲ ସିଂ ବର୍ତ୍ତମାନ ପାଇଲଟ ବାବା ଭାବେ ପରିଚିତ । ତିନି ତିନିଟି ଯୁଦ୍ଧରେ ଲଢ଼ିବା ପରେ ପାଇଲଟ ଚାକିରିରୁ ଅବସର ନେବା ପରେ ଅଚାନକ ସନ୍ୟାସୀ ମାର୍ଗରେ ଯାଇଥିଲେ । ବିଶ୍ୱର ପ୍ରାୟ ୧୬୦ଟି ଦେଶରେ ପାଇଲଟ୍ ବାବାଙ୍କର ଭକ୍ତ ରହିଛନ୍ତି । ବାବା କହିଛନ୍ତି ଭକ୍ତି, ପ୍ରେମ ଓ ଭଲପାଇବା ଜୀବନର ମୂଳମନ୍ତ୍ର । ଏ ଦୁନିଆ ହେଉଛି କର୍ମଭୂମି ତେଣୁ କର୍ମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପାଇଲଟ୍ ବାବା ।

ହାତଟେକା ବାବା

କୁମ୍ଭମେଳାରେ ଆକର୍ଷଣ ପାଲଟିଛନ୍ତି ଏହି ହାତ ଟେକା ବାବା । ୨୦୧୧ ମସିହାରୁ ସେ ନିଜର ଡାହାଣ ହାତକୁ ଟେକି ରଖିଛନ୍ତି । ବାବାଙ୍କ କହିବା ଅନୁସାରେ, ବିଶ୍ୱଶାନ୍ତି ଓ ଜନକଲ୍ୟାଣ ପାଇଁ ସେ ଏଭଳି କରୁଛନ୍ତି । ଦୈନିନ୍ଦିନ କାମ କରିବାରେ ତାଙ୍କୁ କୌଣସି ସମସ୍ୟା ହେଉନାହିଁ। ଏଭଳି ଭାବେ ଦୀର୍ଘ ୮ ବର୍ଷ ହେଲା ସେ ତପସ୍ୟା ଚଳାଇଛନ୍ତି ।

ଗୋଲଡେନ୍ ବାବା

ସୁନାରେ ଲଦି ହୋଇଥିବା ଗୋଲଡେନ୍ ବାବା ଜୁନା ଆଖଡା ସହ ଜଡିତ ଅଛନ୍ତି । ୨୦ କିଲୋ ସୁନା ଅଳଙ୍କାର ପିନ୍ଧି ସେ କୁମ୍ଭମେଳାକୁ ଆସିଥାନ୍ତି । ଶ୍ରାବଣ ମାସରେ ସେ କାଉଡିଆବାଲାଙ୍କ ସହ ମିଶି ଯାତ୍ରା କରିଥାନ୍ତି । ଏହାଛଡା ଜଟାଧାରୀ ବାବା , ଟୋପିପିନ୍ଧା ବାବା ମଧ୍ୟ କୁମ୍ଭମେଳାର ବିଶେଷ ଆକର୍ଷଣ ହୋଇଥାନ୍ତି ।

ଋଦ୍ରାକ୍ଷ ବାବା

ମୋନୀ ମହାରାଜ ୧୧ ହଜାର ଋଦ୍ରାକ୍ଷର ମାଳା ପିନ୍ଧି ଯେତେବେଳେ ବାହାରକୁ ବାହାରନ୍ତି ତାଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥାଏ । ସେ ଅମେଥି ପରମହଂସ ଆଶ୍ରମର ମହନ୍ତ ଅଟନ୍ତି । ମୁଣ୍ଡରୁ ଗୋଡ ଯାଏଁ ୫୦୦ ଟି ଋଦ୍ରାକ୍ଷ ମାଳା ପିନ୍ଧି ସେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଏକ ଗୋଡ଼ିକିଆ ଠିଆ ହୋଇଥିବା ବାବା

ରାଜସ୍ଥାନର ଦିଗମ୍ବର ହରିବଂଶ ଗିରି ୧୨ ବର୍ଷ ଅନବରତ ଗୋଟିଏ ଗୋଡରେ ଠିଆ ହୋଇ ତପସ୍ୟା କରିବା ପାଇଁ ପଣ କରିଛନ୍ତି । ଖାଦ୍ୟ ବି ସେ ଠିଆ ହୋଇ ହିଁ ଗ୍ରହଣ କରିଥାନ୍ତି । ଏହାଛଡା ଶୌଚ ଏବଂ ଗାଧୋଇବା ପାଇଁ ବି ସେ ଗୋଟିଏ ଗୋଡରେ ଚାଲି ଯାଇଥାନ୍ତି । ତାଙ୍କ କହିବାନୁସାରେ ୯ ବର୍ଷ ହେଲା ସେ ଏଭଳି ଭାବେ ଗୋଟିଏ ଗୋଡରେ ଠିଆ ହୋଇ ସବୁ କାମ କରୁଛନ୍ତି ।

ପେଟ୍ରୋଲ୍ ନେଉଥିବା ବାବା

ପ୍ରୟାଗରାଜ କୁମ୍ଭମେଳାକୁ ଗୁଜୁରାଟରୁ ଆସିଥିବା ବାବା ସାବନ ଗିରି ନିଜ ଏସୟୁବି କାର୍ ରେ ବସି ଭକ୍ତଙ୍କ ଠାରୁ ଦକ୍ଷିଣା ଆକାରରେ ପେଟ୍ରୋଲ୍ ମାଗିଥାନ୍ତି ।

ହାଇଟେକ୍ ବାବା

ଶ୍ରୀ ମୀତାବାବା ଉଦାସୀନ ଆଶ୍ରମର ପୀଠଧିଶ୍ୱର ବଜରଙ୍ଗମୁନି ଉଦାସୀନ ବ୍ଲୁଟୁଥ୍ ସାହାଯ୍ୟରେ କଥାବାର୍ତ୍ତା କରିଥାନ୍ତି । ଏତଦ୍ ବ୍ୟତୀତ କୁମ୍ଭମେଳାରେ କ୍ୟାସଲେସ୍ ନେଣଦେଣ ମଧ୍ୟ କରିଥାନ୍ତି । ଟାବଲେଟରେ ସୋସିଆଲ୍ ମିଡିଆ ସହ ସକ୍ରିୟ ରହିଥାନ୍ତି ।

ସମ୍ବନ୍ଧିତ ଖବର