ପାଠ ପଢ଼ିବା ପାଇଁ ଟଙ୍କା ନଥିବାରୁ ପିଲା ସମ୍ଭାଳିବା ଆରମ୍ଭ କରିଥିଲେ ଯୁବତୀ,୩ସପ୍ତାହ ପରେ ସେ କରିଥିବା କାମକୁ ନେଇ ଏବେ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ସମସ୍ତଙ୍କର ବଞ୍ଚିବାର ଶୈଳୀ ସମାନ ହୋଇ ନଥାଏ । କିଏ ପାଠ ପଢ଼ିବା ପାଇଁ ବିଦେଶ ଯାଇଥାଏ ତ କାହାକୁ ନିଜ ଅଞ୍ଚଳରେ ପାଠ ପଢ଼ିବା ପାଇଁ ପର ଘରେ କାମ କରିବାକୁ ପଡ଼ିଥାଏ । ଏଭଳି ଦୃଶ୍ୟ ଆପଣମାନେ ଅନେକ ଦେଖିଥିବେ । କିନ୍ତୁ ଆମେରିକାରେ ଘଟିଥିବା ଏହି ଘଟଣା ସେ ସବୁ ଘଟଣାଠାରୁ ଟିକେ ଭିନ୍ନ ।

ସୂଚନା ମୁତାବକ,ଆମେରିକାରେ ରହୁଥିବା କାୟରଷ୍ଟେନଙ୍କ ପାଖରେ ପାଠ ପଢ଼ିବା ପାଇଁ ଟଙ୍କା ନଥିଲା । ଯାହା ପାଇଁ ସେ ନିଜର ଜଣେ ବନ୍ଧୁଙ୍କ ସହାୟତାରେ ଏକ ଚାକିରି ଖୋଜି ପାଇଥିଲେ । ଚାକିରିଟି ଥିଲା ୩ଟି ପିଲାଙ୍କୁ ସମ୍ଭାଳିବା । ପ୍ରଥମେ ସେ ଏହା କରି ପାରିବେ କି ନାହିଁ ବୋଲି ଭାବିଥିବା ବେଳେ ପରେ ସେ ୩ଟି ପିଲାଙ୍କୁ ସମ୍ଭାଳିବା ପାଇଁ ହଁ ଭରିଥିଲେ । ମାଲିକର ଘରେ ଥିବା ୩ଟି ପିଲାଙ୍କ ମଧ୍ୟରେ ସବୁଠାରୁ ଛୋଟ ୧୬ମାସର ଶିଶୁ ପାଇଁ କାୟରଷ୍ଟେନଙ୍କ ମନରେ ଅଧିକ ଭଲ ପାଇବା ଆସି ଯାଇଥିଲା । ୩ସପ୍ତାହ ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିବା ବେଳେ ୩ସପ୍ତାହ ପରେ ୧୬ମାସର ଶିଶୁର ଯକୃତ ଖରାପ ଥିବା ଜଣା ପଡ଼ିଥିଲା । ଯାହା ବିଷୟରେ ଜାଣି ଶିଶୁର ପାରିବାର ଲୋକେ ଏବଂ କାୟରଷ୍ଟେନ ଉଭୟ ଚିନ୍ତାରେ ପଡ଼ି ଯାଇଥିଲେ ।

bhaskar.com

ଯକୃତ ପ୍ରତିରୋପଣ କରିବା ପାଇଁ ଡ଼ୋନରର ଯକୃତଟି ଶିଶୁର ଯକୃତ ସହ ମିଶିବା ନିହାତି ଦରକାର ବୋଲି ଡ଼ାକ୍ତର କହିବା ପରେ କ’ଣ କରିବେ ସେ ନେଇ ଚିନ୍ତିତ ହୋଇ ଯାଇଥିଲେ ପରିବାର ଲୋକେ । ଏ ମଧ୍ୟରେ କାୟରଷ୍ଟେନ ଶିଶୁଟିକୁ ଯକୃତ ଦେବା ପାଇଁ ନିଷ୍ପତି ନେଇ ଯାଇଥିଲେ । ପରିବାର ଲୋକେ ଅନ୍ୟ ଆଡ଼େ ଡ଼ୋନର ଖୋଜିବା ପାଇଁ ଚେଷ୍ଟା କରୁଥିବା ବେଳେ କାୟରଷ୍ଟେନ ନିଜର ଯକୃତ ଦାନ କରିବା ପାଇଁ ଚାହୁଁଥିବା କହିଥିଲେ । ପରେ ଡ଼ାକ୍ତରୀ ପରୀକ୍ଷା କରାଯାଇ ଯକୃତ ମ୍ୟାଚ୍‌ କରାଯାଇଥିଲା । ମ୍ୟାଚ୍‌ ହୋଇଯିବା ପରେ କାୟରଷ୍ଟେନ ନିଜର ଯକୃତ ଶିଶୁକୁ ଦାନ କରିଥିଲେ । ୩ସପ୍ତାହର ଦେଖାରେ କାୟରଷ୍ଟେନଙ୍କ ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସମସ୍ତେ ଏବେ ତାଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର