ବଡ଼ଦାଣ୍ଡର ନଈ ପୋତା ହେଲା: ଛଅରଥରୁ ତିନିରଥ ହେଲା

ରଥ କଥା - ଅସିତ ମହାନ୍ତି

‘ସ୍କନ୍ଦ ପୁରାଣ’ରେ ଯେଉଁ ପ୍ରଥମ ରଥଯାତ୍ରାର ବର୍ଣ୍ଣନା ଅଛି, ତାହା ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜତ୍ୱ କାଳର । ଅର୍ଥାତ୍‍ ଏହାର ସମୟ ‘ସତ୍ୟଯୁଗ’ । କିନ୍ତୁ ଇତିହାସକାରଙ୍କ ମତରେ, ତ୍ରୟୋଦଶ ଶତାବ୍ଦୀର ବହୁ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇଆସୁଛି ।

‘ମାଦଳା ପାଞ୍ଜି’ର ତଥ୍ୟକୁ ଏବେ ଇତିହାସର ଗୁରୁତ୍ୱପୂର୍ଣ୍ଣ ଉପାଦାନ ରୂପେ ସ୍ୱୀକାର କରାଯାଉଛି । ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି ସଂପାଦନା କରିଥିବା ‘ମାଦଳାପାଞ୍ଜି’ ହେଉଛି ରାଜାମାନଙ୍କର ରାଜ୍ୟ ଶାସନ ବା ‘ରାଜଭୋଗ’ର ଇତିହାସ । ତାହା ପ୍ରଥମେ ‘ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ହୋଇଥିଲା ଏବଂ ପରେ ତାହାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶ କରିଛନ୍ତି । ସେଥିରେ ଥିବା ବର୍ଣ୍ଣନା ଅନୁସାରେ, ଗଙ୍ଗବଂଶୀ ରାଜା ନରସିଂହ ଦେବ (ଦ୍ୱିତୀୟ)ଙ୍କ ପୂର୍ବରୁ ପୁରୀରେ ଛଅଟି ରଥ ହେଉଥିଲା । କାରଣ ବଡ଼ଦାଣ୍ଡକୁ ଦୁଇଭାଗ କରି ମଝିରେ ଗୋଟିଏ ନଈ ପ୍ରବାହିତ ହେଉଥିଲା । ତିନିଟି ରଥରେ ଠାକୁରମାନେ ନଈର ଏ କୂଳ ଯାଏ ଯିବା ପରେ, ସେଠାରୁ ଚାପ (ଡଙ୍ଗା)ରେ ପାରି ହେଉଥିଲେ । ସେ କୂଳରୁ ଅନ୍ୟ ତିନିଟି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ‘ମାଦଳା ପାଞ୍ଜି’ରେ ସେଇ ନଈକୁ ‘ବାଙ୍କୀ ମୁହାଣ’ କୁହାଯାଇଛି । କେତେକଙ୍କ ଅନୁସାରେ, ତାହା ‘ମାଳିନୀ’ ନଈ । ମାଦଳା ପାଞ୍ଜିରେ ବର୍ଣ୍ଣନା ଅଛି, “ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅରଥ ହେଉଥିଲା, ନଈ ପୋତାଇ ତିନିରଥ କରାଇଲେ ।’ ନରସିଂହ ଦେବ(ଦ୍ୱିତୀୟ)ଙ୍କ ସମୟ ୧୨୭୮ରୁ ୧୩୦୬ ଖ୍ରୀଷ୍ଟାବ୍ଦ । ଏଣୁ ପୁରୀରେ ତିନିରଥ ହେବାର ସମୟ ତ୍ରୟୋଦଶ ଶତାବ୍ଦୀ ।

କଟକ ଜିଲ୍ଲାର ଧାନମଣ୍ଡଳ ଷ୍ଟେସନ ନିକଟ ତେଲିଗଡ଼ଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରର ନିମ୍ନାଂଶରେ ରଥଯାତ୍ରାର କେତେକ ଦୃଶ୍ୟ ଖୋଦିତ ହୋଇଥିଲା । ମନ୍ଦିରଟି ଭଗ୍ନ ହେବା ପରେ, ସେହି ସ୍ଥାପତ୍ୟଗୁଡ଼ିକୁ ସେଠାରୁ ଉଦ୍ଧାର କରାଯାଇ ଏବେ ଭୁବନେଶ୍ୱର ସ୍ଥିତ ଶ୍ରୀଜୟଦେବ ରାଜ୍ୟ ସଂଗ୍ରହାଳୟରେ ରଖାଯାଇଛି । ଏହା ସଂଗ୍ରହାଳୟର ପ୍ରବେଶ ପଥରେ ଥିବା ସ୍ଥାପତ୍ୟ ବୀଥିରେ ସଂରକ୍ଷିତ ଅଛି । ଧାନମଣ୍ଡଳର ସେହି ମନ୍ଦିରଟି ତ୍ରୟୋଦଶ ଶତାବ୍ଦୀର । ଏଣୁ ସେହି ସ୍ଥାପତ୍ୟଗୁଡ଼ିକରୁ ଜଣାଯାଏ ଯେ ତ୍ରୟୋଦଶ ଶତାବ୍ଦୀ ବେଳକୁ ପୁରୀର ରଥଯାତ୍ରା ଓଡ଼ିଶା ଓ ଓଡ଼ିଶା ବାହାରେ ଲୋକପ୍ରିୟ ହୋଇ ସାରିଥିଲା ।

ସେହି ଶିଳା ସ୍ଥାପତ୍ୟରେ ତିନିଟି ରଥ ଅତି ସ୍ପଷ୍ଟ ଭାବରେ ଖୋଦିତ ହୋଇଛି । ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଅନେକାଂଶରେ ଭଗ୍ନ ହେଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ରଥଟି ସଂପୂର୍ଣ୍ଣ ଅକ୍ଷୁଣ୍ଣ ଅଛି । ସେହି ରଥରେ ଶ୍ରୀଜଗନ୍ନାଥ ମଧ୍ୟ ଆରୂଢ଼ ହୋଇଛନ୍ତି ।

ଏବେ ପୁରୀରେ ହେଉଥିବା ରଥର ଆକାର ରେଖମନ୍ଦିର ସଦୃଶ । କିନ୍ତୁ ସେହି ଶିଳା ସ୍ଥାପତ୍ୟରେ ଯେଉଁ ରଥଟି ଖୋଦିତ ହୋଇଛି, ତାହାର ଊର୍ଦ୍ଧ୍ୱଭାଗ ରେଖମନ୍ଦିର ସଦୃଶ ନୁହେଁ । ତେବେ ରଥର ନିମ୍ନଭାଗ ଅବିକଳ ଆଜିର ରଥ ପରି । ଏହା ସୂଚାଏ ଯେ, ବୋଧହୁଏ ତ୍ରୟୋଦଶ ଶତାବ୍ଦୀରେ ସେହିପରି ରଥ ହେଉଥିଲା । ପରବର୍ତ୍ତୀ କାଳରେ ତାହା ବଦଳି ଆଜି ପରି ହୋଇଛି ।

କିନ୍ତୁ ସେହି ରଥ ସ୍ଥାପତ୍ୟରେ ରଥଯାତ୍ରାର ଆଉ ଯେଉଁସବୁ ଦୃଶ୍ୟ ଖୋଦିତ ହୋଇଛି, ତାହା ସଂପୂର୍ଣ୍ଣ ଭାବରେ ଆଜିର ରଥଯାତ୍ରା ପରି । ସେଥିରୁ ସ୍ପଷ୍ଟ ଯେ ଆଜି ଯେପରି ଘଣ୍ଟ, କାହାଳୀ ଏବଂ ନୃତ୍ୟ ଓ ବାଦ୍ୟ ଆଦି ସହିତ ରଥଯାତ୍ରା ଅନୁଷ୍ଠିତ ହେଉଛି, ସେତେବେଳେ ମଧ୍ୟ ସେହିପରି ହେଉଥିଲା ।

ଆଜିର ରଥଯାତ୍ରାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀସୁଭଦ୍ରା, ଶ୍ରୀସୁଦର୍ଶନ ଓ ଅନ୍ୟାନ୍ୟ ଦେବଦେବୀଙ୍କ ସହିତ ତିନିଟି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଏହି ରଥଯାତ୍ରା ‘ନବଦିନ ଯାତ୍ରା’ ଭାବରେ ମଧ୍ୟ କଥିତ ହୁଏ । କାରଣ, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ହୋଇ, ଦଶମୀଦିନ ‘ବାହୁଡ଼ା ଯାତ୍ରା’ ହୋଇଥାଏ । ସେଥିପାଇଁ ତିନି ରଥର ଠାକୁରମାନଙ୍କର ନୀତି ସହ ସଂପୃକ୍ତ ଆସବାବପତ୍ରଗୁଡ଼ିକୁ, ତିନି ରଥରେ ତିନିଟି ସିନ୍ଦୁକରେ ନିଆଯାଇଥାଏ । ତେଲିଗଡ଼ ମନ୍ଦିରର ସେହି ରଥ ସ୍ଥାପତ୍ୟରେ ସେପରି ସିନ୍ଦୁକ ବୁହାହୋଇଯାଉଥିବାର ଦୃଶ୍ୟ ମଧ୍ୟ ଖୋଦିତ ହୋଇଛି ।

ଏହା ସ୍ପଷ୍ଟ ପ୍ରମାଣ କରୁଛି ଯେ ଆଜି ଯେପରି ତିନିଟି ରଥରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ହେଉଛି, ସେପରି ରଥଯାତ୍ରା ତ୍ରୟୋଦଶ ଶତାବ୍ଦୀରୁ ହୋଇଆସୁଛି ।

 

ସମ୍ବନ୍ଧିତ ଖବର