ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଲେ ସୁଶ୍ରୀ, ପୁରୁଣା ଖବରକାଗଜରେ ଚମତ୍କାର କଳାକୃତି

ବାଲେଶ୍ବର: ପଢି ସାରିବା ପରେ ଖବରକାଗଜର ମୂଲ୍ୟହୀନ ହୋଇ କେତେବେଳେ କବାଡ଼ି ଖାନାକୁ ଯାଏ ତ କେତେବେଳେ ଅଳିଆ ଗଦାକୁ। କିନ୍ତୁ ଏହି ଅଦରକାରୀ ଖବରକାଗଜ ଯେତେବେଳେ ସୁଶ୍ରୀ ତନ୍ମୟୀଙ୍କ ହାତକୁ ଆସେ ତାହା ରୂପ ନିଏ ଏକ ସୁନ୍ଦର ସାମଗ୍ରୀର। ବିନା ତାଲିମରେ ସୁଶ୍ରୀ ବନେଇ ପାରନ୍ତି ସୁନ୍ଦର ଘର ସଜ୍ଜା ସାମଗ୍ରୀ ଏପରିକି ଅଳଙ୍କାର ମଧ୍ୟ।

ଶିଳ୍ପୀର ନଜରରେ ସବୁକିଛି ବ୍ୟବହାର ଉପଯୋଗୀ। ଯେକୌଣସି ଜିନିଷରେ ବି ପ୍ରତିଭା ପ୍ରଦର୍ଶନ କରିହୁଏ। ସେମିତି ଜଣେ ଶିଳ୍ପୀ ହେଉଛନ୍ତି ବାଲେଶ୍ୱରର ସୁଶ୍ରୀ ତନ୍ମୟୀ ପାଢୀ। ଖବରକାଗଜରେ ସୁନ୍ଦର ସୁନ୍ଦର ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି ସୁଶ୍ରୀ। ଫଟୋ ଫ୍ରେମ, ଫୁଲଦାନୀ, କାନ ଫୁଲ ଭଳି ଅନେକ ସୈାଖିନୀ ସାମଗ୍ରୀ। ସବୁଠାରୁ ବଡ କଥା ହେଉଛି ଏଥିପାଇଁ ସେ କୌଣସି ତାଲିମ ନେଇ ନାହାନ୍ତି। ମୋବାଇଲ ଇଂଟରନେଟକୁ ଗୁରୁ କରି, ୟୁ-ଟ୍ୟୁବରୁ କୌଶଳ ଶିଖୁଛନ୍ତି ସୁଶ୍ରୀ।

ଯୁକ୍ତ ୨ ପାଠ ପଢିବା ପରେ ଆର୍ଟ ଆଣ୍ଡ କ୍ରାଫ୍‌ଟ କଲେଜରେ ଭିଜୁଆଲ ଆର୍ଟସରେ ଗ୍ରାଜୁଏସନ ପଢୁଛନ୍ତି। ଘରେ ଟିକିଏ  ସମୟ ପାଇଲେ ଖବରକାଗଜ, ଉଠା ଓ ରଙ୍ଗତୁଳି ଧରି ବସି ଯାଆନ୍ତି ସୁଶ୍ରୀ। ଆଉ ଆରମ୍ଭ କରିଦିଅନ୍ତି ତାଙ୍କ କାରୁକାର୍ଯ୍ୟ। ଝିଅକୁ ଉତ୍ସାହିତ କରିବା ପାଇଁ ତନ୍ମୟୀଙ୍କୁ ଏହି କାମରେ ସହଯୋଗ କରିଥାନ୍ତି ମାଆ ସବିତା ପାଢୀ। ବାସ୍ତବରେ ଆଜିର ଏହି ଇଂଟରନେଟ ଯୁଗରେ ଅନେକ ଯୁବକ- ଯୁବତୀମାନେ ଅଧଗତିକୁ ଯାଉଥିବା ବେଳେ ଏହି ଇଂଟରନେଟକୁ ମାଧ୍ୟମ କରି ବିଭିନ୍ନ କଳାକୃତିକୁ ରୂପ ଦେଉଛନ୍ତି ସୁଶ୍ରୀ। ପାଠପଢା ସାଙ୍ଗକୁ ଏହି କଳା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ଆଉ ଆଜିର ଯୁବପୀଢୀଙ୍କ ପାଇଁ ସୁଶ୍ରୀ ସାଜିଛନ୍ତି ଏକ ଅନନ୍ୟ ଉଦାହରଣ।

ସମ୍ବନ୍ଧିତ ଖବର