ଚଳିତ ବର୍ଷ ବାଲିଯାତ୍ରାରେ ନିଆରା: ମଶା କାମୁଡାରୁ ବଞ୍ଚିବା ପାଇଁ ବେଲୁନ୍‌ ମଶାରି: ଜାଣନ୍ତୁ ଏହାର ଉପକାରିତା

କଟକ(ରୀନା ରାମ୍‌): ଐତିହାସିକ କଟକ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ପହଞ୍ଚିଛି। ଆଜି ରବିବାର ହୋଇଥିବାରୁ ସକାଳୁ ଲୋକଙ୍କ ପ୍ରବଳ ଭିଡ ଜମୁ ଥିବା ବେଳେ ସନ୍ଧ୍ୟାରେ ଏହି ଭିଡ ଧୀରେଧୀରେ ବଢ଼ିବାକୁ ଲାଗିଛି। ସନ୍ଧ୍ୟାରେ ସହରର ସବୁ ରାସ୍ତା ବାଲିଯାତ୍ରା ମୁହାଁ ହୋଇଛି। ଫଳରେ ଅନ୍ୟ ଦିନ ଅପେକ୍ଷା ଏହି ଭିଡ଼ ଓ ବାଲିଯାତ୍ରାର ବ୍ୟବସାୟ ରେକର୍ଡ ଟପିବ ବୋଲି ଆକଳନ କରାଯାଉଛି।

ତେବେ ଚଳିତବର୍ଷ ବାଲିଯାତ୍ରାରେ କିଛି ନିଆରା ସାମଗ୍ରୀ ମଧ୍ୟରୁ ମେଳା ବୁଲିଲା ବେଳେ ଆମ ଆଖିରେ ପଡ଼ିଥିଲା ବେଲୁନ୍‌ ମଶାରି। ଆସନ୍ତୁ ଜାଣିବା ଏହି ବେଲୁନ୍‌ ମଶାରିର ବିଶେଷତ୍ୱ ସଂପର୍କରେ…

ଡାକ୍ତର ସତ୍ୟନ୍‌ ସାହୁ ଦୀର୍ଘ ଆଠବର୍ଷ ଧରି ନିଜ କଠିନ ପରିଶ୍ରମ ବଳରେ ଏହି ବେଲୁନ୍‌ ମଶାରିକୁ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟ ମଶାରି ଅପେକ୍ଷା ଏହି ମଶାରି ଦେଖିବାକୁ ଖୁବ୍‌ ସୁନ୍ଦର ଓ ହାଲୁକା। ସାଧାରଣତଃ ଅନେକ ଲୋକେ କିମ୍ବା ଛୋଟପିଲାମାନେ ମଶାରି ଭିତରେ ଶୋଇବାକୁ ପସନ୍ଦ କରନ୍ତି ନାହିଁ। ଏହାର ଏକ ମୁଖ୍ୟ କାରଣ ହେଲା ମଶାରି ଭିତରେ ପଙ୍ଖା ପବନ ସେମାନଙ୍କ ଶରୀରରେ ବାଜି ନଥାଏ ଓ ଶୋଇବାକୁ ଅଣନିଶ୍ୱାସୀ ଲାଗିଥାଏ।

ତେଣୁ ଲୋକମାନେ ମଶାରିରେ ନଶୋଇ ମଶା ଦାଉରୁ ରକ୍ଷା ପାଇବା ପାଇଁ ଘର ଭିତରେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ କଏଲ, ମଶାଧୂପ, ଲିକ୍ୟୁଡ୍‌ ଓ ସ୍ପ୍ରେ ଆଦି ବ୍ୟବହାର କରି ଥାଆନ୍ତି। ଯାହା ଆମର ଓ ଛୋଟ ପିଲାମାନଙ୍କ ନିଶ୍ୱାସ-ପ୍ରଶ୍ୱାସରେ ଶରୀର ଭିତରକୁ ଯାଇଥାଏ। ପ୍ରତିଦିନ ଏଭଳି କ୍ଷତି କାରକ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ କଏଲ, ମଶାଧୂପ, ଲିକ୍ୟୁଡ୍‌ ଓ ସ୍ପ୍ରେକୁ ଘରେ ବ୍ୟବହାର କରିବା ଦ୍ୱାରା ଏଥିରୁ ବାହାରୁ ଥିବା ଧୂଆଁ ଆମ ଶରୀର ଭିତରକୁ ଯାଇ ଭିବଷ୍ୟତରେ ବିଭିନ୍ନ ପ୍ରକାର ରୋଗର କାରଣ ପାଲଟିଥାଏ।

ତେଣୁ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଡାକ୍ତର ସତ୍ୟନ୍‌ ସାହୁ ସ୍ୱତନ୍ତ୍ର ବେଲୁନ୍‌ ମଶାରି ବାହାର କରିଛନ୍ତି। ଏହି ମଶାରି ଭିତରେ ଶୋଇଲେ, ପଙ୍ଖା ପବନ ଯେମିତି ବାଜିବା କଥା ସେମିତି ବାଜିବ। ଶୋଇବାକୁ ବି ଅନ୍ୟ ମଶାରି ଭଳି ଅଣ-ନିଶ୍ୱାସୀ ଲାଗିବ ନାହିଁ। ମଶାରି ଭିତରେ ଶୋଇ ମଧ୍ୟ ବିନା ମଶାରିରେ ଶୋଇଲା ଭଳି ଅନୁଭବ ହେବ। ଏହି ମଶାରି ଭିତରେ ଏକ ସତନ୍ତ୍ର ଯନ୍ତ୍ର ଖଞ୍ଜା ଯାଇଛି। ଯାହାକୁ ଆପଣ ଫଟୋରେ ଦେଖି ପାରିବେ। ଏହି ଯନ୍ତ୍ର ସମସ୍ତ ମଶାକୁ ନିଜ ଆଡକୁ ଟାଣି ଆଣିବ। ସକାଳେ ଉଠିବା ପରେ ଏହି ଯନ୍ତ୍ରରେ ଫଶି ଥିବା ସମସ୍ତ ମଲା ମଶାକୁ ଆପଣ ସହଜରେ ବାହାର କରି ଫିଙ୍ଗି ପାରିବେ।

ତେଣୁ ଏଭଳି ସ୍ୱତନ୍ତ୍ର ମଶାରିକୁ ଡାକ୍ତର ସାହୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବାଲିଯାତ୍ରା ମେଳାରେ ଡେ‌ମୋ ଭାବେ ପ୍ରଦର୍ଶନ କରି ଲୋକମାନଙ୍କୁ ମଶା ଦାଉରୁ ରକ୍ଷା ପାଇବା ପାଇଁ ରାସାୟନିକ ଦ୍ରବ୍ୟର ପ୍ରୟୋଗ ଠାରୁ ଦୂରେଇ ରହିବାକୁ ସଚେତନ କରାଇଛନ୍ତି। ଏଥିସହିତ ତାଙ୍କ ଷ୍ଟଲକୁ ଯିଏ ଯାଉଛି ଏହି ବେଲୁନ୍‌ ମାଶାରିର ବିଶେଷତ୍ୱ ବିଷୟରେ ସେ ଖୁବ ସୁନ୍ଦର ଓ ସହଜ ଭାବେ ବୁଝାଉଛନ୍ତି। ଛୋଟପିଲାମାନଙ୍କୁ ଏହି ମଶାରି ଖୁବ୍‌ ପସନ୍ଦ ଆସିଛି। ମଶା କଏଲ୍‌ ବ୍ୟବହାର କିମ୍ବା ମଶାରି ଲଗାଇବା ଦ୍ୱାରା ମଶାରି ଭିତରକୁ ପବନ ନଯାଉ ଥିବାରୁ ସିଲିଂ ଫ୍ୟାନ୍‌ ସହିତ କେହି କେହି ଟେବୁଲ  ଫ୍ୟାନ୍‌ ବ୍ୟବହାର କରିଥାଆନ୍ତି। ଯଦ୍ୱାରା ଅଧିକ ବିଜୁଳି ନଷ୍ଟ ହୋଇଥାଏ। ତେଣୁ ଏହି ମଶାରି ବ୍ୟବହାର ଦ୍ୱାରା ଆମେ ଇନ୍ଧନ ବି ବଞ୍ଚାଇ ପାରିବା।

ଡାକ୍ତର ସତ୍ୟନ୍‌ ସାହୁ ଏହି ମଶାରି ପ୍ରସ୍ତୁତ କରି ଦୁଇଟି ଟ୍ୟାଗ ଲାଇନ୍‌ ଦେଇଛନ୍ତି, ଗୋଟିଏ ହେଉଛି – ‘ନିଜ ହାତରେ ନିଜ ପିଲାମାନଙ୍କ ଉପରେ ବିଷାକ୍ତ ଦ୍ରବ୍ୟ ପ୍ରୟୋଗ କରନ୍ତୁ ନାହିଁ।’ ଅନ୍ୟଟି ହେଉଛି- ‘ମଶାରୁ ବଞ୍ଚିବା ପାଇଁ ଆଉ ବିଷର ପ୍ରୟୋଗ କରିବା ଦରକାର ନାହିଁ।’

ସମ୍ବନ୍ଧିତ ଖବର