ଏହି ସଂପ୍ରଦାୟର ମହିଳାମାନେ ବେଶ୍ୟାବୃତ୍ତି କରି ପରିବାର ଚଳାନ୍ତି, ପୁରୁଷମାନେ କରନ୍ତି ନାହିଁ କାମ

ଭୋପାଳ: ମଧ୍ୟପ୍ରଦେଶରେ ଏମିତି ଏକ ସଂପ୍ରଦାୟ ରହିଛି ଯେଉଁଠି ଝିଅ ଜନ୍ମକୁ ଆଶୀର୍ବାଦ ବୋଲି ବିବେଚନା କରାଯାଏ । ସାଧାରଣ ଭାବେ ପୁଅକୁ ପ୍ରାଧାନ୍ୟ ଦେଇ ଝିଅମାନଙ୍କୁ ଗୌଣ ମନେକରାଯାଉଥିବା ବେଳେ ଏହି ସଂପ୍ରଦାୟରେ ଝିଅ ଜନ୍ମକୁ ସ୍ୱାଗତ କରାଯାଏ। ଆପଣମାନେ ଭାବୁଥିବେ ଯାହା ହେଉ କେହି ହେଲେ ତ ଝିଅମାନଙ୍କୁ ଏତେ ସମ୍ମାନ ଏବଂ ଭଲ ପାଇବା ଦେଉଛି । କିନ୍ତୁ ଏତେ ସବୁ ବିଷୟରେ ଭାବିବା ପୂର୍ବରୁ ପ୍ରକୃତ କଥାଟି କ’ଣ ଜାଣି ନିଅନ୍ତୁ । ଝିଅ ବଡ଼ ହୋଇ ପୁରା ପରିବାରକୁ ଚଳାଉଥିବାରୁ ଏଠାରେ ଝିଅମାନଙ୍କୁ ଆଶୀର୍ବାଦ୍‌ ବୋଲି ପରିବାର ଲୋକେ ଭାବି ଥାଆନ୍ତି । ତେବେ ଆପଣ ଭାବୁଥିବେ ଏଥିରେ ଅସୁବିଧା ରହିଲା କେଉଁଠି? ଅସଲ କଥା ହେଉଛି, ଏଠାରେ ଲୋକମାନେ ନିଜ ଝିଅ ଏବଂ ଭଉଣୀଙ୍କୁ ରୋଜଗାର ପାଇଁ ଦେହ ବ୍ୟବସାୟରେ ଲଗାଇଥାଆନ୍ତି ।
ଆଇନ୍‌ ଅନୁସାରେ ଏହି କାମ ବେଆଇନ୍‌ ହୋଇଥିଲେ ମଧ୍ୟ ଏହାକୁ ଖୁଲମ୍‌ଖୁଲା ଚଳାଇ ଥାଆନ୍ତି ବନଚ୍ଛଦା ସଂପ୍ରଦାୟର ଲୋକେ । ମଧ୍ୟପ୍ରଦେଶର ନିମୁଚ୍‌-ମନ୍‌ସୌର ହାଇେଓ୍ଵ ଦେଇ ଯିବା ଭିତରେ ରାସ୍ତା କଡ଼ରେ ଏହି ସଂପ୍ରଦାୟର ମହିଳାମାନେ ବସିଥିବାର ଦେଖା ଯାଇଥାଏ । ଚକମକ ପୋଷାକ ଏବଂ ପୁରୁଷମାନଙ୍କୁ ଆକର୍ଷିତ କଲା ଭଳି ସଜବାଜ ହୋଇ ଗ୍ରାହାକମାନଙ୍କୁ ଅପେକ୍ଷା କରି ଥାଆନ୍ତି ଏହି ସଂପ୍ରଦାୟର ମହିଳା । ଏହି ବୃତ୍ତିକୁ କିଛି ଲୋକ ଖରାପ ନଜରରେ ଦେଖୁଥିଲେ ମଧ୍ୟ ଏହି ବୃତ୍ତି ସେମାନଙ୍କ ପାଇଁ ବଞ୍ଚିବାର ରାହା । ଏହି ସଂପ୍ରଦାୟର ପୁରୁଷମାନେ କିଛି କାମ ନ କରି ନିଜ ଝିଅ ଏବଂ ଭଉଣୀକୁ କେଉଁ ଗ୍ରାହକଙ୍କ ପାଖକୁ ପଠାଯିବ ତାହା ଠିକ୍‌ କରି ଥାଆନ୍ତି ।

indiatimes.com

କେବେ କେବେ ରାସ୍ତାରେ ଯାଉଥିବା ଟ୍ରକ ଚାଳକ ତ କେବେ ଅନ୍ୟ ଗାଁର ଯୁବକମାନେ ଆସି ଏହି ସଂପ୍ରଦାୟର ମହିଳାମାନଙ୍କ ସହ ସଂପର୍କ ରଖି ଥାଆନ୍ତି । ପରିବାର ଚଳାଇବା ପାଇଁ ଘରର ମୁରବୀ ନିଜ ସ୍ତ୍ରୀ, ଝିଅ ଏବଂ ଭଉଣୀକୁ ଏହି କାମରେ ଲଗାଇଥାଆନ୍ତି । ମହିଳାମାନଙ୍କ ପାଇଁ ଏହି ସଂପ୍ରଦାୟ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଥିବା ବେଳେ କାହା ଘରେ ଶିଶୁ କନ୍ୟା ଜନ୍ମ ନେଲେ ସେହି ଦିନଟିକୁ ଧୁମ୍‌ ଧାମ୍‌ରେ ପାଳନ କରି ଥାଆନ୍ତି ଏହି ସଂପ୍ରଦାୟ । ଝିଅକୁ ୧୨ ବା ୧୪ ବର୍ଷ ହେଲା ମାତ୍ରେ ସେମାନଙ୍କୁ ଦେହଜୀବୀ ସଜାଇ ଦିଆଯାଇଥାଏ। ଏହା ହିଁ ସେମାନଙ୍କ ରୋଜଗାରର ଏକମାତ୍ର ମାଧ୍ୟମ ହୋଇଥିବାରୁ ବିନା ଦ୍ୱିଧାରେ ମହିଳାମାନେ ଏହି କାମ କରିଥାଆନ୍ତି ।
ସୂଚନା ମୁତାବକ, ମଧ୍ୟପ୍ରଦେଶ ୩ଟି ଜିଲ୍ଲା(ନିମୁଚ୍‌, ରାଟ୍‌ଲାମ୍‌,ମାଣ୍ଡସର୍‌)ରେ ଥିବା ୭୫ଟି ଗାଁରେ ପ୍ରାୟ ୨୩,୦୦୦ଲୋକ ବସବାସ କରୁଛନ୍ତି । ସେଥି ମଧ୍ୟରେ ୬୫ ପ୍ରତିଶତ ମହିଳା ବୋଲି ଜଣା ପଡ଼ିଛି । ୨୦୧୫ରେ ମହିଳା ସଶକ୍ତିକରଣ ବିଭାଗ ତରଫରୁ ମଣ୍ଡସର୍‌ ଜିଲ୍ଲାରେ ଥିବା ୩୮ଗ୍ରାମରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରୁ ୨,୨୪୩ ମହିଳା ଏବଂ ୧୧୯୨ ପୁରୁଷ ଥିବା ଜଣା ପଡ଼ିଥିଲା । ଏଥିରୁ ଏହି ସଂପ୍ରଦାୟରେ ମହିଳାମାନଙ୍କୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ଦୁଃଖର କଥା ହେଲା ସେମାନେ ମହିଳାମାନଙ୍କୁ ସମ୍ମାନ ନ ଦେଇ ବେଆଇନ୍‌ କାମରେ ଲଗାଉଛନ୍ତି ।

ସମ୍ବନ୍ଧିତ ଖବର