ଏକାଧିକ ବିବାଦୀୟ ମାମଲାରେ ଫଶିଥିଲେ ଆଶୀର୍ବାଦ, ଗୋଡ଼ାଉଥିଲା ବିବାଦ

ପୁଅକୁ ଉତ୍ତରାଧିକାରୀ କରିବା ପାଇଁ ପଦବି ସ˚ଖ୍ୟା ବୃଦ୍ଧି

ଆଶୀର୍ବାଦଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ବଡ଼ ପୁଅ ସତ୍ୟବ୍ରତ ବେହେରା ଉପଯୁକ୍ତ ଥିଲେ। ଯେଉଁଥିପାଇଁ ତାଙ୍କୁ ଓସିଏ କର୍ମକର୍ତ୍ତା ତାଲିକାରେ ଭର୍ତ୍ତି କରାଇବା ପାଇଁ ଉପ ସଭାପତି ଓ ଯୁଗ୍ମ ସମ୍ପାଦକ ପଦବି ସ˚ଖ୍ୟା ବୃଦ୍ଧି କରାଯାଇଥିଲା। ପୂର୍ବରୁ ୮ ଉପ ସଭାପତି ଓ ୩ ଯୁଗ୍ମ ସମ୍ପାଦକ ରହୁଥିବାବେଳେ ୨୦୧୨ ନିର୍ବାଚନ ବେଳେ ଏହାର ସ˚ଖ୍ୟା ଯଥାକ୍ରମେ ୧୧ ଓ ୪କୁ ବଢାଇ ଦିଆଯାଇଥିଲା। ଯାହାଫଳରେ ସତ୍ୟବ୍ରତ ଯୁଗ୍ମ ସମ୍ପାଦକ ଭାବେ ୨୦୧୨ରୁ ଓସିଏରେ ସକ୍ରିୟ ଭାବେ ପ୍ରବେଶ କରିଥିଲେ। ୨୦୧୬ ନିର୍ବାଚନରେ ତାଙ୍କୁ ସମ୍ପାଦକ କରାଇବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ନିର୍ବାଚନ ବାତିଲ ହୋଇଯାଇଥିବାବେଳେ ଅସୁସ୍ଥତା କାରଣରୁ ସତ୍ୟବ୍ରତ ଓସିଏଠୁ ଦୂରେଇ ରହୁଥିଲେ। ଏରପିସ୍ଥଳେ ଚଳିତ ନିର୍ବାଚନରେ ସାନ ପୁଅ ସ˚ଜୟଙ୍କୁ ଓସିଏ ଚୌକି ଭେଟି ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ଖେଳାଳିଙ୍କ ବୟସ ଜାଲିଆତି

ରାଜ୍ୟର କନିଷ୍ଠ ଖେଳାଳିଙ୍କ ବୟସ ଜାଲିଆତି ଘଟଣାରେ ମଧ୍ୟ ଆଶୀର୍ବାଦ ସିବିଆଇ ସ୍କାନରରେ ରହିଥିଲେ। ଢେର ଅଧିକ ବୟସର ଖେଳାଳିମାନଙ୍କ ବୟସ କମ୍‌ ଦର୍ଶାଇ ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଖେଳାଯାଉଥିଲା। ଏସ˚ପର୍କରେ ବାରମ୍ବାର ବିସିସିଆଇ ପାଖରେ ଅଭିଯୋଗ କରାଯିବାରୁ ଓସିଏ ପକ୍ଷରୁ ଖେଳାଳିଙ୍କଠୁ ସତ୍ୟପାଠ ନିଆଯାଉଥିଲା। ତଥାପି ଦୁର୍ନୀତି ବନ୍ଦ ନହେବାରୁ ଅଭିଯୋଗ ସିବିଆଇ ପର୍ଯ୍ୟନ୍ତ ଯାଇଥିଲା। ଯାହାଫଳରେ ସିବିଆଇ ପକ୍ଷରୁ ଏକାଧିକ ଥର ଖେଳାଳିଙ୍କ ଜନ୍ମ ସ୍ଥାନ, ସିଏମ୍‌ସି, ଓସିଏ କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନରେ ଯାଞ୍ଚ କରାଯିବା ସହ ଅନେକ ଖେଳାଳି ଓ ଅଧିକାରୀଙ୍କୁ ଜେରା କରାଯାଇଥିଲା। ଏହି ମାମଲାର ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତେଣୁ ବୟସ ଜାଲିଆତି ମାମଲାରେ ଆଶୀର୍ବାଦ କୌଣସି ମୁହୂର୍ତ୍ତରେ ବି ଛନ୍ଦି ହେବା ସମ୍ଭାବନା ରହିଛି।

ପାରିବାରିକ ବ୍ୟବସାୟ ପାଲଟିଥିଲା

ବାରବାଟୀ ଷ୍ଟାଡିୟମର ଖେଳ ଦୁନିଆରେ ପାଦ ଥାପିବା ପରଠୁ ଧୀରେ ଧୀରେ ଏହା ବ୍ୟାବସାୟିକ କେନ୍ଦ୍ରରେ ପରିଣତ ହୋଇଥିଲା। ବାରବାଟୀ ପ୍ୟାଲେସ, ବାରବାଟୀ ଗେଷ୍ଟ ହାଉସ, ବାରବାଟୀ ଟ୍ରାଭେଲ୍ସ ଇତ୍ୟାଦି ନିର୍ମାଣ କରି ମୋଟା ଅଙ୍କର ଅର୍ଥ ହଡପ୍‌ କରି ଚାଲିଥିଲେ। ପ୍ୟାଲେସ ସହ ଅଲିମ୍ପିକ୍‌ ସ˚ଘର ଚୁକ୍ତି ହୋଇଥିଲେ ବି ସେହି ଅନୁସାରେ ଅର୍ଥ ଅଲିମ୍ପିକ୍‌ ଖାତାକୁ ଯାଉନଥିଲା। ଷ୍ଟାଡିୟମରେ ଯାହାବି ବଡ଼ ପ୍ରତିଯୋଗିତା ଆୟୋଜନ ହେଉଥିଲା, ସେତେବେଳେ ଖେଳାଳି କିମ୍ବା ମ୍ୟାଚ ପରିଚାଳନା ଅଧିକାରୀଙ୍କ ରହିବା ପାଇଁ ଗେଷ୍ଟ ହାଉସରେ ବ୍ୟବସ୍ଥା କରାଯାଉଥିଲା। ଯାହାର ଭଡ଼ା ବାବଦ ଟଙ୍କା ସ˚ପୃକ୍ତ ରାଜ୍ୟ ସ˚ଘରୁ ବେହେରା ପରିବାର ଖାତାକୁ ଆସି ଯାଉଥିଲା। ଆଶୀର୍ବାଦଙ୍କ ପତ୍ନୀଙ୍କ ନାମରେ ଟ୍ରାଭେଲ୍‌ ଏଜେନ୍ସି ଖୋଲାଯାଇଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ ସେହି ନିର୍ଦ୍ଧିଷ୍ଟ ଏଜେନ୍ସିରୁ ଗାଡ଼ି ଲଗାଯାଉଥିଲା ବୋଲି ଅଭିଯୋଗ ରହିଛି।

ଜମି କେଳେଙ୍କାରୀ

ବାରବାଟୀ ଷ୍ଟାଡିୟମ ସ˚ଲଗ୍ନ ୨୩ ଦୋକାନ ଘର, ବାରବାଟୀ ପ୍ୟାଲେସ ଓ ସରକାରୀ ଜମି ଜବରଦଖଲ ମାମଲାରେ ଆଶୀର୍ବାଦ ବେହେରା ଏବେବି ତଦନ୍ତ ପରିସରରେ ଅଛନ୍ତି। ପ୍ରଥମେ ଏହି ମାମଲାକୁ କ୍ରାଇମ୍‌ବ୍ରାଞ୍ଚ ହାତକୁ ନେଇଥିଲାବେଳେ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରିଥିଲା। ଏପରକି ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଆଶୀର୍ବାଦଙ୍କୁ ଭର୍ତ୍ସନା କରିବା ସହ ଅଲିମ୍ପିକ୍‌ ଆସୋସିଏସନ୍‌ଠୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଇଥିଲା। ଏହି ମାମଲାରେ ଆଶୀର୍ବାଦଙ୍କୁ ଏକାଧିକ ଥର ଜେରା କରାଯିବା ସହିତ ପୁଅ ଓ ଜ୍ବାଇଁଙ୍କୁ ମଧ୍ୟ ଜେରା କରାଯାଇଥିଲା। ଏବେବି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧିତ ଖବର