ଆଇଆଇଟି ଛାତ୍ରଙ୍କ ଅଭିନବ ଉଦ୍ଭାବନ: ବିନା ଜଳରେ ସ୍ନାନ ସଂଭବ

ଶୀତଦିନେ ବରଫ ପଡ଼ୁଥିବା ଅଞ୍ଚଳରେ ଲୋକେ ଗାଧେଇବାକୁ ଭଲପାଆନ୍ତିନାହିଁ। ବେଳେ ବେଳେ ଦିନ ଦିନ ଧରି ଅଗାଧୁଆ ରହନ୍ତି। ଏହା ସମୟେ ସମୟେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ‘ଦିଲ୍ଲୀ ଆଇଆଇଟି’ର କିଛି ଛାତ୍ର, ମଣିଷକୁ ଏଥିରୁ ରକ୍ଷା କରିବାର ଉପାୟ ବାହାରକରିଛନ୍ତି। ସେମାନେ ଏ ଭଳି ଏକ ରାସାୟନିକ ତିଆରିକରିବାରେ ସଫଳ ହୋଇଛନ୍ତି, ଯାହା ଦ୍ୱାରା ଦେହରେ ବୁନ୍ଦାଏ ବି ପାଣି ନ ପକାଇ, ସ୍ନାନର ସୁଫଳ ପାଇହେବ। ଏହି ରସାୟନକୁ ହାତରେ ନେଇ, ଶରୀରରେ ବୋଳି, ତଉଲିଆ ବା ଟିସୁ ପେପର୍‌ ଦ୍ୱାରା ପୋଛିଦେଲେ କାମ ଶେଷ। ଦେହରୁ ମଇଳା ବାହାରିଯିବ ଏବଂ ତାଜା ଲାଗିବ। ସାବୁନର ଏକ ମୁଖ୍ୟ ଉପାଦାନ ହେଉଛି ‘ସର୍‌ଫେକ୍‌ଟେଣ୍ଟ୍‌’। ଏହାକୁ ବିନା ପାଣିରେ ସଫା କରିବା ସଂଭବ ନୁହେଁ। ଆଉ ଆଇଆଇଟି ଛାତ୍ରମାନେ ଯେଉଁ ରସାୟନ ବନାଇଛନ୍ତି, ସେଥିରେ ଏହି ଉପାଦାନ ନାହିଁ। ତେଣୁ, ଦେହରେ ବୋଳିବା ପରେ ପାଣି ଦ୍ୱାରା ସଫା କରିବା ଅନାବଶ୍ୟକ। ବଜାରରେ ମିଳୁଥିବା ଶୁଷ୍କ ସାମ୍ପୁ ଓ ସାନିଟାଇଜର୍‌ରେ ଆଲ୍‌କୋହୋଲ୍‌ ଏବଂ ସଲ୍‌ଫର୍‌ ଥାଏ, ଯାହା ଏଥିରେ ନାହିଁ; ତେଣୁ, ପାର୍ଶ୍ୱ-ପ୍ରତିକ୍ରିୟାବିହୀନ। ଏହାର ପିଏଚ୍‌ ସନ୍ତୁଳିତ ଥିବାରୁ, ତ୍ୱଚାର ଆର୍ଦ୍ରତା ବଜାୟ ରହିବ। ଏହା ପନ୍ଦର ଜଣିଆ ଛାତ୍ର-ଗବେଷକ ଦଳର ତିନି ବର୍ଷର ଗବେଷଣାର ସୁଫଳ। ଏକ ଛୋଟ ବୋତଲ ଏହି ରସାୟନ ଦ୍ୱାରା ୩୫୦ ଲିଟର୍‌ ପାଣି ବଞ୍ଚାଯାଇପାରିବ।

ସମ୍ବନ୍ଧିତ ଖବର