ମହିଳାଙ୍କ ହଜି ଯାଇଥିବା ମନିପର୍ସ ଫେରାଇ ସୋସିଆଲ ମିଡିଆର ହିରୋ ବନିଲେ ଟ୍ରାଫିକ୍‌ ପୁଲିସ

ନୂଆଦିଲ୍ଲୀ: ଏମିିତି ଖୁବ୍‌ କମ୍‌ ଦେଖିବାକୁ ମିଳେ କି କୌଣସି ପୁଲିସକର୍ମୀ ସ୍ୱଇଚ୍ଛାରେ ସାଧାରଣ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବାର ଘଟଣା। ନିକଟରେ ବେଙ୍ଗାଲୁରୁରେ ରହୁଥିବା ଜଣେ ମହିଳାଙ୍କ ମନିପର୍ସ ହଜି ଯାଇଥିଲା। ସେହି ପର୍ସରେ ମହିଳାଙ୍କର ନଗଦ ଟଙ୍କା ସହିତ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ବି ଥିଲା।

ସୂଚନାଯୋଗ୍ୟ, ବେଙ୍ଗାଲୁରୁର କୋରମଙ୍ଗଳା ଅଞ୍ଚଳରେ ମହିଳାଙ୍କ ପର୍ସ ହଜି ଯାଇଥିଲା। ପର୍ସରେ ୫ହଜାର ଟଙ୍କାର, ଡେବିଟ କାର୍ଡ ଓ ଅନ୍ୟ ଦରକାରୀ କାଗଜପତ୍ର ମଧ୍ୟ ଥିଲା। ମହିଳାଙ୍କ ହଜିଯାଇଥିବା ଏହି ପର୍ସକୁ ମାର୍ଚ୍ଚ ୭ ତାରିଖରେ କାମ କରୁଥିବା ଜଣେ ଟ୍ରାଫିକ୍‌ ପୁଲିସ ସନ୍ଧ୍ୟା ୮ଟା ସମୟରେ ପାଇଥିଲେ। ଟ୍ରାଫିକ୍‌ ପୁଲିସ ଏହି ପର୍ସ ନିଜ ପାଖରେ ରଖି ଦେଇଥିଲେ। ଯଦି ଏହାକୁ ଖୋଜି ଖୋଜି କେହି ଆସେ ତେବେ ସେ ଏହି ପର୍ସ ତାଙ୍କୁ ଫେରାଇ ଦେବେ ବୋଲି ଭାବିଥିଲେ। ପାଖାପାଖି ରାତି ୧୦ଟା ସମୟରେ ଜଣେ ମହିଳା ହଜି ଯାଇଥିବା ପର୍ସ ଖୋଜି ଖୋଜି ସେହି ଟ୍ରାଫିକ ୍‌ପୁଲିସ ନିକଟକୁ ଆସିଥିଲେ ଏବଂ ପର୍ସ ହଜି ଯାଇଥିବା ସମ୍ପର୍କରେ କହିଥିଲେ। ଏହା ପରେ ଟ୍ରାଫିକ୍‌ ପୁଲିସ ଜଣକ ମହିଳାଙ୍କୁ ସେହି ପର୍ସ ଫେରାଇ ଦେଇଥିଲେ।

 

ତେବେ ଏହି ଘଟଣାକୁ ନେଇ ଅଡୁଗୋଡି ଟ୍ରାଫିକ୍‌ ପୁଲିସ ଟୁଇଟରରେ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏରେ ପୁଲିସ କର୍ମୀ ମହିଳାଙ୍କୁ ପର୍ସ ଫେରାଉଥିବାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଏକ ଫଟୋରେ ସେହି ପର୍ସରେ ଥିବା ଟଙ୍କା ଦେଖିବାକୁ ମିଳୁଛି। ମହିଳାଙ୍କ ସାହାଯ୍ୟ କରିଥିବା ଏହି ପୁଲିସକର୍ମଚାରୀଙ୍କ ନାମ ପିସି ଶାନ୍ତକୁମାର ବୋଲି ଜଣାପଡ଼ିଛି।

ଅଡୁଗୋଡି ଟ୍ରାଫିକ୍‌ ପୁଲିସ ଟୁଇଟ କରିବା ପରେ ଉକ୍ତ ମହିଳା ମଧ୍ୟ ନିଜ ଟୁଇଟରରେ ଏହି ଘଟଣାକୁ ସେୟାର କରିଥିଲେ। ଯାହାଫଳରେ ସୋସିଆଲ ମିଡିଆରେ ଲୋକମାନେ ଏହି ଟୁଇଟକୁ ସେୟାର କରି ପୁଲିସକର୍ମୀଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି। ଟ୍ରାଫିକ୍‌ ପୁଲିସ ତାଙ୍କର ଏଭଳି କାମ ପାଇଁ ସୋସିଆଲ ମିଡିଆରେ ହିରୋ ବନି ଯାଇଛନ୍ତି।

ସମ୍ବନ୍ଧିତ ଖବର