ବାହାଘର ବେଦିରେ କାନ୍ଦିଥିଲେ ଭବାନୀ ବାବୁ

ଭବାନୀ ବାବୁ ଜେଲ୍‌ରୁ ମୁକ୍ତ ହୋଇ ଗାନ୍ଧୀଜୀଙ୍କ ଗ୍ରାମସ୍ବରାଜ ପ୍ରତିଷ୍ଠା ପାଇଁ ଓଡ଼ିଶାର ଗାଁ ଗହଳି ବୁଲି ଲୋକଙ୍କୁ ବୁଝାଉଥାଆନ୍ତି। ସେତେବେଳେ ତାଙ୍କୁ ବୟସ ୨୬। ତାଙ୍କ ପାଇଁ ବାହାଘର ପ୍ରସ୍ତାବ ଆସିଲା। ବସନ୍ତ ମଞ୍ଜରୀ ଦେବୀଙ୍କ ସହ ତାଙ୍କର ବାହାଘର ତାରିଖ ୧୯୪୮ ମସିହା ଜାନୁଆରି ୩୦ ତାରିଖ ସ୍ଥିର ହେଲା। ସେତେବେଳକୁ ବସନ୍ତଙ୍କୁ ୧୮ ବର୍ଷ। ବିବାହ କର୍ମ ଅଧା ସରିଯାଇଥାଏ। ହଠାତ୍ ଜଣେ ଆସି ଖବର ଦେଲେ ଗାନ୍ଧୀଜୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିବାହ ବେଦିରେ ଏହି ଅପ୍ରତ୍ୟାଶିତ କଥା ଶୁଣି ସେ ଭୋ ଭୋ ହୋଇ କାନ୍ଦି ବେଦିରୁ ଉଠି ଆସିଲେ। ବିବାହ ହୋଇପାରିବ ନାହିଁ ବୋଲି ରୋକଠୋକ୍‌ ଜଣାଇଦେଲେ। ମାତ୍ର ସଂଗ୍ରାମୀ ବନ୍ଧୁମାନେ ବୁଝାଇବା ପରେ ଯେନତେନ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ବେଦିରେ ବର-କନ୍ୟା ଗାନ୍ଧୀଜୀଙ୍କୁ ହରାଇବା ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି କାନ୍ଦି ବିବାହ କରିଥିଲେ।

ବଡ଼ ଲୋକଙ୍କ ପ୍ରଭାବ
ଭବାନୀ ବାବୁ ନିଜ ଜୀବନୀ ପୁସ୍ତକରେ ଦେଇଥିବା ମତ ମୁତାବକ, ତାଙ୍କ ମନରେ ଦେଶ ପ୍ରେମ ଭାବନା ଝାପ୍‌ସା ଭାବେ ଥିଲା। ଜେଲ୍‌ରେ ରହିଲା ପରେ ଆଚାର୍ଯ୍ୟ ହରିହର ଓ ନବବାବୁଙ୍କ ପ୍ରଭାବରେ ତାଙ୍କ ମନରେ ସେବାଭାବ ଜାଗ୍ରତ ହୋଇଥିଲା। ବିଜୁ ବାବୁଙ୍କ ଯୋଗୁଁ ତାଙ୍କ ଭିତରେ ସାହସିକତା ବିକାଶ ହୋଇଥିଲା। ଉପେନ୍ଦ୍ର ବାବୁଙ୍କ ଯୋଗୁଁ ଭକ୍ତିଭାବ ସୃଷ୍ଟି ହୋଇଥିଲା।

ହରେକୃଷ୍ଣ ମହତାବଙ୍କ ସହ ଯୁକ୍ତି
ହରେକୃଷ୍ଣ ମହତାବଙ୍କ ସହ ମତଭେଦ ଯୋଗୁଁ ବୀରେନ ମିତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ। ତେଣୁ ତାଙ୍କ ସ୍ଥାନରେ ମହତାବ ରାଜକୃଷ୍ଣ ବୋଷଙ୍କୁ ସଭାପତି କରିବା ପାଇଁ ସୁପାରିସ କଲେ। ମାତ୍ର ବିଭିନ୍ନ ଜିଲ୍ଲାର କଂଗ୍ରେସ କମିଟି ସଭ୍ୟ ଭବାନୀ ବାବୁଙ୍କ ନାମ ସୁପାରିସ କଲେ। ମହତାବଙ୍କ ମତ ବିରୋଧରେ କିଛି କଂଗ୍ରେସ କର୍ମୀ ମତ ଦେବାରୁ ମହତାବଙ୍କ ପାଟିରୁ ବାହାରି ଆସିଥିଲା, କଂଗ୍ରେସରେ କ’ଣ ଚାକର ପୂଜାରୀ ବି ସଭାପତି ହେବେ? ଏକଥା ଭବାନୀ ବାବୁଙ୍କୁ ଖୁବ୍‌ ବାଧିଲା। ସେ ଠିଆ ହୋଇ ପଡ଼ି କହିଲେ, ମୁଁ ଆପଣଙ୍କ ପ୍ରାର୍ଥୀ ବିରୋଧରେ ଛିଡ଼ା ହେବି। ଯଦି ମୁଁ ହାରିଯାଏ, ତେବେ ଜାଣିଛି, ଆପଣ ମୋର କ’ଣ କ୍ଷତି କରିବେ। କିନ୍ତୁ ଯଦି ମୁଁ ଜିତିଯାଏ ତେବେ ଆପଣ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦେବେ। ଏହା ଶୁଣି ହରେକୃଷ୍ଣ ମହତାବ ବସିବା ସ୍ଥାନରୁ ଉଠି ପଳାଇଥିଲେ। ମାତ୍ର ଶେଷରେ ଭବାନୀ ବାବୁ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଲେ। ମହତାବ ବାବୁ କଂଗ୍ରେସ ଭବନକୁ ଦଉଡ଼ି ଆସି କହିଲେ, ଭବାନୀ ମୋ ପୁଅ ଭିଳ। ମୁଁ ତାକୁ ଖୁବ୍‌ ଭଲ ପାଏ। ମୁଁ ଜାଣିଥି‌ଲି ଯେ ସେ କେବେ ବି ମୋ ବିରୋଧରେ ଯିବ ନାହିଁ।

ସାଙ୍ଗକୁ ମେଳି କରି ବାରବାଟୀ ପଡ଼ିଆକୁ ଦଖଲକୁ ନେଲେ
ସେତେବେଳେ ପୁରୀ-ଗଞ୍ଜାମ ଜିଲ୍ଲା ଜଜ୍‌ଙ୍କ ଦ୍ବାରା ଇଷ୍ଟେଟ୍‌ର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଗିରୀଶ ଚନ୍ଦ୍ର ଚକ୍ରବର୍ତୀ କମନ ମ୍ୟାନେଜର୍‌ ଭାବେ ନିଯୁକ୍ତ ହୋଇଥାଆନ୍ତି। ଯଦିଓ କିଛି ବିକାଶମୂଳକ କାମ ସେ କରିଥିଲେ, କିନ୍ତୁ ଅହମିକା ଓ ସ୍ବେଚ୍ଛାଚାରିତା ଯୋଗୁଁ ଲୋକେ ‌ତାଙ୍କୁ ଭୟ କରୁଥିଲେ। ସେ ଖରାଛୁଟି ସମୟରେ ଜୁବୁଲି ହାଇସ୍କୁଲ୍‌ ପଡ଼ିଆ ଚାରିପଟେ ବାଡ଼ ଘେରାଇ ‌ଦଖଲ ନେଇଗଲେ। ସେତେବେଳେ ଭବାନୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥାଆନ୍ତି। ଖରାଛୁଟି ପରେ ସ୍କୁଲ୍‌କୁ ଆସି ଯେବେ ଖେଳ ପଡ଼ିଆରେ ବାଡ଼ଘେରା ହୋଇଥିବା ଦେଖିଲେ, ଛାତ୍ର, ଶିକ୍ଷକ ଓ ଅଭିଭାବକ ହତାଶ ହୋଇପଡ଼ିଲେ। ଭବାନୀ କିନ୍ତୁ ଛାଡ଼ିବା ପିଲା ନଥିଲେ। ସେ ସାଙ୍ଗମାନଙ୍କୁ ମେଳି କରି ନିମାପଡ଼ାର କଂଗ୍ରେସ ନେତା ମୋହନ ଦାଶଙ୍କୁ ଭେଟିଲେ। ପିଲାମାନଙ୍କ ପ୍ରତି ଅନ୍ୟାୟ ହୋଇଥିବାରୁ ସେ ନିଜ ସମର୍ଥକଙ୍କୁ ନେଇ ବାରବାଟୀ ପଡ଼ିଆକୁ ଆସିଲେ। ଏପଟେ ଭବାନୀ ମଧ୍ୟ ଛାତ୍ରମାନଙ୍କୁ ଏକାଠି କରି ଉପସ୍ଥିତ ଥିଲେ। ସମସ୍ତେ ମିଶି ବାଡ଼ ଭାଙ୍ଗି ଖେଳ ପଡ଼ିଆକୁ ଦଖଲକୁ ନେଲେ।

ଦୈନିକ ୨ଶହ ବନ୍ଦୀଙ୍କ ପାଇଖାନା ସଫା କରୁଥିଲେ
ଜେଲ୍‌ରେ ଥିବା ବେଳେ ଜେଲ୍ କର୍ତୃପକ୍ଷଙ୍କ ମନୋଭାବକୁ ଲକ୍ଷ୍ୟ କରି ସଂଗ୍ରାମୀମାନେ ନିଜ କାମ ନିଜେ କରିବା ପାଇଁ ସ୍ଥିର କଲେ। ସେତେବେଳ ଜେଲ୍‌ ମଧ୍ୟରେ ବହୁ ବନ୍ଦୀଙ୍କ ପାଇଁ ଟୁକୁଲି ପାଇଖାନା ଥିଲା। ଭବାନୀ ପ୍ରତିଦିନ ଜେଲ୍‌ ମଧ୍ୟରେ ୨ଶହ ଜଣ ବନ୍ଦୀଙ୍କ ପାଇଖାନା ସଫା କରୁଥିଲେ। ନିଜେ ରୋଷେଇ କରିବା ମଧ୍ୟ ସେ ଶିଖିଗଲେ। ପୁରୀ ଜେଲ୍‌ରେ ପ୍ରାୟ ଅଢ଼େଇ ବର୍ଷ ରହିବା ପରେ ତାଙ୍କୁ କଟକ ଜେଲ୍‌କୁ ନିଆଯାଇଥିଲା। ଜେଲ୍‌ରେ ସେ ପ୍ରାୟ ୨୦ କେଜି ସୂତା କାଟିଥିଲେ। ମୋଟ ୩ ବର୍ଷ ୧୦ମାସ ଜେଲ୍ ଦଣ୍ଡାଦେଶ ହୋଇଥିବା ବ‌େଳେ ୫୦ ଟଙ୍କା ଜରିମାନା ହୋଇଥିଲା। ୧୯୪୬ ମେ’ ପହିଲା‌ରେ ସେ କଟକ ଜେଲ୍‌ରୁ ମୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର