ଶ୍ରୀରାମଙ୍କ ବନବାସ କାଳରେ କାହିଁକି ଥରେ ମାତ୍ର ରଥରେ ଯାଇଥିଲେ ଭରତ ?

ସ୍ୱୟଂ ପରଂବ୍ରହ୍ମ ପରମାତ୍ମା ଯେତେବେଳେ ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ରୂପରେ ଅବତାର ଗ୍ରହଣ କରିଲେ, ସେତେବେଳେ ମନୁ-ଶତରୂବୀଙ୍କୁ ପ୍ରଦତ୍ତ ବରଦାନ ଅନୁଯାୟୀ ତାଙ୍କର ରୂପରେ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ମଧ୍ୟ ଅବତରିତ ହୋଇଥିଲେ ।
ଅଂଶ ସ୍ୱରୂପ ଏହି ତିନି ଭ୍ରାତା ପ୍ରଭୁ ଶ୍ରୀରାମଙ୍କର ଅନନ୍ୟ ଭକ୍ତ ଥିଲେ । ଯଦିଓ ଏମାନଙ୍କ ଭକ୍ତିର ସ୍ୱରୂପ ଭିନ୍ନ ଭିନ୍ନ ଥିଲା । ଲକ୍ଷ୍ମଣ ପ୍ରଭୁଙ୍କର କୀର୍ତ୍ତିରୂପୀ ପତାକାକୁ ଧରିଥିବା ବେଳେ ଭରତ ପ୍ରଭୁଙ୍କ ପାଦପଦ୍ମର ଭ୍ରମର ଥିଲେ । ଶତ୍ରୁଘ୍ନ ଶ୍ରୀରାମଭକ୍ତ ଭରତଙ୍କର ଅନୁଗାମୀ ଥିଲେ ।

ବନବାସ ସମୟରେ ଭରତ ନନ୍ଦିଗ୍ରାମରେ ତପସ୍ୱୀ ବେଶରେ ରହିଲେ ଏବଂ ସେତେବେଳେ ଅଯୋଧ୍ୟାର ରାଜକାର୍ଯ୍ୟ ବୁଝିଲେ ଶତ୍ରୁଘ୍ନ । ଶତ୍ରୁଘ୍ନ ଙ୍କୁ ରାଜବେଶ ଧାରଣ କରିବା ଭଲ ଲାଗୁ ନଥିଲା, କିନ୍ତୁ ରାଜମହଲରେ ମାତାଙ୍କ ସମ୍ମୁଖରେ ସର୍ବଦା ରହିବାକୁ ପଡୁଥିବା ଯୋଗୁଁ ଏଭଳି ବେଶ ଧାରଣ କରିବାକୁ ପଡୁଥିଲା । ତପସ୍ୱୀ ବେଶରେ ସେ ରହିଲେ ମାତା ଦୁଃଖୀ ହେବେ । ଏହି କାରଣରୁ ତୀବ୍ର ଅନିଚ୍ଛା ସତ୍ତ୍ୱେ ଶତ୍ରୁଘ୍ନ ରାଜପାଟ ଧାରଣ କରିଥିଲେ ।

ଭରତ ଏକଦମ୍‌ ଭିନ୍ନ ଥିଲେ । ସେ ନିଜର କର୍ତ୍ତବ୍ୟ ପ୍ରତି ସର୍ବଦା ଜାଗ୍ରତ ଥିଲେ । ସେ ରାଜ୍ୟ ଦେବା ପାଇଁ ଦୃଢତା ପୂର୍ବକ ମନା କରି ଦେଇଥିଲେ ଏବଂ ନିଷ୍ପତ୍ତି ନେଇ ଚିତ୍ରକୂଟ ଯିବେ । ତାଙ୍କର ବିଶ୍ୱାସ ଥିଲା ଯେ ପ୍ରଭୁ ଶ୍ରୀରାମଙ୍କୁ ଅଯୋଧ୍ୟା ଫେରାଇ ଆଣି ପାରିବେ ଏବଂ ପ୍ରଭୁଙ୍କ ହାତରେ ଅଯୋଧ୍ୟାର ମଧ୍ୟ ବାଗ୍‌ଡୋର ସର୍ମପି ଦେବେ । ତାଙ୍କ ସହିତ ରାଜ ପରିବାର, ଗୁରୁ ବଶିଷ୍ଠ ଓ ପ୍ରଜାଗଣ ମଧ୍ୟ ଯିବାକୁ ପ୍ରସ୍ତୁତ ହୋଇଥିଲେ । ଭରତଙ୍କ ବିଶ୍ୱାସ ଯେ ଏସମସ୍ତ ସଂପତ୍ତି ରାମଙ୍କର ଏବଂ ଏହାର ସମୁଚିତ ପରିଚାଳନା ଆବଶ୍ୟକ ।

photo-pinterest

ମାତାଗଣ ଶ୍ରୀରାମଙ୍କ ବନବାସରେ ଦୁଃଖୀ ଥିଲେ । ସେମାନଙ୍କ ପାଇଁ ରାସ୍ତାରେ ଯାନରେ ଚାଲି କରିଯିବା ଦୁଷ୍କର ଓ କଷ୍ଟପ୍ରଦ ଅଟେ – ଏହା ଚିନ୍ତା କରି ଭରତ ସେମାନଙ୍କ ପାଇଁ ପାଲିଙ୍କିର ବ୍ୟବସ୍ଥା କରାଇଲେ, କିନ୍ତୁ ନିଜେ ଶ୍ରୀରାମଙ୍କ ଭଳି ପାଦରେ ଚାଲିଲେ । ତାଙ୍କର ପଦଚାରଣ ଦେଖି ଅନ୍ୟମାନେ ମଧ୍ୟ ବାହନ ତ୍ୟାଗ କଲେ । ଏହା ଦେଖି ମାତା କୌଶଲ୍ୟା ଭରତଙ୍କୁ ରଥରେ ବସିଯିବା ପାଇଁ କହିଲେ । ଏଣୁ ଉଦାରମନା ଭରତ ଓ ମାତାଙ୍କ ନିବେଦନକୁ ରକ୍ଷା କରି ରଥରେ ଯାଇଥିଲେ ।

ସମ୍ବନ୍ଧିତ ଖବର