ପାଣ୍ଡବ ପତିମାନଙ୍କୁ ବଧ କରିବାର ପ୍ରତିଜ୍ଞା କରି ଦ୍ରୌପଦୀଙ୍କୁ ଅହିସୁଲକ୍ଷଣୀ ଆଶୀର୍ବାଦ ଦେଲେ ଭୀଷ୍ମ, କେମିତି ରଖିଲେ ନିଜ କଥା?

ମହାଭାରତ ପଢ଼ିଥିବେ କି ଟିଭିରେ ଦେଖିଥିବେ ଯଦି ଏ ବିଷୟରେ ଆପଣଙ୍କର ଅଳ୍ପ ବହୁତ ଜ୍ଞାନ ନିଶ୍ଚୟ ଥିବ। ମାୟାବୀ ଶ୍ରୀକୃଷ୍ଣ କିପରି ଭାବେ ପ୍ରତ୍ୟେକ ମୁହୂର୍ତ୍ତରେ ପାଣ୍ଡବଙ୍କୁ ରକ୍ଷା କରନ୍ତି ତାହା ତ ଆପଣ ଜାଣିଥିବେ। ସେ ତାଙ୍କ ମାୟା ବଳରେ ହିଁ ପାଣ୍ଡବ ପାଞ୍ଚ ଭାଇ ଉପରକୁ ଆସୁଥିବା ମହା ମହା ବିପଦଙ୍କୁ ଟାଳି ଦେଇପାରି ଥିଲେ।

ଆପଣ ଯଦିଓ ପିତାମହ ଭୀଷ୍ମଙ୍କ ବିଷୟରେ ଅନେକ କିଛି ଜାଣିଥିବେ ତଥାପି ଆମେ କହି ରଖୁଛୁ କି ଭୀଷ୍ମ ହେଉଛନ୍ତି ମହା ଯୋଦ୍ଧା। ପାଣ୍ଡବ ପାଞ୍ଚ ଭାଇଙ୍କୁ ବଧ କରିବା ପାଇଁ ସେ ଏକୁଟିଆ ଯଥେଷ୍ଟ ଥିଲେ। ସେ ଉଭୟ ପାଣ୍ଡବ ଓ କୌରବଙ୍କ ପିତାମହ। ହେଲେ ସେ ଯୁଦ୍ଧ ସମୟରେ କୌରବ ପକ୍ଷରେ ଥିଲେ। ଦିନେ ପିତାମହ ପାଣ୍ଡବମାନଙ୍କୁ ବଦ୍ଧ କରିବା ପାଇଁ ପ୍ରତିଜ୍ଞା ନେଲେ। ରାତି ପାହିଲେ ହେବ ଯୁଦ୍ଧ। ପାଣ୍ଡବ ପାଞ୍ଚ ଭାଇଙ୍କୁ ବଧ କରିବା ପାଇଁ ପିତାମହଙ୍କ ଶପଥରେ ଭୟଭୀତ ହୋଇଗଲେ ସଖା ଶ୍ରୀକୃଷ୍ଣ। ଭୀଷ୍ମଙ୍କ ପ୍ରତିଜ୍ଞା କେବେ ବୃଥା ଯିବନି। କେମିତି ବଞ୍ଚାଇବେ ନିଜର ପ୍ରିୟ ପାଞ୍ଚ ଜଣ ସଖାଙ୍କୁ, ଚିନ୍ତାରେ ପଡ଼ିଗଲେ କୃଷ୍ଣ। ଏତିକିବେଳେ ତାଙ୍କ ମୁଣ୍ଡରେ ଏକ ଉପାୟ ଠୁକିଲା।

ଶ୍ରୀକୃଷ୍ଣ ସଖୀ ଦ୍ରୌପଦୀଙ୍କୁ ନିଜ ସାଙ୍ଗରେ ଯିବା ପାଇଁ ଡାକିଲେ। ଦୌପଦୀ ବି କୃଷ୍ଣଙ୍କ କଥା ରଖି ତାଙ୍କ ସହ ଘରୁ ବାହାରି ଗଲେ। କୃଷ୍ଣ ପହଞ୍ଚିଲେ ପିତାମହ ଭୀଷ୍ମଙ୍କ ତମ୍ବୁ ବାହାରେ। କୃଷ୍ଣ ଦୌପଦୀଙ୍କୁ କହିଲେ ଯାଇ ଭୀଷ୍ମଙ୍କୁ ପ୍ରଣାମ କର। କୃଷ୍ଣ ବାହାରେ ଅପେକ୍ଷା କରି ରହିଲେ। ଦୌପଦୀ ତମ୍ବୁ ଭିତରକୁ ଗଲେ। ପିତାମହ ଭୀଷ୍ମ ଶୋଇଥାନ୍ତି। ପାଦ ଛୁଇଁଲେ ଦ୍ରୌପଦୀ। ଆଖି ବୁଜିଥିବା ଅବସ୍ଥାରେ ଭୀଷ୍ମ କହି ପକାଇଲେ ଯେ ଅହିସୁଲକ୍ଷଣୀ ଭବ। ଆଖି ଖୋଲିବା ମାତ୍ରେ ଚମକି ପଡ଼ିଲେ ଭୀଷ୍ମ। ରାତି ପାହିଲେ ପାଞ୍ଚ ଜଣ ପାଣ୍ଡବଙ୍କୁ ବଧ କରିବାକୁ ଶପଥ ନେଇଛନ୍ତି। ଅଜାଣତରେ ସେମାନଙ୍କ ପତ୍ନୀଙ୍କୁ ଦେଇ ଦେଲେ ଅହିସୁଲକ୍ଷଣି ଆଶୀର୍ବାଦ। କେମିତି କରିବେ ଏପରି ଏକ ବିଷମ ସମସ୍ୟାର ସମାଧାନ। ସଙ୍ଗେ ସଙ୍ଗେ ତାଙ୍କ ମୁଣ୍ଡରେ ଠୁକିଲା ଯେ ଏପରି ବୁଦ୍ଧି ଭଗବାନ ଶ୍ରୀକୃଷ୍ଣଙ୍କର ହୋଇପାରେ। ସେ ଦୌପଦୀଙ୍କୁ ପ୍ରଶ୍ନ କଲେ ବାହାରେ ଶ୍ରୀକୃଷ୍ଣ ଅଛନ୍ତି କି? ଦ୍ରୌପଦୀ ହଁ କହିଁଲେ।

ଭୀଷ୍ମ ବାହାରକୁ ଯାଇ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କଲେ। ତାପରେ ଶ୍ରୀକୃଷ୍ଣଙ୍କୁ କହିଲେ, ‘ଏପରି ଅସୁବିଧାରେ ମୋତେ ଆପଣ ପକାଇଛନ୍ତି ଏହାରେ ସମାଧାନ ବାଟ ବି ଆପଣ କାଢ଼ନ୍ତୁ। କୁହନ୍ତୁ କିପରି ମୁଁ ମୋ କଥା ରଖିପାରିବି। କାଲି ଅସ୍ତ୍ର ଧରି ଯୁଦ୍ଧ କ୍ଷେତ୍ରରେ ପହଞ୍ଚିବି। ଅସ୍ତ୍ର ଧରି ଛଳନା କରିବା ପାପ। ମୁଁ ପାଣ୍ଡବଙ୍କୁ ଅବଶ୍ୟ ବଧ କରିବାକୁ ଚାହିଁବି। ଦୌପଦୀଙ୍କୁ ଦେଇଥିବା ଆଶୀର୍ବାଦ କିପରି ଫଳପ୍ରଦ ହେବ ମୋତେ କୁହନ୍ତୁ।’

ଶ୍ରୀକୃଷ୍ଣ ସ୍ମିତ ହାସ୍ୟ ଦେଇ ଭୀଷ୍ମଙ୍କୁ ଏକ ଅଭିଶାପ ବିଷୟରେ ମନେ ପକାଇ ଦେଲେ। ପୂର୍ବରୁ କଥାଟିଏ ଥିଲା ଯେ ଭୀଷ୍ମ ଯଦି ସାମ୍ନାରେ କେଉଁ ନାରୀକୁ ଦେଖନ୍ତି ତେବେ ସେ ସର ତ୍ୟାଗ କରିବେ। ସେହି କଥାର ଫାଇଦା ଉଠାଇଲେ ଶ୍ରୀକୃଷ୍ଣ। କହିଲେ, ‘ଆପଣ ଯୁଦ୍ଧ ପାଇଁ ବାହାରିବେ ମାତ୍ର ଆପଣଙ୍କୁ ଯୁଦ୍ଧ ନକରାଇ ଦେବା ଦାୟିତ୍ୱ ମୋର।’

ପରଦିନ ପିତାମହ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ। ଠିକ୍‌ ସେତିକି ସମୟରେ ଶ୍ରୀକୃଷ୍ଣ ଶ୍ରୀଖଣ୍ଡିକୁ ଭୀଷ୍ମଙ୍କ ସମ୍ମୁଖକୁ ପଠାଇ ଦେଲେ। ଅଧା ନାରୀକୁ ଦେଖିବା ପରେ ଭୀଷ୍ମ ସର ଛାଡ଼ିଦେଲେ। ଏମିତି ହୋଇଥିଲା ସମସ୍ୟାର ସମାଧାନ।

ସମ୍ବନ୍ଧିତ ଖବର