କ’ଣ ଥିଲା ଭୀଷ୍ମଙ୍କ ପ୍ରତିଜ୍ଞା, କାହିଁକି ‘ଭୀଷ୍ମ ପ୍ରତିଜ୍ଞା’ ଦୁନିଆର ସବୁଠାରୁ ବଡ଼ ପ୍ରତିଜ୍ଞା

ଏକଦା ହସ୍ତିନାପୁରର ମହାରାଜ ପ୍ରତୀପ ଗଙ୍ଗାନଦୀ କୂଳରେ ତପସ୍ୟା କରୁଥିଲେ। ତାଙ୍କର ରୂପରେ ମୁଗ୍ଧ ହୋଇ ଗଙ୍ଗା ଆସି ତାଙ୍କ ଡାହାଣ ଜଙ୍ଘରେ ବସିଗଲେ ଏବଂ ପ୍ରତୀପଙ୍କୁ ବିବାହ ପ୍ରସ୍ତାବ ଦେଲେ। ମାତ୍ର ଡାହାଣ ଜଙ୍ଘରେ ବସିଥିବାରୁ ପ୍ରତୀପ ତାଙ୍କ ପ୍ରସ୍ତାବକୁ ଉପାଖ୍ୟାନ କଲେ। କହିଲେ ଯେ ‘ପତ୍ନୀଙ୍କ ସ୍ଥାନ ବାମରେ ଏବଂ ପୁତ୍ର ସ୍ଥାନ ଡାହାଣରେ। ତୁମେ ମୋ ଡାହାଣ ଜଙ୍ଘରେ ବସିଥିବାରୁ ମୁଁ ତୁମକୁ ପତ୍ନୀ ନୁହେଁ ବରଂ ପୁତ୍ରବଧୂ ଭାବେ ସ୍ୱୀକାର କରୁଛି।’ ଏକଥା ଶୁଣିବା ପରେ ଗଙ୍ଗା ଉଭାନ ହୋଇଗଲେ।

ନିଜର ବଚନ ରକ୍ଷା କରିବା ପାଇଁ ପୁତ୍ର ପ୍ରାପ୍ତି ଆଶାରେ ମହାରାଜ ପ୍ରତୀପ ତପ ଆରମ୍ଭ କଲେ। ତାଙ୍କ ତପ ବଳରେ ତାଙ୍କୁ ଏକ ପୁତ୍ର ସନ୍ତାନ ପ୍ରାପ୍ତ ହେଲା, ଯାହାଙ୍କ ନାମ ରଖାଗଲା ଶାନ୍ତନୁ। ପିତ୍ରୁ ବଚନକୁ ସମ୍ମାନ ଦେଇ ଶାନ୍ତନୁ ପ୍ରାପ୍ତ ବୟସରେ ଉପନୀତ ହେବା ପରେ ଗଙ୍ଗାଙ୍କୁ ଯାଇ ବିବାହ ପ୍ରସ୍ତାବ ଦେଲେ। ଗଙ୍ଗାଙ୍କର କିନ୍ତୁ ଶାନ୍ତନୁଙ୍କ ପ୍ରତି କୌଣସି ଆକର୍ଷଣ ନ ଥାଏ। ତେଣୁ ସେ କୌଶଳ କରି ଏକ ସର୍ତ୍ତ ରଖିଲେ। ଗଙ୍ଗାଙ୍କ ସର୍ତ୍ତ ଥିଲା,‘ ମୁଁ ଆପଣଙ୍କୁ ସେତେବେଳେ ବିବାହ କରିବି ଯଦି ଆପଣ ମୋର କୌଣସି କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ ମୋତେ ବଚନ ଦିଅନ୍ତି।’

ଗଙ୍ଗାଙ୍କ ସର୍ତ୍ତ ସ୍ୱୀକାର କରି ଶାନ୍ତନୁ ଗଙ୍ଗାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ। ସେମାନଙ୍କ ଔରସରୁ ଜଣେ ପରେ ଜଣେ ସାତ ପୁତ୍ର ଜାତ ହେଲେ। ଗଙ୍ଗା ଜଣ ଜଣ କରି ସେ ସବୁ ପୁତ୍ରଙ୍କୁ ନେଇ ନଦୀରେ ଭସାଇ ଦେଲେ। ଶାନ୍ତନୁ ସେତେବେଳକୁ ଅତ୍ୟନ୍ତ ଦୁଃଖି ହୋଇସାରିଥାନ୍ତି। ନିଜ ପୁତ୍ରମାନଙ୍କ ବିୟୋଗରେ ଭାଙ୍ଗି ପଡ଼ିଥାନ୍ତି। ସେହି ସମୟରେ ଗଙ୍ଗା ଅଷ୍ଟମ ପୁତ୍ରଙ୍କୁ ଜନ୍ମ ଦେଲେ। ପ୍ରତିଥର ପରି ଏଥର ବି ଗଙ୍ଗା ଅଷ୍ଟମ ପୁତ୍ରକୁ ନେଇ ନଦୀରେ ଭସାଇବାକୁ ଯାଉଥାନ୍ତି, ଶାନ୍ତନୁ ଅଟକାଇ ଦେଲେ। ଗଙ୍ଗାଙ୍କର କୌଣସି କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ କଥା ଦେଇଥିବା ଶାନ୍ତନୁ ତାଙ୍କ ପଥରୋଧ କରିଥିବାରୁ ନବଜାତ ଶିଶୁ ପୁତ୍ରକୁ ସାଙ୍ଗରେ ନେଇ ଅନ୍ତର୍ଧ୍ୟାନ ହୋଇଗଲେ ଗଙ୍ଗା।

ତା’ପରେ ଶାନ୍ତନୁ ଛତିଶବର୍ଷ ଧରି ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କଲେ। ଦିନେ ଯାଇ ଗଙ୍ଗା କୂଳରେ ପହଞ୍ଚି ଛତିଶ ବର୍ଷ ତଳର ତାଙ୍କ ପୁତ୍ରଙ୍କୁ ଭେଟିବାକୁ ଚାହିଁଲେ। ଗଙ୍ଗା ଏକ ସୁନ୍ଦର ପୁତ୍ରକୁ ଦେଖାଇ କହିଲେ, ‘ମହାରାଜ, ଇଏ ହେଉଛନ୍ତି ଆପଣଙ୍କ ପୁତ୍ର। ୟାଙ୍କ ନାମ ଦେବବ୍ରତ। ୟାଙ୍କୁ ଗ୍ରହଣ କରନ୍ତୁ। ଇଏ ପରାକ୍ରମୀ ହେବା ସହ ବିଦ୍ୱାନ ହେବେ। ଅସ୍ତ୍ରବିଦ୍ୟାରେ ଇଏ ପର୍ଶୁରାମଙ୍କ ସମକକ୍ଷ ବୋଲାଇବେ।’ ଗଙ୍ଗାଙ୍କ ମୁଖରୁ ଏକଥା ଶୁଣିବା ପରେ ଶାନ୍ତନୁ ନିଜ ପୁତ୍ରଙ୍କୁ ନେଇ ହସ୍ତିନାପୁରର ଯୁବରାଜ ଘୋଷଣା କଲେ।

କିଛିଦିନ ପରେ ମହାରାଜ ଶାନ୍ତନୁ ଯମୁନା କୂଳରେ ବୁଲୁଥିଲେ। ସେଠାରେ ଜଣେ ସୁନ୍ଦର କନ୍ୟାଙ୍କୁ ଦେଖି ତାଙ୍କ ପ୍ରତି ବିମୋହିତ ହେଲେ। କନ୍ୟାଜଣଙ୍କୁ ପଚାରିବାରୁ ସେ ଜଣେ ଧୀବରର କନ୍ୟା ବୋଲି ଜଣାପଡ଼ିଲା। ଶାନ୍ତନୁ ଧୀବର ନିକଟକୁ ଯାଇ ତାଙ୍କ କନ୍ୟାର ହାତ ମାଗିଲେ। ମାତ୍ର ଧୀବର ଶାନ୍ତନୁଙ୍କ ସମ୍ମୁଖରେ ଏକ ଏପରି ସର୍ତ୍ତ ରଖିଲା ଯେଉଁଥିପାଇଁ ଶାନ୍ତନୁ ବିଶାଦ ବଦନରେ ଘରକୁ ଫେରିଲେ। ଧୀବରର ସର୍ତ୍ତ ଥିଲା, ‘ଯଦି ଆପଣ ମୋ କନ୍ୟାକୁ ବିବାହ କରନ୍ତି ତେବେ ତା’ ଗର୍ଭରୁ ଜନ୍ମ ପୁତ୍ର ହେବ ଭବିଷ୍ୟତର ରାଜା, ଦେବବ୍ରତଙ୍କ ପୁତ୍ର ନୁହେଁ’।

ଦେବବ୍ରତ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ପାଇଁ ପିତା ଶାନ୍ତନୁ ନିଜ ପସନ୍ଦର କନ୍ୟାକୁ ବିବାହ କରିପାରୁନାହାନ୍ତି ସେ ପିତୃ ଇଚ୍ଛା ପୁରଣ କରିବାକୁ ଯାଇ ଧୀବର ନିକଟରେ ପହଞ୍ଚିଲେ। ନିଜ ପିତା ଶାନ୍ତନୁଙ୍କ ପାଇଁ ଧୀବର କନ୍ୟାର ହାତ ମାଗିଲେ। ଧୀବରର ସର୍ତ୍ତ ଭାଙ୍ଗି ନଯାଉ ସେଥିପାଇଁ ସେ ଜୀବନ ସାରା ଅବିବାହିତ ରହିବେ ବୋଲି  ପ୍ରତିଜ୍ଞା କଲେ। ସେ ଯେଉଁ ପ୍ରତିଜ୍ଞା କରିଥିଲେ ତାହାକୁ ଶାନ୍ତନୁ ଭୀଷ୍ମ ପ୍ରତିଜ୍ଞାର ନାମ ଦେଲେ। ସେଇଦିନଠାରୁ ଦେବବ୍ରତ ପାଲଟିଗଲେ ଭୀଷ୍ମ। ତାଙ୍କ ପ୍ରତିଜ୍ଞା ପାଲଟିଗଲା ଦୁନିଆର ସବୁଠାରୁ ବଡ଼ ପ୍ରତିଜ୍ଞା।

ସମ୍ବନ୍ଧିତ ଖବର