ବନ୍ୟାଜଳରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ସଫଳ ପ୍ରସବ କରାଇଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଡ଼ଙ୍ଗାରେ ଦୁନିଆକୁ ଆସିଲା ନବଜାତ

ମୋତିହାରି : ବିହାରର ମୋତିହାରିରେ ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାରକାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଲୋକମାନଙ୍କୁ କିଭଳି ଉଦ୍ଧାର କରାଯିବା ସହ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଯିବ, ସେ ନେଇ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ତେବେ ଏ ମଧ୍ୟରେ ଏକ ଏନ୍‌ଡିଆର୍‌ଏଫ୍‌ ଟିମ୍‌ କରିଥିବା କାମକୁ ନେଇ ପ୍ରଶଂସା କରିବାରେ ଲାଗିଛନ୍ତି ଲୋକେ । ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଉଦ୍ଧାରକାରୀ ଡ଼ଙ୍ଗାରେ କରାଇବା ଖବର ଏବେ ଚାରିଆଡ଼େ ଆଲୋଚନାର ବିଷୟ ପାଲଟିଛି ।

Hindustan Times

ସୂଚନା ମୁତାବକ, ବନ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ଯୋଗାଇବାକୁ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ସବିନାଙ୍କ ବିଷୟରେ ଖବର ମିଳିଥିଲା । ପରିବାର ଲୋକେ ସବିନାଙ୍କୁ ଡାକ୍ତରଖାନା ନେବାକୁ ଚାହୁଁଥିଲେ ମଧ୍ୟ ଚାରିଆଡ଼େ ପାଣି ଭରି ଯାଇଥିବାରୁ ସେମାନେ ନେବାକୁ ଅସଫଳ ହୋଇଥିଲେ । ଖବର ପାଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସବିନାଙ୍କ ଘରେ ପହଞ୍ଚି ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ନେବା ବାଟରେ ସବିନାଙ୍କ ପ୍ରସବ ଯନ୍ତ୍ରଣା ଅସହ୍ୟ ହୋଇ ପଡ଼ିଥିଲା । ଯାହା ପରେ ପରିସ୍ଥିତିକୁ ଦେଖି ଡ଼ଙ୍ଗାରେ ହିଁ ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ଡ଼ଙ୍ଗାରେ ଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ନର୍ସଙ୍କ ସହାୟତାରେ ସବିନାଙ୍କ ପ୍ରସବ କରାଯାଇଥିଲା । ଡ଼ଙ୍ଗାଟି ଡାକ୍ତରଖାନାରେ ପହଞ୍ଚିବା ମଧ୍ୟରେ ସବିନା ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମା’ ଓ ଶିଶୁ ଦୁହେଁ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର