ପଦ୍ମଶ୍ରୀ ସମ୍ମାନ ପାଇବାର ଆଶା ନଥିଲା, କିନ୍ତୁ ଖୁସି: ବୀଣାପାଣି

ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ, ସୀତାର ଶୋଣିତ, ମନସ୍ବିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ୩ଟି ଉପନ୍ୟାସର ସ୍ରଷ୍ଟା ପ୍ରଖ୍ୟାତ ସାହିତ୍ୟିକ ବୀଣାପାଣି ମହାନ୍ତି ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳର ମୂଳ ବାସିନ୍ଦା ବୀଣାପାଣି ଏବେ କଟକର ବାଦାମବାଡ଼ିରେ ରହୁଛନ୍ତି। ‘ପଦ୍ମଶ୍ରୀ ସମ୍ମାନ କେବେ ପାଇବାର ଆଶା ରଖି ନଥିଲି। କିନ୍ତୁ ଏଥିପାଇଁ ସେ ଖୁସି ଏବଂ ସରକାରଙ୍କୁ ଧନ୍ୟବାଦ ଦେଉଛି’ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ପୁରସ୍କାର ପାଇବା ଲୋକ ପାଉ ନାହାନ୍ତି। ନ ପାଇବା ଲୋକ ପାଉଛନ୍ତି। କାରଣ ହେଉଛି ପୁରସ୍କାର ଲୋଭ। ସାହିତ୍ୟ ହେଉ ବା ସ୍ଥାପତ୍ୟ କିମ୍ବା ଅନ୍ୟ କୌଣସି କ୍ଷେତ୍ର ହେଉ, ପୁରସ୍କାରକୁ ଚାହିଁ ଅନେକ ଲୋକ କାର୍ଯ୍ୟ କରୁଛନ୍ତି। ସେ ଲୋକ ପ୍ରକୃତରେ କିଛି ଜାଣେ ନାହିଁ। ପାଇବା ଲୋକ ପ୍ରକୃତରେ କାହାକୁ ଖୋସାମତ କରିପାରନ୍ତି ନାହିଁ। ଓଡ଼ିଶା ସାହିତ୍ୟ ଏକାଡେମି, ବିଷୁବ ସମ୍ମାନ, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ପାଇଥିବା ବୀଣାପାଣିଙ୍କୁ ଏବେ ୮୪ ବର୍ଷ। ଅର୍ଥନୀତିରେ ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିବା ବୀଣାପାଣି କହିଛନ୍ତି ଯେ ବର୍ତ୍ତମାନ ଯେତେ ପରିମାଣରେ ବହି ପ୍ରକାଶ ପାଉଛି, ସେତେ ପରିମାଣରେ ପାଠକମାନେ ପଢ଼ୁନାହାନ୍ତି। ଟେଲିଭିଜନ, ମୋବାଇଲରେ ସେମାନେ ସମୟ କାଟୁଛନ୍ତି। ଲେଖା ଅନେକ ସମୟରେ ହୃଦୟକୁ ସ୍ପର୍ଶ କରୁନାହିଁ। ଉଠପଡ଼ ଦେଇ ଓଡ଼ିଶା ସାହିତ୍ୟ ଏବେ ଚାଲିଛି। ମୋର ବିଶ୍ବାସ ଯେ ନିଶ୍ଚୟ ଆମ ପଛରେ ଯେଉଁମାନେ ଆସୁଛନ୍ତି, ଅଧିକ ପଢ଼ା ପଢ଼ି କରିବେ। ଭଲ ଲେଖିବେ।

ସୂଚନାଯୋଗ୍ୟ ଯେ ବୀଣାପାଣି ୧୯୬୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ୧୯୭୪ ମସିହାରେ ଝ˚କାର ପୁରସ୍କାର, ବିଷୁବ ପୁରସ୍କାର ୨୦୦୨ରେ ଏବଂ କେନ୍ଦ୍ର ସାହିତ୍ୟ ‌ଏକାଡେମି ପୁରସ୍କାର ୧୯୯୦ ମସିହାରେ ପାଇଥିଲେ।

ସମ୍ବନ୍ଧିତ ଖବର