ବଡ଼ ଦୁଃଖଦ ଘଟଣା: ଭିନ୍ନ ଶୈଳୀରେ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେବା ମହଙ୍ଗା ପଡ଼ିଲା, ପାଣିରେ ବୁଡି ହେଲା ପ୍ରେମିକର ମୃତ୍ୟୁ

ନୂଆଦିଲ୍ଲୀ: କିଛି ଭିନ୍ନ ଶୈଳୀରେ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଅମେରିକାର ଲୁଝସିୟାନାରେ ରହୁଥିବା ଜଣେ ବ୍ୟକ୍ତି ପାଣି ଭିତରେ ପଶି ପ୍ରେମିକାକୁ ବିବାହ ପ୍ରସ୍ତାବ ଦେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।

ପ୍ରକାଶିତ ଖବର ମୁତାବକ, ଲୁଝସିୟାନାର ଷ୍ଟିଭେନ୍‌ େଓ୍ଵବର ଜୁନିଅର୍ ନିଜ ପ୍ରେମିକା ଏନ୍‌ଟୋଇନିଙ୍କ ସହିତ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏନ୍‌ଟୋଇନିଙ୍କୁ ବିବାହ ପ୍ରସ୍ତାବ ଦେବାର ଥିଲା। ତେବେ ସେ ପ୍ରେମିକାକୁ କିଛି ଭିନ୍ନ ଶୈଳୀରେ ପ୍ରପୋଜ କରିବାକୁ ଭାବିଥିଲେ। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଷ୍ଟିଭେନ୍‌ ଗଭୀର ପାଣିରେ ଡୁବ ମାରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ତାଙ୍କ ହାତରେ ଏକ ଜିପ୍‌ଲକ୍‌ ବ୍ୟାଗ ମଧ୍ୟ ରହିଛି। ଏଥିରେ ତାଙ୍କ ହାତ ଲେଖା ଚିଠି ଦେଖିବାକୁ ମିଳୁଛି, ଏହା ଜରିଆରେ ଏନ୍‌ଟୋଇନିଙ୍କୁ ସେ ବିବାହ ପ୍ରସ୍ତାବ ଦେଉଛନ୍ତି। ଏହାପରେ ସେ ଏକ ବାକ୍ସ ଭିତରୁ ଏକ ରିଙ୍ଗ ବାହାର କରୁଛନ୍ତି। କିନ୍ତୁ ପାଣି ଭିତରେ ନିଶ୍ୱାସ ଅଟକି ଯିବା ହେତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଦୁଃଖଦ ଘଟଣାକୁ ମନେ ପକାଇ ଷ୍ଟିଭେନ୍‌ େଓ୍ଵବରଙ୍କ ପ୍ରେମିକା ଏନ୍‌ଟୋଇନି ଫେସ୍‌ବୁକ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଷ୍ଟିଭେନ୍‌ େଓ୍ଵବର ଭଳି ବ୍ୟକ୍ତିଙ୍କ ପ୍ରଶଂସା କିପରି କରିବି, ତାଙ୍କ ପ୍ରଶଂସା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ସେ ମୋ ଜୀବନରେ ଖୁସି ନେଇ ଆସିଥିଲେ। ମୁଁ ସେହି ପଛ ସମୟକୁ ତ ଫେରାଇ ଆଣି ପାରିବି ନାହିଁ। କିନ୍ତୁ ଆଜି ମନଖୋଲି କହି ପାରିବି, ହଁ ହଁ ମୁଁ ତୁମକୁ ହିଁ ବିବାହ କରିବାକୁ ଚାହେଁ।’

ସମ୍ବନ୍ଧିତ ଖବର