ମୃତ୍ୟୁ ସହ ଲଢୁଥିବା ‘ବ୍ରେନ୍‌ ଡେଡ୍‌’ ରୋଗୀ ନିଜର ହୃଦ୍‌ପିଣ୍ଡ ଦାନ କରି ବଞ୍ଚାଇଲେ ୧୩ ବର୍ଷିଅ ବାଳକର ଜୀବନ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ୨୦ ବର୍ଷିଅ ଜଣେ ଯୁବକ ନିଜର ବଡ଼ପଣ ଦେଖାଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ପାଲଟିଛନ୍ତି। ଦୁର୍ଘଟଣାରେ ତାଙ୍କର ମସ୍ତିଷ୍କ ଅକାମୀ(ବ୍ରେନ୍‌ ଡେଡ୍‌) ହେବା ପରେ ବଞ୍ଚିବାର କୌଣସି ସମ୍ଭାବନା ନାହିଁ ବୋଲି ଡାକ୍ତରମାନେ ଘୋଷଣା କରିବା ପରେ ସେ ନିଜର ହୃଦ୍‌ପିଣ୍ଡ ଦେଇ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଥିବା ଜଣେ ୧୩ ବର୍ଷିଅ ନାବାଳକର ଜୀବନ ବଞ୍ଚାଇବାର ଉଦ୍ୟମ କରି ମାନବିକତାର ଜ୍ୱଳନ୍ତ ଉଦାହାରଣ ସାଜିଛନ୍ତି।

ଯୁବକ ଜଣକ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଷ୍ପତ୍ତି ନେଇ ନିଜ ହୃଦ୍‌ପିଣ୍ଡ ଦାନ କରିବାର ଇଚ୍ଛା ପ୍ରକାଶ କରିବା ପରେ ସୋମବାର ସଂଧ୍ୟାରେ ଏକ ଡାକ୍ତରୀ ଦଳ ତାଙ୍କ ହୃଦ୍‌ପିଣ୍ଡକୁ ସୁରକ୍ଷିତ ଭାବେ ବୋହି ନେଇ ବିଳମ୍ବିତ ରାତ୍ରୀରେ ଉକ୍ତ ନାବାଳକ ଜଣକ ଚିକିତ୍ସିତ ହେଉଥିବା ବେଙ୍ଗାଲୁର ହସ୍ପିଟାଲ୍‌ରେ ପହଞ୍ଚାଇଥିଲେ।

ବିଶାଖାପାଟଣାରୁ ରାତି ୯.୩୦ ସମୟରେ ହାର୍ଟ ନିଆଯାଇଥିଲା। ବେଙ୍ଗାଲୁରରେ ଏହା ଯାଇ ରାତ୍ରି ୧୦.୫୬ରେ ପହଞ୍ଚିଥିଲା। ହୃଦ୍‌ପିଣ୍ଡଟିକୁ ଠିକ୍‌ ଭାବେ ନିଆଯିବା ସକାଶେ ବେଙ୍ଗାଲୁର୍‌ ଟ୍ରାଫିକ୍‌ ପୁଲିସ୍‌ର ସହାୟତାରେ କେମ୍ପେଗ୍ଵଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାନେରଘଯ ରୋଡରେ ଥିବା ଫର୍ଟିସ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଗ୍ରିନ୍‌ କରିଡର୍‌ ବ୍ୟବସ୍ଥା କରାଯାଇଥିଲା। ବିମାନ ବନ୍ଦରରୁ ହସ୍ପିଟାଲ୍‌ ପର୍ଯ୍ୟନ୍ତ ୪୫ କିଲୋମିଟର ପଥ ଅତିକ୍ରମ କରିବାକୁ ସମୁଦାୟ ୪୫ ମିନିଟ୍‌ ଲାଗିଥିଲା।

ମଙ୍ଗଳବାର ସକାଳୁ ସକାଳୁ ନିବାଳିକା ଶରୀରରେ ସଫଳ ହୃଦ୍‌ପିଣ୍ଡ ପ୍ରତ୍ୟାରୋପଣ କରାଯାଇଛି ବୋଲି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର