ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୧୯

ସ୍ମଲ୍‌

ପ୍ଲାଟିନମ୍‌

ଓଭୋ ଫାର୍ମ 

ସୌମେନ୍ଦ୍ର ମିଶ୍ର ହେଉଛନ୍ତି ରାଜ୍ୟର ଜଣେ ଆତ୍ମୋନୁପ୍ରାଣୀତ କୁକୁଡ଼ା ଚାଷୀ। ବଲାଙ୍ଗୀର ଭଳି ରାଜ୍ୟର ଏକ ପଛୁଆ ଜିଲ୍ଲାରେ ଅତ୍ୟାଧୁନିକ ପ୍ରଣାଳୀରେ କୁକୁଡ଼ା ଚାଷ କରି ଦେଶ ବିଦେଶରେ ନିଜ ପାଇଁ ସେ ନାଁ କମେଇ ପାରିଛନ୍ତି। ୨୦୦୧ ମସିହାରେ ୬ ହଜାର କୁକୁଡ଼ାରୁ ସେ ତାଙ୍କର କୁକୁଡ଼ା ବ୍ୟବସାୟ ଓଭୋ ଫାର୍ମ ନାମରେ ଆରମ୍ଭ କରିଥିଲେ। ଦୁଇ ଦଶନ୍ଧି ମଧ୍ୟରେ ଆଜି ଏହି ଫାର୍ମ ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛି। କୁକୁଡ଼ା ଚାଷ ବ୍ୟବସାୟର ଟିକିନିଖିକୁ ଭଲଭାବେ ବୁଝି ପାରିଥିବା ଶ୍ରୀ ମିଶ୍ର କଳାରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ନିଜର ବ୍ୟବସାୟକୁ ସେ ଅତ୍ୟନ୍ତ ଭଲ ପାଆନ୍ତି। ଯାହା ଫଳରେ ସେ ଏହି ବ୍ୟବସାୟରେ ସଫଳତା ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

ଗୋଲ୍ଡ

ଡାଲ୍‌ମା

୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି କୌଣସି ସଂଗଠିତ ରେସ୍ତୋରାଁ ଦେଖାଯାଉନଥିଲା। ସ୍ଥାନୀୟ ଲୋକ କିମ୍ବା ପର୍ଯ୍ୟଟକଙ୍କ ପାଇଁ ନିର୍ଦିଷ୍ଟ ଓଡ଼ିଆ ରେସ୍ତୋରାଁ ନଥିଲା। ସେହି ଅଭାବକୁ ପୂରଣ କରିବା ପାଇଁ ଦେବାଶିଷ ପଟ୍ଟନାୟକ ଆଗେଇ ଆସିଥିଲେ ଏବଂ ଡାଲ୍‌ମା ନାମରେ ୨୦୦୧ରେ ଖୋଲିଥିଲେ ସ୍ବତନ୍ତ୍ର ଓଡ଼ିଶା ଖାଦ୍ୟ ଉପଲବ୍ଧ ହେଉଥିବା‌ ରେସ୍ତୋରାଁ ଡାଲ୍‌ମା। ଏବେ ଡାଲମାର ରେସ୍ତୋରାଁଗୁଡ଼ିକ ଭୁବନେଶ୍ବର, ପୁରୀ, ରାଉରକେଲା, ବେଙ୍ଗାଲୁରୁ, କୋଲକାତା ଏବଂ ଦିଲ୍ଲୀରେ ରହିଛି। ହାଇଦ୍ରାବାଦ, ପୁନେ ଏବଂ ଚେନ୍ନାଇରେ ନୂଆ ରେସ୍ତୋରାଁ ଖୋଲିବାକୁ ଡାଲମା ଲକ୍ଷ୍ୟ ରଖିଛି।

ସିଲ୍‌ଭର୍‌

ଜ୍ୟୋତି ବ୍ୟାଟେରି ଇଣ୍ଡଷ୍ଟ୍ରିଜ୍ 

କଟକର ଜଗତପୁର ଶିଳ୍ପାଞ୍ଚଳରେ ରହିଛି ଜ୍ୟୋତି ବ୍ୟାଟେରି ଇଣ୍ଡଷ୍ଟ୍ରିଜ୍। ୧୯୯୨ରୁ ଆରମ୍ଭ ହୋଇଥିବା ଏହି କଂପାନି ଲିଡ୍‌ ଏସିଡ୍‌ ଷ୍ଟୋରେଜ୍ ବ୍ୟାଟେରି ଉତ୍ପାଦନ କରୁଛି। ରାମ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ଏହି କଂପାନି ଆଇଏସ୍‌ଆଇ ମାର୍କ ବ୍ୟବହାର କରିବା ପାଇଁ ବିଆଇଏସ୍‌ ଠାରୁ ଲାଇସେନ୍ସ ହାସଲ କରିଛି ଏବଂ ଏହା ରାଜ୍ୟର ବିଭିନ୍ନ ବିଭାଗ ଏବଂ ନିଗମକୁ ବ୍ୟାଟେରି ଯୋଗାଇ ଦେଉଛି। କାରଖାନା ଆରମ୍ଭ ହେବା ବେଳକୁ ବହୁତ ଛୋଟ ଥିଲା ଏବଂ କେବଳ ଅଟୋମୋବାଇଲ୍‌ ବ୍ୟାଟେରି ନିର୍ମାଣ କରାଯାଉଥିଲା। ୨୦୦୫ରେ କାରଖାନାର ଆଧୁନିକୀକରଣ କରାଯାଇଥିଲା। ଜ୍ୟୋତି ବ୍ୟାଟେରି ଇଣ୍ଡଷ୍ଟ୍ରିଜ୍‌ରେ ଏବେ ସବୁ ପ୍ରକାରର ବ୍ୟାଟେରି ଉତ୍ପାଦନ କରାଯାଉଛି। ନିକଟ ଭବିଷ୍ୟତରେ ଏହା ଡ୍ରାଏ ସେଲ୍ ବ୍ୟାଟେରିଜ୍ ଏବଂ ୟୁପିଏସ୍‌ ବ୍ୟାଟେରି ଉତ୍ପାଦନ କରିବ।

ସ୍ବତନ୍ତ୍ର ସିଲଭର୍‌

ଆଲ୍‌ଫା ଟ୍ରାନ୍ସଫର୍ମର୍ସ 

ବିଦ୍ୟୁତ ଟ୍ରାନ୍ସଫରମର ନିର୍ମାଣ କ୍ଷେତ୍ରରେ ଆଲ୍‌ଫା ଏକ ପରିଚିତ ନାମ। ବୁର୍ଲା ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ‌ଦିଲ୍ଲୀପ କୁମାର ଦାସ ରାଜ୍ୟ ସରକାରଙ୍କ ଅଧୀନରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି କରିଥିଲେ। କିନ୍ତୁ ସେ ଏହି ଚାକିରିରୁ ଇସ୍ତଫା ଦେଇ ୧୯୭୩ ମସିହାରେ ନିଜସ୍ବ ଉଦ୍ୟୋଗ ଆରମ୍ଭ କରିଥିଲେ। ଏହାପରେ ଆରମ୍ଭ କରିଥିଲେ ଆଲଫା ଟ୍ରାନ୍ସଫର୍‌ମର୍ସ ଲିମିଟେଡ ନାମକ ଏକ ଟ୍ରାନ୍ସଫର୍ମର ନିର୍ମାଣ କମ୍ପାନି। ଏହି କମ୍ପାନିର ପରିଚାଳନା ନିର୍ଦେଶକ ଭାବେ ଶ୍ରୀ ଦାସ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ପ୍ରାୟ ୨୦୦ କର୍ମଚାରୀ ଶ୍ରୀ ଦାସଙ୍କ ନେତୃତ୍ବରେ ଏହି କମ୍ପାନିରେ କାର୍ଯ୍ୟ କରୁଛନ୍ତି।

ସ୍ବତନ୍ତ୍ର ଜୁରି ଆୱାର୍ଡ

କୋଶଳ ଇଞ୍ଜିନିୟର୍ସ 

ରାଉରକେଲା ଶିଳ୍ପାଞ୍ଚଳରେ ରହିଛି କୋଶଳ ଇଞ୍ଜିନିୟର୍ସ। ବେଲ୍‌ଟ କନ୍‌ଭେୟର ସିଷ୍ଟମ୍, ବେଲ୍‌ଟ କନ୍‌ଭେୟର ସ୍ପେୟାରସ୍‌ (ଆଇଡିଲର, ପୁଲିଜ୍, ବ୍ରାକେଟସ୍‌, ଇତ୍ୟାଦି), ଆନୋଡ୍ ଷ୍ଟେମ୍ ବ୍ରାକେଟ୍, ଫାଉଣ୍ଡେସନ୍ ବୋଲ୍‌ଟ, ଆଙ୍କର ବୋଲ୍ଟ, ଟାଇ ରଡ୍‌ ଏବଂ ଜେନେରାଲ୍ ଫେବ୍ରିକସେନ୍ ଆଦି କାର୍ଯ୍ୟରେ କଂପାନି ନିୟୋଜିତ ହୋଇଛି। ୧୯୮୯ ମସିହାରେ ସ୍ଥାପିତ ହୋଇଥିବା ଏହି କଂପାନି ହେଉଛି ସେଲ୍‌କୁ ବେଲ୍‌ଟ କନ୍‌ଭେୟର ଆକ୍‌ସେସୋରିଜ୍ ଏବଂ ଉପକରଣ ଯୋଗାଉଥିବାର ସବୁଠୁ ବଡ଼ ସଂସ୍ଥା। ଏହା ମେକନ୍, ଏମ୍‌ସିଏଲ୍‌, ଏନ୍‌ଟିପିସି, ଫେରୋ ସ୍କ୍ରାପ୍ ନିଗମ ଲିମିଟେଡ୍‌, ଧାମରା, ହିଣ୍ଡାଲ୍‌କୋ, ଜେଏସ୍‌ପିଏଲ୍‌, ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍, ମେଟ୍‌ସୋ ମିନେରାଲ୍ସ ଏବଂ ଉତ୍କଳ ଆଲୁମିନା ଭଳି କଂପାନିଙ୍କୁ ଏହା ସେବା ପ୍ରଦାନ କରୁଛି। ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ବାରା ପରିଚାଳିତ ଏହି ସଂସ୍ଥାକୁ ଆଇଏସ୍‌ଓ ୯୦୦୧:୨୦୧୫ ସାର୍ଟିଫିକେସନ୍ ମିଳିଛି। ନିକଟରେ ଏହା ରିଲାଏନ୍ସ ମୋବାଇଲ୍‌ର ପ୍ରିପେଡ୍ ଡିଲରସିପ୍ ହାସଲ କରିଛି। ୨୦୦୪ରେ ପ୍ରକାଶଙ୍କ କଂପାନି ଅଟୋମୋବାଇଲ୍ କାରବାରରେ ପ୍ରବେଶ କରଥିଲା। ଏହା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ଏବଂ ହୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍‌ର ଗାଡ଼ିଗୁଡ଼ିକୁ ଏହାର କୋଶଳ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ କୋଶଳ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ବିକ୍ରି କରୁଛି। ଏହା ସାମାଜିକ କଲ୍ୟାଣମୂଳକ କାମ ମଧ୍ୟ କରୁଛି। ରାଉକେଲା ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନୋଲୋଜି ନାମରେ ଏହା ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିଛି।

ସମ୍ବନ୍ଧିତ ଖବର