ମାତା-ପିତାଙ୍କୁ ମାଡ଼ ମାରି ଚୋରମାନେ ଜିନିଷ ନେଇ ଯାଉଥିବା ବେଳେ ନିଜର ସାହାସ ଦେଖାଇଲେ ୮ବର୍ଷୀୟା ନାବାଳିକା, ଭିଡ଼ିଓରେ ଦେଖନ୍ତୁ କିପରି ସାହସର ସହ ଚୋର ସହ ଲଢ଼ିଥିଲା କୁନି ଝିଅ

ନୂଆଦିଲ୍ଲୀ: ବେଳେବେଳେ କମ ବୟସରେ ପିଲାମାନେ କିଛି ଏପରି କରି ଯାଇଥାନ୍ତି, ଯାହାକୁ ବିଶ୍ୱାସ କରିବା କଷ୍ଟ ହୋଇଥାଏ । ଠିକ୍‌ ସେଭଳି କିଛି ଘଟିଛି ଫିଲିପାଇନ୍ସରେ । ଫିଲିପାଇନ୍ସରେ ଜଣେ ୮ବର୍ଷୀୟା ନାବାଳିକା ନିଜ ସାହସର ପରିଚୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୪ଜଣ ବନ୍ଧୁକଧାରୀ ଚୋରକୁ ସେ ଏକା କିପରି କାବୁ କରିବା ପାଇଁ ଚେଷ୍ଟା କରିଛି; ତାହା ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଭିଡ଼ିଓରେ ଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ନାବାଳିକାକୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି ।

ସୂଚନା ମୁତାବକ, ସବୁଦିନ ଭଳି ବ୍ରେଲ ମିନିଆ ଘର ବାହାରେ ଖେଳୁଥିବା ବେଳେ ତାଙ୍କ ମାତା-ପିତା କୌଣସି କାମରେ ବାହାରକୁ ଯାଇଥିଲେ । ସେମାନେ ଏକ କାର୍‌ରେ ଫେରିବା ବେଳେ ବ୍ରେଲ୍‌ ରହୁଥିବା ଗଳିରେ କିଛି ଯୁବକ ସିଡ଼ି ବିକିବା ବାହାନାରେ ଆସି ବ୍ରେଲ୍‌ଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ । ଭିଡ଼ିଓରେ ୩-୪ଜଣ ଯୁବକ ବ୍ରେଲ୍‌ଙ୍କ ବାପାଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରୁଥିବା ବେଳେ ତାଙ୍କ ଘରୁ ଅନେକ ଜିନିଷ ଚୋରି କରିଥିଲେ । ଏ ସବୁ ହେଉଥିବାର ଦେଖୁଥିବା ବ୍ରେଲ ଚୋରମାନଙ୍କୁ ଖସି ପଳାଉଥିବା ଦେଖି ଜଣେ ଚୋରର ବ୍ୟାଗ୍‌ ଜୋରରେ ଧରି ଟାଣିଥିବାର ଦେଖା ଯାଇଥିଲା ।

କିନ୍ତୁ ଚୋର ଜଣଙ୍କ ବ୍ରେଲ୍‌ଙ୍କୁ ମାଡ଼ ମାରି ସେଠାରୁ ଖସି ଚାଲି ଯାଇଥିଲେ । ଏହି ଘଟଣା ପରେ ବ୍ରେଲଙ୍କ ନାକରେ ଆଘାତ ଲାଗିଥିବା ବେଳେ ତାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ତେବେ ନିଜ ଜୀବନକୁ ଖାତିର ନ କରି ଚୋର ସହ ଲଢ଼ିବାର ସାହାସ ଆଜି ବ୍ରେଲ୍‌ଙ୍କୁ ସୋସିଆଲ ମିଡ଼ିଆରେ ହିରୋ ବନାଇ ପାରିଛି ।

ସମ୍ବନ୍ଧିତ ଖବର