ନିଆରା ବଜାର : ଯେଉଁଠି ବିବାହ ପାଇଁ ବିକ୍ରି ହୁଅନ୍ତି କନ୍ୟା, ଏଥିପାଇଁ ପ୍ରତି ୩ ବର୍ଷରେ ଥରେ ଖୋଲେ ବଜାର

ସାଧାରଣତଃ ଆମେ ବଜାରକୁ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଯାଇଥାଉ। କିନ୍ତୁ କନ୍ୟା ବିକ୍ରି ପାଇଁ ବଜାର ଶୁଣିଲେ ଟିକେ ଅସ୍ୱାଭାବିକ ଲାଗୁଛି। ହେଲେ ଏମିତି ଏକ ବଜାର ଅଛି ବୁଲଗେରିଆର ଷ୍ଟାରା ଜାଗୋର ନାମକ ଏକ ସ୍ଥାନରେ। ପ୍ରତି ୩ ବର୍ଷରେ ଥରେ କନ୍ୟା ବିକ୍ରି ପାଇଁ ଏଠି ବଜାର ଖୋଲେ। ଆଉ ଏହି ବଜାରକୁ ବରପାତ୍ର ଆସି ନିଜ ମନପସନ୍ଦର କନ୍ୟା କିଣି ନିଅନ୍ତି ବିବାହ କରିବାକୁ।

photo by : newstime.jp

ତେବେ ଏହି ବଜାରକୁ ଆସିଲେ କିଛି ନିୟମ ପାଳନ କରିବାକୁ ପଡିଥାଏ ଉଭୟ ବର ଓ କନ୍ୟା ପକ୍ଷଙ୍କୁ। ପ୍ରଥମେ କନ୍ୟାମାନଙ୍କୁ ସଜାଇ କରି ନେଇ ଆସନ୍ତି ପରିବାର ଲୋକ। ଆଉ ବରପକ୍ଷର ପୂରା ପରିବାର ସେଠାରେ ଉପସ୍ଥିତ ଥାଆନ୍ତି। ମନ ପସନ୍ଦ ହେବା ପରେ ଉଭୟ ପୁଅ ଓ ଝିଅଙ୍କୁ କଥା ହେବା ପାଇଁ କିଛି ସମୟ ଦିଆ ଯାଇଥାଏ। ଆଉ ତାପରେ ଉକ୍ତ ଝିଅକୁ ନିଜର ପତ୍ନୀ ଭାବରେ ସ୍ୱୀକାର କରିବା ସହ ଉଚିତ୍‌ ମୂଲ୍ୟ ଦେଇ ସାଙ୍ଗରେ ନେଇଥାନ୍ତି ବରପକ୍ଷ ଲୋକ।

ତେବେ ଏହି କନ୍ୟା କିଣିବା ପ୍ରଥା ପ୍ରଚଳନ ବୁଲଗେରିଆରେ ଅନେକ ବର୍ଷ ପୂର୍ବରୁ ଚାଲିଆସୁଛି। ପ୍ରଥା ଉପରେ କୌଣସି ଆଇନଗତ କିଛି କଟକଣା ମଧ୍ୟ ନାହିଁ । ଏପରି ପ୍ରଥାର ପ୍ରଚଳନ ଗରିବ ଲୋକମାନଙ୍କର ଆର୍ଥିକ ସମସ୍ୟାକୁ ଆଖି ଆଗରେ ରଖି ଆରମ୍ଭ କରାଯାଇଥିଲା। ଏହି ବଜାରରେ ସେହିମାନେ ଆସନ୍ତି ଯେଉଁ ମାନେ ନିଜ ଝିଅକୁ ବିବାହ ଦେବା ପାଇଁ ଅସମର୍ଥ।

photo by : thesun.co.uk

ସାଧାରଣତଃ ବିବାହରେ ବରଘର ଲୋକଙ୍କୁ ଯୌତୁକ ଦିଆ ଯାଇଥାଏ। କିନ୍ତୁ ଏଠାକାର ନିୟମ ଅନୁଯାୟୀ ଝିଅର ପରିବାର ଲୋକକୁ ଟଙ୍କା ଦିଅନ୍ତି ବରପକ୍ଷ ଲୋକ। ଏହାଦ୍ୱାରା ଗରିବ ପରିବାରକୁ କିଛି ସାହାଯ୍ୟ ମଧ୍ୟ ମିଳି ଯାଏ। ଏହି ନିୟମର ପାଳନ ମଧ୍ୟ ଠିକରେ ହୋଇଥାଏ। ବରପକ୍ଷ ଲୋକ ବଜାରରୁ କିଣା ଯାଇଥିବା କନ୍ୟାକୁ ବୋହୂ ମାନିବାକୁ ପଡିଥାଏ। ଏହି ବଜାର ବୁଲଗେରିଆର କଲାଇଦଝି ସଂପ୍ରଦାୟ ଦ୍ୱାରା ଆୟେଜିତ ହୋଇଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସଂପ୍ରଦାୟ ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ବାହାର ଲୋକ କନ୍ୟା କିଣି ପାରିବେ ନାହିଁ।

ସମ୍ବନ୍ଧିତ ଖବର