ବାଥରୁମକୁ ୱାର୍କସପ କରି ବ୍ୟବସାୟ ଆରମ୍ଭ କରିଥିବା ସନ୍ଦୀପ କୋଟି କୋଟି ଟଙ୍କା ମାଲିକ 

କୌଣସି କାମକୁ ଛୋଟ ବୋଲି ମନେ କରିବା ଉଚିତ ନୁହେଁ।  କୌଣସି କାର୍ଯ୍ୟକୁ ଯଦି ସଠିକ୍‌ ରୂପେ ପରିଚାଳନା କରାଯାଏ ତେବେ ସଫଳତା ନିଶ୍ଚୟ ମିଳିବ । ସେ ଘୋଡା ଚଢିବା ହେଉ ଅବା ଘାସ କାଟିବା । ପ୍ରତ୍ୟେକ କାମକୁ ଉପଯୂୁକ୍ତ ବୁଦ୍ଧି ଖଟାଇ କରିପାରିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି କଥା କହିବା ପଛର କାରଣ ହେଉଛି ,ମୁମ୍ବାଇରେ ‘ସନ୍ଦୀପ ଗଜକସ’ ବସବାସ କରନ୍ତି। ସେ ଜୋତା ପଲିସିକୁ ବ୍ୟବସାୟ ଭାବେ ଗ୍ରହଣ କରି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି ଏବଂ ଯୁବଗୋଷ୍ଠୀ ପାଇଁ ପ୍ରେରଣା ପାଲଟିଛନ୍ତି । ଆସନ୍ତୁ ଜାଣିବା ସନ୍ଦୀପଙ୍କ ସଂର୍ଘଷମୟ କାହାଣୀ…

ଜୋତା ପଲିସି ଅଥାର୍ତ ଅନ୍ୟର ଜୋତା ସଫା କରିବା । ଏହି କାମକୁ ଅନେକ ଲୋକ ହେୟ ଜ୍ଞାନ କରିଥାନ୍ତି । ସାଧାରଣତଃ ଗରିବ ଓ ରାସ୍ତାକଡରେ ବାସ କରୁଥିବା ଲୋକ ପେଟ ପୋଷିବା ପାଇଁ ଏହି କାମକୁ ଆପଣାଇ ନେଇଥାନ୍ତି, କିନ୍ତୁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଯଦି ଏହି କାମକୁ ଆପଣାଇଥାଏ ତେବେ ଦୁନିଆ ତାଙ୍କ ଉପରେ ହସିବାଟା ସ୍ୱଭାବିକ କଥା।  ନିଜ ଦୃଢ ଇଚ୍ଛାଶକ୍ତି ଓ କିଛି ନୂଆ କରିବାର ପ୍ରେରଣା ହିଁ ସନ୍ଦୀପଙ୍କୁ ଏକ ନୂଆ ପରିଚୟ ଦେଇଛି । ହାତରେ ଇଞ୍ଚିନିୟରିଙ୍ଗ ଡିଗ୍ରୀ, ଆଉ ପାଖରେ ଉଚ୍ଚ ବେତନର ଚାକିରି କିନ୍ତୁ ଏସବୁକୁ ତୁଚ୍ଛ କରି ଜୋତା ପଲିସି ଓ ରିପ୍ୟାରିଙ୍ଗର ବ୍ୟବସାୟକୁ ଆପଣାଇ ନେଇଥିଲେ ସନ୍ଦୀପ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫାୟାରିଙ୍ଗ ଇଞ୍ଜିନିୟରିଙ୍ଗରୁ ପାଠପଢା ଶେଷ କରିବା ପରେ ଆରବ ଦେଶରେ ଚାକିରି କରିବାକୁ ମନ ବଳାଇଥିଲେ ସନ୍ଦୀପ ।  ୨୦୦୧ ମସିହାରେ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସେ ବିଦେଶ ଯିବା ନିଷ୍ପତ୍ତିରୁ ଓହରି ଆସିଥିଲେ। ଏଇଠୁ ହିଁ ଆରମ୍ଭ ହୋଇଥିଲା ସନ୍ଦୀପଙ୍କ ସଂର୍ଘଷମୟ କାହାଣୀ । ବିଦେଶ ନ ଯାଇ ମୁମ୍ବାଇରେ କୌଣସି ବ୍ୟବସାୟ କରିବାକୁ ସ୍ଥିର କରିଥିଲେ ସେ।  ସେତେବେଳେ ଜୋତା ପଲିସି ବ୍ୟବସାୟ କରିବାକୁ ସନ୍ଦୀପ ନିଷ୍ପତି ନେଇଥିଲେ ଆଉ ଏହାହିଁ ତାଙ୍କ ଜୀବନରେ ଆଣିଥିଲା ପରିବର୍ତ୍ତନ । ପ୍ରଥମେ ୧୨ ହଜାର ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିଲେ ସନ୍ଦୀପ।

 

ସନ୍ଦୀପ ଏଭଳି ନିଷ୍ପତିକୁ ଆଦୌ ଗ୍ରହଣ କରିନଥିଲେ ତାଙ୍କ ବାପା ମା’ । ଇଞ୍ଜିନିୟର ପୁଅ ପୁଣି ଅନ୍ୟ କାହାର ଜୋତା ପଲିସି କରିବ ଏଥିରେ ଆଦୌ ଖୁସି ନଥିଲେ ପରିବାର ଲୋକ । ସେତେବେଳେ ସନ୍ଦୀପ ଅନ୍ୟ କାହା କଥା ନଶୁଣି ନିଜ ବ୍ୟବସାୟରେ ମନୋନିବେଶ କରିଥିଲେ । ବାଥରୁମକୁ ୱାର୍କସପ କରି ନିଜର ସାଙ୍ଗସାଥୀ ଓ ପରିବାର ଲୋକଙ୍କ ଜୋତା ପଲିସି ଓ ରିପ୍ୟାରିଙ୍ଗ କରି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । କେବଳ ଜୋତା ପଲିସି ନୁହେଁ ପୁରୁଣା ଜୋତାକୁ କିପରି ନୂଆ ଜୋତାର ଲୁକ୍‌ ଦେଇହେବ ସେନେଇ ଅନେକ ରିସର୍ଚ୍ଚ କରିଥିଲେ ସନ୍ଦୀପ। ଏହି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ସେଭଳି ସଫଳତା ପାଇ  ନଥିଲେ ସେ ।

୨୦୦୩ ମସିହାରେ ସେ ‘ଦ ସୁ ଲଣ୍ଡ୍ରୀ’ ନାମରେ ଦେଶର ପ୍ରଥମ ଜୋତା ପଲିସି ଓ ରିପ୍ୟାରିଙ୍ଗ କମ୍ପାନି ଆରମ୍ଭ କରିଥିଲେ । ବହୁ ବାଧାବିଘ୍ନ ପରେ ସେ ସଫଳତାର ସ୍ୱାଦ ଚାଖିଥିଲେ । ଆଉ ଆଜି ତାଙ୍କର ଏହି କମ୍ପାନି ଫ୍ରାଞ୍ଚାଇଜ ବିଭିନ୍ନ ସହରରେ ଦେଖିବାକୁ ମିଳୁଛି । ୧୨ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଏହି କମ୍ପାନି ଏବେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟବସାୟ କରୁଛି । ସନ୍ଦୀପ ନିଜର କାଯ୍ୟଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ଏଭଳି ସଫଳତା ହାସଲ କରି ପାରିଛନ୍ତି ।

ସମ୍ବନ୍ଧିତ ଖବର