ଜାତିଆଣ ଓ ଲିଙ୍ଗଗତ ଭେଦଭାବ ଏହି ତାମିଲ୍‌ନାଡୁ ଝିଅଙ୍କ ଆଇଏଏସ୍‌ ବନିବାର କାରଣ ପାଲଟିଲା, ପରିବାର ଓ ସଂପର୍କୀୟଙ୍କ ଚାପ ବି ହାର୍‌ ମାନିଲା

କୁନି ଝିଅଟି ସ୍କୁଲ୍‌ର ଫ୍ୟାନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ ଆଇଏଏସ୍‌ ଚରିତ୍ର ନିଭାଏ ଓ ସେହି ଚରିତ୍ର ତା’ ମନରେ ଛାପ ଛାଡ଼ିଯାଏ। ସମୟକ୍ରମେ ବଡ଼ ହୋଇ ସେ ହୁଅନ୍ତି ଆଇଏଏସ୍‌ ଅଧିକାରୀ ପୁଭିତା ଶୁବ୍ରମଣ୍ୟନ୍‌। ପୁଭିତାଙ୍କ ଜନ୍ମ ଅନ୍ୟାନ୍ୟ ପଛୁଆ ବର୍ଗରେ। ସେ ପିଲାଟି ଦିନରୁ ଜାତିଆଣା, ଯୌତୁକ ଓ ଲିଙ୍ଗଗତ ଅସମାନତା ଭାବକୁ ବହୁ ନିକଟରୁ ଅନୁଭବ କରିଛନ୍ତି। ସେ ଦେଖିଛନ୍ତି କିପରି ଭାବେ ତାଙ୍କ ଜେଜେମାଆ ତାଙ୍କ ମାଆଙ୍କୁ ଯୌତୁକ ପାଇଁ ଗଞ୍ଜଣା ଦେଉଥିଲେ। ଆହୁରି ବି ଦେଖିଛନ୍ତି ଯେ ବୋହୂଟିଏ ଯଦି ଉପର ଜାତିର ହୋଇଥାଏ ତେବେ ତାକୁ ତା’ର ସାଙ୍ଗିଆ ଓ ତଳ ଜାତିର ହୋଇଥିଲେ ନାମ ଧରି ଡାକିଥାନ୍ତିି, ଯାହାକୁ ଖୁବ୍‌ ହୀନ ପ୍ରଥା। ଏହି ସବୁ ଘଟଣା ତାଙ୍କୁ ଜଣେ ଆଇଏଏସ୍‌ ହେବାକୁ ପ୍ରେରଣା ଯୋଗାଇଥିଲା।

ସେ କହନ୍ତି, ‘ମୋ ସହରରେ ଜାତିଆଣ ଭାବ ବହୁତ ଚାଲେ। ନିର୍ଦ୍ଦିଷ୍ଟ ଏକ ବର୍ଗର ଲୋକେ ଉପର ଜାତିର ଲୋକଙ୍କ କ୍ଷେତରେ କାମ କରନ୍ତି ଓ ସେହି ସଂପ୍ରଦାୟଙ୍କୁ ଅଛୁଆଁ ବୋଲି କହି ଲୋକେ ପାଖ ପଶାନ୍ତି ନାହିଁ। ସେହି ଲୋକମାନେ ଅନ୍ୟଠାରୁ ନିଜକୁ ଦୂରେଇ ରଖିବାକୁ ବାଧ୍ୟ ହୁୁଅନ୍ତି। ଯେତେବେଳେ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ଜରିଆରେ ଅନୁସୂଚିତ ଜାତିର ପିଲାମାନେ ଚାକିରି ପାଇଲେ ତାହା ସ୍ଥାନୀୟ ଲୋକଙ୍କୁ ଦୁଃଖୀ କରାଇଲା।’

ଯଦିଓ ପୁଭିତାଙ୍କ ବାପାମାଆ ତାଙ୍କୁ କେବେ ବି ତାଙ୍କ ପାଠ ପଢ଼ା ନେଇ ନିରୁତ୍ସାହିତ କରିନାହାନ୍ତି। ମାତ୍ର ତାଙ୍କ ଗ୍ରାମରେ କେବଳ ଉତ୍ତମ ବରପାତ୍ର ପାଇବା ପାଇଁ ପାଠ ପଢ଼ାକୁ ଗୁରୁତ୍ୱ ଦେଉଥିଲେ। ପୁଭିତା ହେଉଛନ୍ତି ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍‌।

ସେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଇରାଇଆନବୁଙ୍କ ଲେଖା ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ। ଜଣେ ଆଇଏଏସ୍‌ର କ୍ଷମତା କ’ଣ ସେ ତାଙ୍କ ଲେଖା ପଢ଼ି ଅନୁଭବ କରିଥିଲେ। ତେଣୁ, ତାଙ୍କ ଅଞ୍ଚଳ ଲୋକଙ୍କ ଚିନ୍ତାଧାରା ବଦଳାଇବା ପାଇଁ ସେ ଏହି ପଥ ଚୟନ କରିଥିଲେ।

ସବୁ ଝିଅଙ୍କ ପରି ପୁଭିତାଙ୍କ ଜୀବନରେ ବି ସମାନ ସମସ୍ୟା ଆସିଥିଲା। ନିଜ ଭବିଷ୍ୟତ ଗଢ଼ିବା ପୂର୍ବରୁ ପଡ଼ୋଶୀ, ସଂପର୍କୀୟ ତାଙ୍କ ପରିବାର ଲୋକଙ୍କ ମୁଣ୍ଡରେ ବିବାହ ଭୂତ ପୂରାଇ ଥିଲେ। ସେଥିପାଇଁ ତାଙ୍କୁ ନିଜ ପରିବାର ଓ ସଂପର୍କୀୟଙ୍କ ସହ ବହୁ ଲଢ଼ିବାକୁ ପଡ଼ିଥିଲା। ବହୁ ମାନସିକ ଚାପ ପରେ ବି ସେ ନିଜ ସ୍ୱପ୍ନରୁ ବିଚ୍ୟୁତ ହୋଇନଥିଲେ।

ସମ୍ବନ୍ଧିତ ଖବର