ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଆରମ୍ଭରୁ ଆଜି ଯାଏ

୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୀର୍ଘ ୭ବର୍ଷ ପରେ ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ମାମଲାରେ ୪ ଦୋଷୀଙ୍କୁ ଆସନ୍ତା ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର୍‌ ଜେଲ୍‌ରେ ଫାଶୀ ଦିଆଯିବ‌ା ସୁନିଶ୍ଚିତ ହୋଇଛି । ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଓ ମୁକେଶ ଦାଖଲ କରିଥିବା କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

୨୦୧୨, ଡିସେମ୍ବର ୧୬: ଜଣେ ନାବାଳକଙ୍କ ସମେତ ସମୁଦାୟ ୬ ଜଣ, ରାମ ସିଂହ (ବସ୍‌ ଡ୍ରାଇଭର), ରାମସିଂହର ଭାଇ ମୁକେଶ ସିଂହ. ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଦ୍ବାରା ଡାକ୍ତରୀ ଛାତ୍ରୀ ‘ନିର୍ଭୟା’ ଗଣଦୁଷ୍କର୍ମର ଶିକାର।
୨୦୧୩, ଜାନୁଆରି ୩: ହତ୍ୟା, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ମାମଲାରେ ଦିଲ୍ଲୀ ପୁଲିସ ଦ୍ବାରା ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ।
ଜାନୁଆରି ୨୮: ମାମଲାରେ ଷଷ୍ଠ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜେ‌ଜେବି (କିଶୋର ନ୍ୟାୟ ବୋର୍ଡ) ଦ୍ବାରା ଘୋଷଣା।
ଫେବ୍ରୁଆରି ୨: ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ।
ମାର୍ଚ୍ଚ ୧୧: ତିହାର ଜେଲ୍‌ରେ ଆତ୍ମହତ୍ୟା କଲା ବସ୍‌ ଡ୍ରାଇଭର ରାମ୍‌ ସିଂହ।
ମାର୍ଚ୍ଚ ୨୧: ଦେଶରେ ଦୁଷ୍କର୍ମ ଆଇନରେ ସଂଶୋଧନ ଅଣାଗଲା। ୬ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ନୂଆ ଦୁଷ୍କର୍ମ ବିରୋଧୀ କଠୋର ଆଇନ ଆସିଲା।
ଅଗଷ୍ଟ ୩୧: ଗଣଦୁଷ୍କର୍ମ ଏବଂ ହତ୍ୟା ପାଇଁ ଜେଜେବି (କିଶୋର ନ୍ୟାୟ ବୋର୍ଡ) ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ତାଙ୍କୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ।
ସେପ୍ଟେମ୍ବର ୧୦: ଗଣଦୁଷ୍କର୍ମ , ହତ୍ୟା ଏବଂ ଅସ୍ବାଭାବିକ କାର୍ଯ୍ୟ ସମ‌େତ ସମୁଦାୟ ୧୩ ଟି ଅପରାଧ ମାମଲାରେ ଫାଷ୍ଟ ଟ୍ରାକ୍‌ କୋର୍ଟ ସମସ୍ତ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କଲେ।
ସେପ୍ଟେମ୍ବର ୧୩: ସମସ୍ତ ୪ ଜଣଙ୍କୁ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ। ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର।
ନଭେମ୍ବର ୧: ଦିଲ୍ଲୀ ହାଇକୋର୍ଟ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କଲେ।
୨୦୧୪, ମାର୍ଚ୍ଚ ୧୩: ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଲେ।
୨୦୧୫ ଡିସେମ୍ବର ୨୦: ଦିଲ୍ଲୀ ହାଇକୋର୍ଟ ନାବାଳକଙ୍କୁ ମୁକ୍ତ କରିବାପାଇଁ ମନା କରିଦେଲେ। ୩ ବର୍ଷ ବାଳ ସୁଧାର ଗୃହରେ ରହିବାପରେ ନାବାଳକ ମୁକୁଳିଲେ ।
୨୦୧୬ ଏପ୍ରିଲ ୩: ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ।
୨୦୧୭ ମାର୍ଚ୍ଚ ୨୭: ମାମଲାର ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଶୁଣାଣି କରିବାପରେ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଲେ।
ମେ’ ୫: ୪ ଅଭିଯୁକ୍ତ ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଏବଂ ମୁ‌କେଶ ସିଂହଙ୍କ ଦଣ୍ଡକୁ କାଏମ ରଖିଲେ ସୁପ୍ରିମକୋର୍ଟ।
୨୦୧୮ ଜୁଲାଇ ୯: ପୱନ, ମୁକେଶ ଏବଂ ବିନୟଙ୍କ ଦ୍ବାରା ଦାଖଲ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ ।
ଡିସେମ୍ବର ୧୩: ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶକୁ ତ୍ବରାନ୍ବିତ କରିବାପାଇଁ ନିର୍ଭୟାଙ୍କ ବାପା ମା’ ପଟିଆଲା ହାଉସ୍‌ କୋର୍ଟର ଦ୍ବାରସ୍ଥ ।
୨୦୧୯: ଅକ୍ଟୋବର ୨୯: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତ ଦୋଷୀ କ୍ଷମା ଆବେଦନ କରିବାପାଇଁ ତିହାର ଜେଲ୍‌ ୭ ଦିନ ସମୟ ଦେଲେ।
ନଭେମ୍ବର ୮: ଦିଲ୍ଲୀ ସରକାରରେ କ୍ଷମା ଆବେଦନ କଲେ ବିନୟ ଶର୍ମା।
ନଭେମ୍ବର ୨୯: ଦିଲ୍ଲୀ ସରକାରଙ୍କ ଗୃହ ମନ୍ତ୍ରାଳୟ ବିନୟ ଶର୍ମାଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇଲେ।
ନଭେମ୍ବର ୩୦: ମୁଖ୍ୟ ସଚିବ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ନିକଟକୁ ଫାଇଲ୍‌ ପଠାଇ ଦେଇଥିଲେ।
ଡିସେମ୍ବର ୧: ଜୈନ୍‌ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଉପରାଜ୍ୟପାଳ (ଏଲ୍‌ଜି)ଙ୍କ ନିକଟକୁ ପଠାଇ ଥିଲେ।
ଡିସେମ୍ବର ୨: ବିନୟଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କଲେ ଏଲ୍‌ଜି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ମଂଜୁରି ଦେଲେ
ଡିସେମ୍ବର ୬: ଦିଲ୍ଲୀ ସରକାରଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ ସଂକ୍ରାନ୍ତ ଦିଲ୍ଲୀ ସରକାରଙ୍କ ସୁପାରିସକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ରାଷ୍ଟ୍ରପତିଙ୍କୁ ପଠାଗଲା
ଡିସେମ୍ବର ୧୦: ସୁପ୍ରିମକୋର୍ଟରେ ‌ଦୋଷୀ ଅକ୍ଷୟ ଦ୍ବାରା ରିଭ୍ୟୁ ପିଟିସନ୍‌ ଦାଖଲ।
ଡିସେମ୍ବର ୧୭: ମାମଲାର ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି।
ଡିସେମ୍ବର ୧୮: ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଖାରଜ ।
ଡିସେମ୍ବର ୧୮: ଡେଥ୍‌ ୱାରେଣ୍ଟ୍‌ ଜାରି ସଂକ୍ରାନ୍ତ ଶୁଣାଣିକୁ ଜାନୁଆରି ୭ ଯାଏଁ ସ୍ଥଗିତ ରଖିଲେ ଦିଲ୍ଲୀ କୋର୍ଟ। ନିଭର୍ୟାଙ୍କ ମା’ କୋର୍ଟ ପରିସରରେ କାନ୍ଦି ପକାଇଲେ ।
୨୦୨୦ ଜାନୁଆରି ୭: ସମସ୍ତ ୪ ଦୋଷୀଙ୍କ ପାଇଁ ଡେଥ୍‌ ୱାରେଣ୍ଟ୍‌ ଜାରି କଲେ ଦିଲ୍ଲୀ କୋର୍ଟ।
ଜାନୁଆରି ୯: ୪ ଜଣ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ଓ ବିନୟ ଶର୍ମାଙ୍କ ସୁପ୍ରିମ୍‌ କୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଏର ।
ଜାନୁଆରି ୧୪: ବିନୟ ଓ ମୁକେଶଙ୍କ କ୍ୟୁରେଟିଭ ପିଟିସନ୍ ସୁପ୍ରିମ୍‌ କୋର୍ଟରେ ଖାରଜ। ଜାନୁଆରି ୨୨, ସକାଳ ୭ଟାରେ ଫାଶୀ ପାଇବେ ୪ ଦୋଷୀ।

ସମ୍ବନ୍ଧିତ ଖବର