ଦୀର୍ଘଜୀବୀ ହେବାର ଟିପ୍ସ ଦେଉଥିବା ବେଳେ ହେଲା ହୃଦଘାତ, ଷ୍ଟେଜ୍ ଉପରେ ଟଳି ପଡ଼ିଲେ କମ୍ପାନିର ସିଇଓ

ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏକ ସ୍ବ‌ାସ୍ଥ୍ୟ କମ୍ପାନିର ମୁଖ୍ୟ ଅନ୍ୟମାନଙ୍କୁ ଦୀର୍ଘଜୀବୀ ହେବାର ଟିପ୍ସ ଦେଉଥିବା ବେଳେ ହଠାତ୍ ଷ୍ଟେଜ୍ ଉପରେ ଟଳି ପଡ଼ିବାର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି। ଘଟଣାଟି ଚୀନରେ ଘଟିଥିବା ବେଳେ ସେଠାରେ ଥିବା ଏକ ସ୍ବାସ୍ଥ୍ୟ କମ୍ପାନିର ମୁଖ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଭାଷଣ ରଖିଥିଲେ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କିଭଳି ନିଜକୁ ଦୀର୍ଘଜୀବୀ କରିହେବ, ସେ ବିଷୟରେ ଲୋକଙ୍କୁ ଜଣାଉଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ମୃତ ବ୍ୟକ୍ତିଜଣଙ୍କ ହେଲେ ୬୫ବର୍ଷୀୟ ଚେନ୍ ପିବେନ। ସେ ଚୀନରେ ଥିବା ଏକ ବଡ଼ ଔଷଧ କମ୍ପାନିର ମାଲିକ ଥିଲେ। ଚୀନର ଗୁଆଙ୍ଗଝାଙ୍ଗ ଅଞ୍ଚଳରେ ଏହି କମ୍ପାନି ରହିଥିବା ବେଳେ ୨୦ବର୍ଷ ତଳେ ଚେନଙ୍କର ହାର୍ଟ ବାଇପାସ ସର୍ଜରୀ କରାଯାଇଥିଲା। ଲୋକଙ୍କୁ ସଚେତନ କରାଇବା ପାଇଁ କମ୍ପାନି ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିବାରୁ ଚେନ ନିଜର ଚେକ୍ ଅପକୁ ବାତିଲ କରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କାର୍ଯ୍ୟକ୍ରମରେ ଯୋଗ ଦେଇ ଚେନ୍ ଲୋକମାନଙ୍କୁ କିଭଳି ଦୀର୍ଘଜୀବୀ ହୋଇ ପାରିବେ, ସେ ସଂପର୍କରେ ସଚେତନ କରାଉଥିଲେ। ଏହି ସମୟରେ ତାଙ୍କ ଛାତି‌‌ରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଷ୍ଟେଜ୍ ତଳକୁ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯାଇ ପାରି ନଥିଲେ। ଷ୍ଟେଜ୍ ମଝିରେ ହିଁ‌ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା କହିଥିଲେ ଡାକ୍ତର।

ସମ୍ବନ୍ଧିତ ଖବର