ବିବାଦରେ ଧର୍ମଗୁରୁ : ରାମରହିମ୍‌ଙ୍କଠୁ ଆଶାରାମ

ନୂଆଦିଲ୍ଲୀ : ନିଜକୁ ‘ଭଗବାନ’ ବୋଲାଉଥିବା ଆଶାରାମ ଆଜି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ପରେ ତାଙ୍କ ସମର୍ଥକ ମହଲରେ ନୈରାଶ୍ୟ ଖେଳିଯାଇଛି। ଭାରତରେ ଅନେକ ଆତ୍ମଘୋଷିତ ଧର୍ମଗୁରୁଙ୍କ ଅପକର୍ମ ବିଗତ କିଛି ବର୍ଷ ମଧ୍ୟରେ ଚହଳ ସୃଷ୍ଟି କରିଛି।

ଗୁରମିତ ରାମ ରହିମ: ଆତ୍ମଘୋଷିତ ବାବା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହ ଗତ ଆଗଷ୍ଟ ୨୫ ତାରିଖରେ ଦୁଇଟି ଭିନ୍ନ ଭିନ୍ନ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ସହ ଦୁଇଜଣ ସମର୍ଥକ ଓ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ମଧ୍ୟ ରାମ ରହିମଙ୍କ ସମ୍ପୃକ୍ତି ରହିଛି। ଆଧୁନିକ ବାବା ଭାବେ ଜଣାଶୁଣା ଗୁରମିତ ନାଚ, ଗୀତ, ଚଳଚ୍ଚିତ୍ର ଆଦି ଦ୍ୱାରା ତାଙ୍କ ଭକ୍ତଙ୍କୁ ଆକୃଷ୍ଟ କରୁଥିଲେ। ତାକୁ ଜେଲ ଦଣ୍ଡ ଦିଆଯିବା ପରେ ସମର୍ଥକମାନେ ହରିୟାଣାରେ ହିଂସାକାଣ୍ଡ ଭିଆଇଥିଲେ।

ସ୍ୱାମୀ ନିତ୍ୟାନନ୍ଦ: ଜେଣ ତାମିଲ ଅଭିନେତ୍ରୀ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଭିଡିଓ ଭାଇରାଲ ହେବା ପରେ ସ୍ୱାମୀ ନିତ୍ୟାନନ୍ଦ ବିବାଦ ଘେରକୁ ଆସିଥିଲେ। ଏହାପରେ ଗଣମାଧ୍ୟମରେ ବିବୃତି ଦେଇ ଏହାକୁ ଏକ ଯୋଗ ବୋଲି ସେ କହିଥିଲେ। ଏହାପରେ ଆଉ ୨ଜଣ ସମର୍ଥକ ତାଙ୍କ ନାମରେ ଦୁଷ୍କର୍ମ ମାମଲା ଦାଏର କରିବା ପରେ ୨୦୧୦,ଏପ୍ରିଲ ୨୧ରେ ତାଙ୍କୁ ହିମାଚଳ ପ୍ରଦେଶର ସୋଲାନରୁ ଗିରଫ କରାଯାଇଥିଲା। ପୁଲିସ୍‌ ରିପୋର୍ଟ ମୁତାବକ, ତାଙ୍କ ଆଶ୍ରମ ପରିସରରୁ ଡ୍ରଗ୍ସ, କଣ୍ଡୋମ୍‌, ଗର୍ଭ ନିରୋଧକ ବଟିକା ଆଦି ମିଳିଥିଲା।

ସନ୍ଥ ସ୍ୱାମୀ ଭୀମାନନ୍ଦ: ଶିବ ମୁରତ ଦ୍ୱିବେଦୀ ଓରଫ ଇଚ୍ଛାଧାରୀ ସନ୍ଥ ସ୍ୱାମୀ ଭୀମାନନ୍ଦଙ୍କୁ ସେକ୍ସ ର‍୍ୟାକେଟ ଚଳାଉଥିବା ଅଭିଯୋଗରେ ୨୦୧୦ ଫ୍ରେବ୍ରୁଆରି ୧୦ରେ ଗିରଫ କରାଯାଇଥିଲା।

ସ୍ୱାମୀ ଅମ୍ରିତ ଚୈତନ୍ୟ: ସନ୍ତୋଷ ମାଧବନ ଓରଫ ସ୍ୱାମୀ ଅମ୍ରିତ ଚୈତନ୍ୟ ୨୦୦୮ ମସିହାରେ ୪ ନାବାଳିକାଙ୍କୁ ଓ ଜଣେ ପ୍ରବାସୀ ଭାରତୀୟ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା।

ସ୍ୱାମୀ ପ୍ରେମାନନ୍ଦ: ତାମିଲନାଡ଼ୁ ପ୍ରେମାନନ୍ଦ ଆଶ୍ରମର ପ୍ରେମ କୁମାର ଓରଫ ସ୍ୱାମୀ ପ୍ରେମାନନ୍ଦ ୧୩ ଜଣଙ୍କୁ ଦୁଷ୍କର୍ମ,୨ ଜଣଙ୍କୁ ଅସଦାଚରଣ ଓ ଗୋଟିଏ ହତ୍ୟା ମାମଲାରେ ୨୦୦୫ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୧ରେ ତାଙ୍କର ମୃତ୍ୟୁ ଘଟିଥିଲା।

ନାରାୟଣ ସାଇ: ଆଶାରାମଙ୍କ ପୁଅ ନାରାୟଣ ଓରଫ ନାରାୟଣ ପ୍ରେମ ସାଇ ୨୦୦୨ ଓ ୨୦୦୫ରେ ଦୁଇଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାସହ ଅନ୍ୟ ୮ଜଣ ନାବାଳିକାଙ୍କୁ ଓ ଜଣେ ସାମ୍ବାଦିକାଙ୍କୁ ମଧ୍ୟ ସେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ଏବଂ ଏବେ ସେ ଜେଲରେ ଅଛନ୍ତି।

ବାବା ବୀରେନ୍ଦ୍ର: ଆଧ୍ୟାତ୍ମିକ ଶିକ୍ଷା ଦେବା ବାହାନାରେ ଦିଲ୍ଲୀର ବାବା ବୀରେନ୍ଦ୍ର ଦେବ ଦିକ୍ଷୀତ ଶହେରୁ ଅଧିକ ଝିଅ ଓ ମହିଳାଙ୍କୁ ବର୍ଷ ବର୍ଷ ଧରି ବନ୍ଦୀ କରି ରଖିବା ସହ ଦୁଷ୍କର୍ମ କରି ଆସୁଥିଲେ। ଏନେଇ ଅଭିଯୋଗ ହେବା ପରେ ଗତବର୍ଷ ଡିସେମ୍ବର ୧୯ ତାରିଖରେ ତାଙ୍କ ଆଶ୍ରମ ସିଲ୍‌ କରିଦିଆଯାଇଥିଲା। ଶତାଧିକ ଅନ୍ତେବାସୀଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର