ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କରିଥିବା କାମ ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡ଼େଇଁବା ସହ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ରବିବାର ଘଟିଥିବା ବେଳେ ଯୁବତୀଜଣଙ୍କ ‌କ୍ରିଷ୍ଣା ନଦୀ ଉପରେ ଥିବା ପେନୁମୁଡି ବ୍ରିଜ୍ ଉପ‌ରୁ ତଳକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ୫୮ବର୍ଷୀୟ ପୁଲିସକର୍ମୀ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ପରେ ପୁଲିସକର୍ମୀଙ୍କ ନାଁ କେ.ମଣିକ୍ୟାଲା ରାଓ ବୋଲି ଜଣାଯାଇଛି।

Advertisment

Related image The Hindu

ସୂଚନା ମୁତାବକ, ଅବନିଗଡ୍ଡା ପୁଲିସ ଷ୍ଟେସନରେ ମୁତୟନ ଥିବା କେ.ମଣିକ୍ୟାଲା ରବିବାର ପେନୁମୁଡି ବ୍ରିଜ୍ ପାଖରେ ଡିୟୁଟି କରୁଥିଲେ। ଏହି ସମୟରେ ଯୁବତୀଜଣଙ୍କ ଆସି ବ୍ରିଜ୍ ତଳକୁ ଡ଼େଇଁ ଆତ୍ମହତ୍ୟା କରୁଥିବା ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ ମଣିକ୍ୟାଲା। ଯୁବତୀଙ୍କୁ ବୁଡ଼ି ଯାଉଥିବା ଦେଖି ଏନଡିଆରଏଫ୍ ଟିମକୁ ଅପେକ୍ଷା ନ କରି ପୁଲିସକର୍ମୀଜଣଙ୍କ ବ୍ରିଜ୍ ତଳକୁ ଡ଼େଇଁଥିଲେ। ୫୦୦ମିଟର ପହଁରିବା ପରେ ସେ ଯୁବତୀଙ୍କ ପାଖରେ ପହଞ୍ଚିଥିଲେ। ଅନ୍ୟ ପକ୍ଷରେ ଘଟଣା ବିଷୟରେ ଜାଣି ମାଛଧରାଳିମାନେ ନିଜର ଡ଼ଙ୍ଗା ନେଇ ପୁଲିସକର୍ମୀଙ୍କ ପାଖରେ ପହଞ୍ଚିବା ସହ ଦୁହିଁଙ୍କୁ ଡ଼ଙ୍ଗାରେ କୂଳକୁ ଅଣିଥିଲେ। ଏହା ପରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଏବେ ଅବନିଗଡ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।