ଏଥର କୁମ୍ଭମେଳାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ କ୍ରୁଜ୍‌ ମାଧ୍ୟମରେ ଦର୍ଶନ କରିପାରିବେ ପ୍ରୟାଗରାଜର ଆଖପାଖ ଦର୍ଶନୀୟ ସ୍ଥାନ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଏଥର କୁମ୍ଭ ମେଳା ଗତ ବର୍ଷର ତୁଳନାରେ ବହୁତ ଭବ୍ୟ ହେବାକୁ ଯାଉଛି। ଏହାର କାରଣ ଏହା ଯେ, କୁମ୍ଭ ମେଳାରେ ଏଥର ଶ୍ରଦ୍ଧାଳୁଙ୍କ ଓ ପର୍ଯ୍ୟଟକଙ୍କୁ ରେଳପଥ, ସଡକ ପଥ ଓ ଆକାଶ ମାର୍ଗ ସହିତ ଜଳପଥରେ ବି ଆଣିବାର ପ୍ରସ୍ତୁତି କରାଯାଇଛି । କୁମ୍ଭରେ ପହଂଚିବାକୁ ଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ କ୍ରୁଜ୍ ସେବା ମାଧ୍ୟମରେ ପ୍ରୟାଗରାଜର ଆଖପାଖର ଦର୍ଶନୀୟ ସ୍ଥାନ ଦର୍ଶନ କରାଯିବ ।

ଭିଡରୁ ବଂଚି କୁମ୍ଭ ମେଳାକୁ ଆସିବା ପାଇଁ ଯମୂନା ନଦୀରେ ୫ଟି ଘାଟରେ ଟର୍ମିନାଲ ନିର୍ମିତ ହୋଇଛି । ଯେଉଁଠାରୁ ଲୋକ କ୍ରୁଜରେ ଯାତ୍ରା କରି ସିଧା ମେଳାକୁ ଆସିପାରିବେ । ଏହି ସୂଚନା ଗଙ୍ଗା ଜାତୀୟ ଜଳମାର୍ଗ-୧ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର ପାଣ୍ଡେ ଦେଇଛନ୍ତି । ଭାରତୀୟ ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରାଧିକରଣ କିଲା ଘାଟ, ସରସ୍ୱତୀ ଘାଟ, ନୈନି ଓଲ୍ଡ ବ୍ରିଜ୍ ଓ ସୁଜାବନ ଘାଟରେ ଗୋଟିଏ-ଗୋଟିଏ ଫ୍ଲୋଟିଙ୍ଗ ଟର୍ମିନାଲ ସ୍ଥାପନ କରାଯାଇଛି।

ମେଳା ସମୟରେ ସି.ଏଲ. କସ୍ତୁରବା ଓ ସି.ଏଲ. କମଳା କ୍ରୁଜ୍ ଯାତ୍ରୀଙ୍କ ସେବାରେ ରହିବେ । ଯାତ୍ରୀଙ୍କ ସୁବିଧା ପାଇଁ ଚଟନାଗ, ସିରସା, ସୀତାମଢ଼ୀ, ବିନ୍ଧ୍ୟାଂଚଳ ଓ ଚୁନାରରେ ୫ଟି ଅସ୍ଥାୟୀ ଜେଟି ସ୍ଥାପନ କରାଯାଇଛି । ଏହି ଜାହାଜ ଗୁଡିକରେ ସୁରକ୍ଷାର ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ଓ ଦୁଇ ଜଣ ବୁଡାଳୀଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏପର୍ଯ୍ୟନ୍ତ ଲୋକଙ୍କୁ ସହରରୁ ମେଳାକୁ ଆସିବା ପାଇଁ ଅନେକ ଦୂର ଚାଲିବାକୁ ପଡୁଥିଲା । କିନ୍ତୁ କ୍ରୁଜ୍ ସେବା ଆରମ୍ଭ ହେବା ଦ୍ୱାରା ଲୋକଙ୍କୁ ବିଶେଷ କରି ବୃଦ୍ଧଙ୍କୁ ବହୁତ ସୁବିଧା ମିଳିବ । ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ ପୁରା ପ୍ରଶିକ୍ଷଣ ଦିଆଯିବ ଏବଂ ସେମାନେ ହିଁ ଏହାର ପରିଚାଳନା କରିବେ । କ୍ରୁଜ୍ ର ଭଡା ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବେ ।

 

ସମ୍ବନ୍ଧିତ ଖବର