ଶିକ୍ଷାନୁଷ୍ଠାନ ବନ୍ଦ, କର୍ମଚାରୀଙ୍କ ଛୁଟି ବାତିଲ

ସଚିବାଳୟରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ବ, ସେନା ସହ ଯୋଗାଯୋଗ କଲେ ସରକାର

ଭୁବନେଶ୍ବର : ‘ତିତଲି’ର ମୁକାବିଲା କରି ଧନ, ଜୀବନକୁ ସୁରକ୍ଷିତ ରଖିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସଚିବାଳୟ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ତୁହାକୁ ତୁହା ବୈଠକ ବସି ସ୍ଥିତିର ସମୀକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପରିସ୍ଥିତିର ସମୀକ୍ଷା କରି ୧୧ ଓ ୧୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ପଡ଼ିଲେ ସେନାର ସହଯୋଗ ନେବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବାୟୁସେନ, ନୌସେନା ଓ ସ୍ଥଳସେନା ସହ ସରକାର ଯୋଗାଯୋଗରେ ରହିଛନ୍ତି।

ସ୍କୁଲ୍‌, କଲେଜ ଛୁଟି ହୋଇଥିଲେ ବି ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ବାଧ୍ୟତାମୂଳକ ଉପସ୍ଥିତ ରହିବେ। ଏହା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଛୁଟି ନେଇଥିବା କମର୍ଚାରୀମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନି‌େର୍ଦ୍ଦଶ ଜାରି ହୋଇଛି।

ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ବାରୋପ କରିଥିଲେ। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଲୋକମାନଙ୍କୁ ସ୍ଥାନାନ୍ତର କରି ନିରାପଦ ଆଶ୍ରୟସ୍ଥଳ‌େର ରଖିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏହି ଆଶ୍ରୟସ୍ଥଳଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ ଓ ପରିମଳ ବ୍ୟବସ୍ଥା ସହ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କୁହାଯାଇଛି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସକାଳୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ଅନ୍ୟ ଚାରିଟି ଜିଲ୍ଲାର କିଛି କିଛି ସ୍ଥାନରେ ଅପରାହ୍ନରେ ସ୍ଥାନାନ୍ତର କରାଯାଇଛି। ତିତଲିର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍ ଓ ଓଡ୍ରାଫ୍ ଟିମ୍‌କୁ ପ୍ରଭାବିତ ଜିଲ୍ଲାମାନଙ୍କରେ ମୁତୟନ କରାଯାଇଛି। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ବି ପ୍ରସ୍ତୁତ ରଖାଯାଇଛି।

ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପରେ କ୍ଷତିଗ୍ରସ୍ତ ରାସ୍ତାଘାଟ, ବିଜୁଳି, ପାନୀୟ ଜଳଯୋଗାଣ କେନ୍ଦ୍ରଗୁଡ଼ିକରେ ବିକଳ୍ପ  ବିଦ୍ୟୁତ ଯୋଗାଣ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ‌

ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଦୁଇ ଦିନ ବ୍ୟାପୀ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିବାରୁ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ବିଭାଗର ପ୍ରମୁଖ ସଚିବ ପି କେ ଜେନା କହିଛନ୍ତି, ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷ କରି ଋଷିକୂଲ୍ୟା ଓ ବଂଶଧାରା ଅବବାହିକାରେ ଅଧିକ ବର୍ଷା ହୋଇ ପ୍ରଭାବିତ ହେବାର ଆଶଙ୍କା ରହିଛି। ଦକ୍ଷିଣ ଜିଲ୍ଲାଗୁଡ଼ିକରେ ବନ୍ୟା ଜଳ ରଖିବା ପାଇଁ ଜଳଭଣ୍ଡାରଗୁଡ଼ିକରେ ଯଥେଷ୍ଟ ସ୍ଥାନ ରହିଛି ଓ ବର୍ଷାର ସ୍ଥିତିକୁ ଦେଖି ପାଣି ଛାଡ଼ିବା ପାଇଁ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର