ଦାରୁରୂପୀ ଜଗନ୍ନାଥ ଓ ଦଶାବତାର ଯାତ୍ରା

0 152

ଦାରୁରୂପୀ ଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି, ତାଙ୍କର ଆଦର୍ଶ ଧର୍ମ ଧାରାରେ ପ୍ରଭାବିତ ହୋଇ ସାରା ବିଶ୍ୱରେ ଜଗନ୍ନାଥ ହିଁ ଆରାଧ୍ୟ। ଜଗନ୍ନାଥ ସଂସ୍କୃତି ହିଁ ବିଶ୍ୱ ସଂସ୍କୃତି ଭାବରେ ସର୍ବସ୍ୱୀକୃତ। ଶ୍ରୀ ଜଗନ୍ନାଥ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦୃଷ୍ଟିଭଙ୍ଗୀରେ ସ୍ୱାଭିଳଷିତ ରୂପରେ ବିଦ୍ୟମାନ। ତେଣୁ, ପ୍ରତ୍ୟେକ ଧର୍ମ ସଂହତି-ସଂପୃକ୍ତ ହୋଇ ଗଢ଼ିଉଠିଛି। ଶ୍ରୀକ୍ଷେତ୍ରରେ ବାରମାସରେ ତେରଯାତ୍ରା। ଜଗନ୍ନାଥ ସାହିତ୍ୟରେ ବିଭିନ୍ନ ଗ୍ରନ୍ଥରେ ଶ୍ରୀ ଜଗନ୍ନାଥଙ୍କର ଯାନିଯାତ୍ରାର ବର୍ଣ୍ଣନା ପରିଦୃଷ୍ଟ ହୁଏ। ସେଥିମଧ୍ୟରୁ ଦ୍ୱାଦଶଯାତ୍ରା ହିଁ ଶାସ୍ତ୍ରୀୟ ତଥା ପାରମ୍ପରିକ ଭାବରେ ପାଳିତ। ଏହି ଦ୍ୱାଦଶଯାତ୍ରା ମଧ୍ୟରେ ରଥଯାତ୍ରା ଏକ ପ୍ରଧାନଯାତ୍ରା ଭାବେ ସାରା ବିଶ୍ୱରେ ସୁବିଦିତ।

ଶ୍ରୀ ଜଗନ୍ନାଥ ଉତ୍କଳୀୟ ସାହିତ୍ୟ, ସଂସ୍କୃତି, ଜୀବନ, ଦର୍ଶନ, ଭାବ ଓ ଧର୍ମର କେବଳ ପ୍ରାଣକେନ୍ଦ୍ର ନୁହନ୍ତି, ସର୍ବଧର୍ମ ସମନ୍ଵୟର ପ୍ରତୀକ ସେ। ରୁଦ୍ର ଯାମଳ ବା ତନ୍ତ୍ରଯାମଳରେ ଉଲ୍ଲେଖ କରାଯାଇଛି-
‘‘ଭାରତେ ଚୋତ୍କଳେ ଦେଶେ, ଭୂସ୍ୱର୍ଗେ ପୁରୁଷୋତ୍ତମେ।
ଦାରୁ ରୂପୀ ଜଗନ୍ନାଥୋ, ଭକ୍ତାନାମଭୟପ୍ରଦମ୍‌।।

ଉତ୍କଳୀୟ ପରମ୍ପରାର ପାରିବାରିକ ଜୀବନରେ ଯେପରି ଗୋଟିଏ ଶିଶୁ ଜନ୍ମଠାରୁ ହାତଗୋଡ଼ ଚଳି ଚାଲିବା ପର୍ଯ୍ୟନ୍ତ ପିତାମାତାଙ୍କର ଦୃଷ୍ଟି ଅଧୀନରେ ରହେ, ସେହିପରି ଶ୍ରୀଜଗନ୍ନାଥ ତାଙ୍କ ଜନ୍ମଠାରୁ ଭ୍ରମଣ ପର୍ଯ୍ୟନ୍ତ ତାଙ୍କର ପରିବାର ପରିଜନଙ୍କ ଅଧୀନରେ ରହନ୍ତି। ସ୍ନାନ ପୂର୍ଣ୍ଣମୀ ଦ୍ୱାଦଶ ଯାତ୍ରାର ପ୍ରଥମ ଓ ଏହା ଶ୍ରୀଜଗନ୍ନାଥଙ୍କର ଜନ୍ମଦିବସ ଭାବରେ ପାଳିତ ହୋଇଥାଏ। ଏହି ସ୍ନାନପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ ବଡ଼ ହୋଇ ବାହାରେ ଚଲାବୁଲା କରନ୍ତି। ପ୍ରଥମେ ଗୃହ ଭିତରେ ପାହାଚ ଉଠନ୍ତି ଅର୍ଥାତ୍‌ ମନ୍ଦିର ବେଢ଼ା ଭିତରେ ଥିବା ସ୍ନାନବେଦୀ ଉପରକୁ ଗମନ କରନ୍ତି, ପରେ ଗୃହର ବାହାରକୁ ତଥା ପରେ ପରେ ଦୂରକୁ ଭ୍ରମଣରେ ଯାଇ ନିରାପଦରେ ଫେରିଆସନ୍ତି। ଅର୍ଥାତ୍‌ ରଥରେ ଯାଇ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଯାତ୍ରାରେ ଫେରି ଆସି ପୁନଃ ମନ୍ଦିରରେ ପ୍ରବେଶ କରିବା ପର୍ଯ୍ୟନ୍ତ ନିଜର ଶାବର ବଂଶଧର ଦଇତାପତିମାନଙ୍କର ଅଧୀନରେ ରହନ୍ତି। ଶ୍ରୀଜଗନ୍ନାଥଙ୍କର ସେବା-ପୂଜାଦି ସମସ୍ତ କାର୍ଯ୍ୟର ତତ୍ତ୍ୱାବଧାନ ସେହି ଶାବର ସମ୍ପ୍ରଦାୟର ଦଇତାମାନଙ୍କ ଉପରେ ନ୍ୟସ୍ତ ଥାଏ।

ଶୁକ୍ଳପକ୍ଷ ଦ୍ୱିତୀୟା ଶୁଭ ତିଥିରେ ମହାସମାରୋହରେ ପାଳିତ ହୁଏ। ‘ଯାତ୍ରା କଦମ୍ବ’ ଗ୍ରନ୍ଥରେ କବି ବର୍ଣ୍ଣନା କରିଛନ୍ତି-
‘‘ମଦନ ଗୋପାଳ ବିଜେ, ପ୍ରଭୁ ପାରୁଶେ।
ବଳଦେବ ପାଶେ, ରାମକୃଷ୍ଣ ବିଳାସେ।।

ଧନ୍ୟ ସେ ରଥ, ହରେ ନୟନ ପଥ, ଶୋଭାବରେ ଦରଶନେ ଜନେ କୃତାର୍ଥ।’’ ଲକ୍ଷାଧିକ ଲୋକଙ୍କର ସମାବେଶ। ସମବେତ ଜନସମୁଦ୍ରର ଭାବୋଚ୍ଛ୍ୱାସ ଓ ମେଦିନୀ ଥରା ଜୟଧ୍ୱନି, ରଥଟଣା ବେଳର ନୃତ୍ୟ, ସଙ୍ଗୀତ ମୁଖର ବିଶାଳ ଶୋଭାଯାତ୍ରା, ରଥ ସାରଥି ତଥା ଡାହୁକର ଅଶ୍ଳୀଳ ବୋଲି ଭାବଭଙ୍ଗୀ, ପଣ୍ଡାପଢ଼ିଆରୀ ଇତ୍ୟାଦି ସେବକମାନଙ୍କର ନାରିକେଳ ଆକ୍ରମଣରୁ ଆତ୍ମରକ୍ଷା ଓ ବୃତ୍ତିମୂଳକ କୌଶଳ, ରଥ ଚକ ତଳେ ବିଶ୍ୱାସଭାବାପନ୍ନ ଭକ୍ତମାନଙ୍କର ଆତ୍ମୋତ୍ସର୍ଗ, ଗୋରାମାନଙ୍କର ଭାବବିହ୍ଵଳ ନୃତ୍ୟ ଓ ନାମସଂକୀର୍ତ୍ତନାଦି ବେଶ୍‌ ଉପଭୋଗ୍ୟ।

ରଥଯାତ୍ରାର ପ୍ରାଚୀନତା ଦୃଷ୍ଟିରୁ ବିଚାର କଲେ ଅନ୍ଧାରରେ ପଡ଼ି ଛଟପଟ ବ୍ୟତୀତ ଆଉ କିଛି ନୁହେଁ। ନାନା ମୁନିଙ୍କର ନାନା ମତ ଭଳି ବିଭିନ୍ନ କାଳର ନିଦର୍ଶନ ମିଳେ। କେତେକ ଗବେଷକ ମତପ୍ରଦାନ କରିଛନ୍ତି ଯେ ଖ୍ରୀ ୧୨୭୦ ଅର୍ଥାତ୍‌ ତ୍ରୟୋଦଶ ଶତାବ୍ଦୀରେ ଭାନୁଦେବଙ୍କ କାଳ ପୂର୍ବରୁ ରଥଯାତ୍ରା ପ୍ରଚଳିତ। କାରଣ ତାଙ୍କ ସମୟରେ ୩ଟି ରଥ ନିର୍ମିତ ହୋଇଥିଲା। ଆଉ କେତେକଙ୍କ ମତରେ ଦ୍ୱାଦଶ ଶତାବ୍ଦୀରେ ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ କାଳରେ ତାଙ୍କର ସ୍ୱପତ୍ନୀ ଗୁଣ୍ଡିଚା ରାଣୀଙ୍କ ନାମରେ ନାମିତ ଗୁଣ୍ଡିଚାଯାତ୍ରା ପ୍ରଚଳିତ। ମୁରାରି ମିଶ୍ରଙ୍କ ରଚିତ ‘ଅନର୍ଘରାଘବ’ ନାମକ ଗ୍ରନ୍ଥର ପ୍ରାଚୀନତା ଦୃଷ୍ଟିରୁ ବିଚାର କଲେ, ସେଥିରେ ରଥଯାତ୍ରାର ବର୍ଣ୍ଣନା ରହିଛି ଓ ଏହି ଯାତ୍ରା ଖ୍ରୀଷ୍ଟୀୟ ୧୧ଶ ଶତାବ୍ଦୀରୁ ପ୍ରଚଳିତ ବୋଲି ସ୍ପଷ୍ଟ ସୂଚନା ଦିଏ। ଆଉ କେତେକ କହନ୍ତି, ଖ୍ରୀଷ୍ଟୀୟ ୯ମ ଶତାବ୍ଦୀରୁ ପ୍ରଚଳିତ। କାରଣ ମହାରାଜା ଇନ୍ଦ୍ରଭୁତି ଉକ୍ତ ଯାତ୍ରା ଆରମ୍ଭ କରିଥିଲେ। ଅନେକେ ମଧ୍ୟ ୮ମ ଶତାବ୍ଦୀରୁ ରଥଯାତ୍ରା ଆରମ୍ଭ ହେବାଲି ମତ ପ୍ରଦାନ କରନ୍ତି। ‘ଭବିଷ୍ୟ ପୁରାଣ’ ବୁଦ୍ଧଦେବଙ୍କର ଜନ୍ମର ବହୁ ସହସ୍ର ବୈଦିକ ଯୁଗରେ ଦେବତାମାନଙ୍କର ରଥଯାତ୍ରାର ନିଦର୍ଶନ ଅଥର୍ବ ବେଦ (୨୦-୧୪-୪)ରୁ ମିଳେ। ଏଥିରେ ସମସ୍ତ ଦେବତାଙ୍କୁ ଗୋଟିଏ ରଥରେ ବା ଗୋଟିଏ ଗୋଟିଏ ରଥରେ ବସି ଆସିବା ପାଇଁ ଅଗ୍ନି ନିର୍ଦ୍ଦେଶ ଦେଇଥିଲେ। ଏଣୁ ଶ୍ରୀଜଗନ୍ନାଥଙ୍କ ରଥରେ ବହୁ ଦେବତା ଏକତ୍ର ବସି ଗମନ କରିଥାନ୍ତି। ମୋଟାମୋଟି କହିବାକୁ ଗଲେ ରଥଯାତ୍ରା ଆରମ୍ଭର ନିର୍ଦ୍ଦିଷ୍ଟକାଳ ଗଣନା କରିବା କଷ୍ଟସାଧ୍ୟ। ତଥାପି ଏହା ନିଶ୍ଚିତ ଭାବରେ ଅତି ପୁରାତନ ବୋଲି କୁହାଯାଇପାରେ। ପ୍ରଥମେ ଗୋଟିଏ ରଥ, ତା’ପରେ ୬ଟି ରଥ ଓ ପରେ ତିିନିଟି ରଥ ନିର୍ମିତ ହୋଇଥିବାର ପ୍ରମାଣ ମିଳେ।

‘ମାଦଳା ପାଞ୍ଜି’ ଅନୁସାରେ ରଥଯାତ୍ରା ଦ୍ୱିତୀୟ ନରସିଂହ ଦେବଙ୍କ ସମୟ ପୂର୍ବରୁ ଅନୁଷ୍ଠିତ ହେଉଥିବାର ସୂଚନା ମିଳେ। ସେଥିରେ ବର୍ଣ୍ଣିତ ଅଛି ଯେ ପ୍ରଥମେ ୬ଟି ରଥ ନିର୍ମିତ ହେଉଥିଲା। କାରଣ ବଡ଼ଶଙ୍ଖ ଉପରେ ‘ଶଙ୍ଖୁଆ’ ନଦୀର ଏକ ଶାଖା ‘ମାଳିନୀ’ ନଦୀ ପ୍ରବାହିତ ହୋଇ ଚକ୍ରତୀର୍ଥ ଠାରେ ସମୁଦ୍ର ସହିତ ସଂଯୁକ୍ତ ହୋଇଥିଲା। ବର୍ତ୍ତମାନ ତାହା ଅନ୍ତର୍ଦ୍ଧାନ ହୋଇଥିଲେ ମଧ୍ୟ ଏହାର କିଞ୍ଚିତ ଆଭାସ ଚକ୍ରତୀର୍ଥ ନିକଟରେ ଥିବା ମଧୁର ପାଣିରୁ ମିଳେ। ସିଂହଦ୍ୱାର ଠାରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ରଥରେ ବସି ନଦୀ ପର୍ଯ୍ୟନ୍ତ ଯାଉଥିଲେ। ସେଠାରେ ନଦୀ ପାର ହୋଇ ଆରପାଖରେ ଥିବା ତିନିଟି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିଲେ। ଏଣୁ ପ୍ରାୟ ଏକ ମାସରୁ ଅଧିକା ସମୟ ଲାଗୁଥିଲା। ଦିନେ ମହାରାଣୀ ଶ୍ରଦ୍ଧାଦେବୀଙ୍କ ଅନୁରୋଧରେ ନରସିଂହ ଦେବ ବାଲି ପକାଇ ନଦୀକୁ ପୋତିଦେବାରେ ମାତ୍ର ତିନିଟି ରଥରେ ରଥଯାତ୍ରା ସମ୍ଭବ ହେଲା। ସେହି ମାଳିନୀ ନଦୀର ପୋତା ସ୍ଥାନଟି ରାଣୀ ଶ୍ରଦ୍ଧାଦେବୀଙ୍କ ନାମରେ ‘ଶରଧା ବାଲି’ ବୋଲି ନାମିତ ହେଲା। ଏହି ଶରଧା ବାଲି ଠାରେ ରଥ ତିନିଟି ଅବସ୍ଥାନ କରନ୍ତି ଓ ଦକ୍ଷିଣ ମୋଡ଼ ହୁଏ।

ପବିତ୍ର ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ କେତେକ ବିଶେଷ ନୀତି ଓ ବିଧିବିଧାନ ପ୍ରଚଳିତ। ସ୍ନାନ ପୂର୍ଣ୍ଣମୀ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ଅନବସରରେ ରହିଥାନ୍ତି। ଶେଷ ଦିନକୁ ‘ନେତ୍ର ଉତ୍ସବ’ ବା ନବଯୌବନ ଦର୍ଶନ କହନ୍ତି। ନବଯୌବନ ଦର୍ଶନ ଶ୍ରୀଜଗନ୍ନାଥ ଜ୍ୱର ପୀଡ଼ନରୁ ମୁକ୍ତି ଲାଭ କରି ସୁସ୍ଥ ଶରୀର ଧାରଣ କରନ୍ତି। ତା’ ପରଦିନ ଶ୍ରୀଗୁଣ୍ଡିଚା। ଉକ୍ତ ପବିତ୍ର ଦିବସର ପ୍ରାତଃ କାଳରୁ ଜିଉଙ୍କର ମଙ୍ଗଳ ଆଳତି, ମଇଲମ, ତଡ଼ପ ନାଗି, ରୋଷ ହୋମ, ଅବକାଶ, ରବି ପୂଜା, ଦ୍ୱାରପାଳ ପୂଜା, ଫୁଲ ବେଶ, ସକାଳ ବଲ୍ଲଭ, ସକାଳ ଧୂପ ରଥ ପ୍ରତିଷ୍ଠା ହୁଏ। ସିଂହଦ୍ୱାର ଠାରେ ରଥ ପ୍ରତିଷ୍ଠା ହୁଏ। ତା ପରେ ମଙ୍ଗଳାର୍ପଣ ପ୍ରଭୁ ପହଣ୍ଡି ବିଜେ କରନ୍ତି। ଏହି ପହଣ୍ଡିକୁ ‘ଧାଡ଼ି ପହଣ୍ଡି’ କୁହାଯାଏ। ପ୍ରଥମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ସର୍ବଶେଷରେ ଜଗନ୍ନାଥ ଆସି ରଥରେ ସ୍ୱସ୍ଥାନରେ ଅବସ୍ଥାନ କରନ୍ତି। ପ୍ରଥମେ ସୁଦର୍ଶନ ଆସି ତିନିରଥ ଚାରିପଟେ ଥରେ ଘୂରିବା ପରେ ଯାଇ ସୁଭଦ୍ରାଙ୍କ ରଥରେ ଅବସ୍ଥାନ କରନ୍ତି। ତା’ ପରେ ଚିତାଲାଗି ହୋଇ ଛେରାପହଁରା ଆରମ୍ଭ ହୁଏ। ରାଜ ଉଆସରୁ ଗଜପତି ମହାରାଜା ବିମାନ ଯୋଗେ ଆସି ବଳଭଦ୍ରଙ୍କ ରଥ ପାଖରେ ଅବତରଣ କରନ୍ତି। ସଙ୍ଗରେ ରାଜଗୁରୁ, ପଟୁଆର ଓ ସେବକମଣ୍ଡଳୀ। ପ୍ରଥମେ ରାଜଗୁରୁ ଅଭିମନ୍ତ୍ରିତ କରି ସୁବର୍ଣ୍ଣ ଖଡ଼ିକା ମୁଠା ରାଜାଙ୍କ ହାତକୁ ବଢ଼ାନ୍ତି। ତା ପରେ ରଥରେ ଚୂନପାଣି ଛିଞ୍ଚାଯାଏ। ତୂରୀ ବାଜିବା ପରେ ରାଜା ଛେରାପହଁରା କରନ୍ତି ଅର୍ଥାତ୍‌ ସୁବର୍ଣ୍ଣ ଖଡ଼ିକା ମୁଠା ଧରି ରଥକୁ ଓଳାନ୍ତି। ଛେରାପହଁରା କରି କରି ରଥ ଚାରିପଟେ ଥରେ ବୁଲି ଆସିଲେ ପୁନର୍ବାର ତୂରୀ ବାଜେ। ତା ପରେ ପୁଣି ଦୁଇଥର ଚନ୍ଦନ ପାଣି ରଥ ଚାରିପଟେ ଛିଞ୍ଚନ୍ତି। ସର୍ବମୋଟ ଛଅଥର କାହାଳୀ ବାଜେ; ଏହିପରି ବଳଭଦ୍ରଙ୍କ ରଥରେ ଛେରାପହଁରା କାର୍ଯ୍ୟ ଶେଷ ହେଲେ ସୁଭଦ୍ରାଙ୍କ ରଥରେ ଓ ପରେ ପରେ ଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମାପ୍ତ ହୁଏ। ରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କାର୍ଯ୍ୟ ତୁଲାନ୍ତି।

ଛେରାପହଁରା ପରେ ରାଜା ନବରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ତା ପରେ ନେଳି ପୋଷାକ ପିନ୍ଧିଥିବା ସାରଥି ବଳଭଦ୍ରଙ୍କ ରଥରେ, କଳାପୋଷାକ ପରିଧାନ କରିଥିବା ସାରଥି ସୁଭଦ୍ରାଙ୍କ ରଥରେ ଓ ହଳଦିଆ ପୋଷାକଧାରୀ ସାରଥି ଜଗନ୍ନାଥଙ୍କ ରଥରେ ବିଜେ କରନ୍ତି। ତା ପରେ ଚାରମାଳ ଫିଟାଯାଏ। ମଠରୁ ଆସିଥିବା ତିନିଟି ଚୂଳ ଲାଗି କରାଯାଏ। ଘୋଡ଼ା କାଠ ବନ୍ଧା ହେବା ପରେ ଚାରିଟି କଳା ଘୋଡ଼ା ବଳଭଦ୍ରଙ୍କ ରଥରେ, ଚାରିଟି ନାଲି ଘୋଡ଼ା ସୁଭଦ୍ରାଙ୍କ ରଥରେ ଓ ଚାରିଟି ଧଳା ଘୋଡ଼ା ସୁଭଦ୍ରାଙ୍କ ରଥରେ ବନ୍ଧାଯା’ନ୍ତି। ତା ପରେ ପ୍ରତ୍ୟେକ ରଥରେ ଚାରିଟି ଲେଖାଏଁ ଦଉଡ଼ି ଲାଗେ। ତା ପରେ ତୂରୀ, କାହାଳୀ, ଘଣ୍ଟ ବାଜିବା ପରେ ‘ଡାହୁକ’ ନିର୍ଦ୍ଦେଶରେ ରଥଟଣା ଆରମ୍ଭ ହୁଏ।

ଉକ୍ତ ରଥଯାତ୍ରା, ଘୋଷଯାତ୍ରା, ଦଶାବତାର ଯାତ୍ରା ବା ବାମନଯାତ୍ରା ନବଦିନ ବ୍ୟାପୀ ଅନୁଷ୍ଠିତ ହୁଏ। ଏହି ରଥଯାତ୍ରା କାଳରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ଉକ୍ତ ଭଗବାନଙ୍କର ମୁଖାରବିନ୍ଦ ଦର୍ଶନ ଓ ସ୍ପର୍ଶ କରିବାକୁ ସୁଯୋଗ ପାଆନ୍ତି।

ଯୋଗାଚାର୍ଯ୍ୟ ପଣ୍ଡିତ ରମାକାନ୍ତ କର
ସଂପାଦକ, ‘ଯୋଗ ପଲ୍ଲବ’, ଗୁଡ଼ିଆ ସାହି, ପୁରୀ,ମୋ.-୯୮୬୧୨୩୮୩୫୧

ସମ୍ବନ୍ଧିତ ଖବର

Leave A Reply

Your email address will not be published.