ନୂଆଦିଲ୍ଲୀ : ଆୟରଲ୍ୟାଣ୍ଡର କିଲକେନିରେ ଏକ ଅଜବ ଘଟଣା ଘଟିଛି । କଫିନ୍ ଭିତରେ ରଖାଯାଇଥିବା ଶବ ହଠାତ୍ କଥା କହି ଉଠିବାରୁ ଉପସ୍ଥିତ ଥିବା ସବୁ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଥମେ କେହି କିଛି ବୁଝି ପାରୁ ନଥିଲେ ମଧ୍ୟ ପରେ ଘଟଣାଟି ସ୍ପଷ୍ଟ ହୋଇଥିଲା । କିଛି ଲୋକେ ମୃତ ଶାୟ ବ୍ରେଡ୍ଲି ଜୀବିତ ବୋଲି ଭାବିଥିବା ବେଳେ ପରେ ସେମାନଙ୍କର ସନ୍ଦେହ ଦୂର ହୋଇଥିଲା ।
ସୂଚନା ମୁତାବକ, ଶାୟ ବ୍ରେଡ୍ଲିଙ୍କ କଫିନ୍ ଭିତରୁ ହଠାତ୍ ଶୁଭିଥିଲା କି, ପାଦ୍ରୀଜୀ ମୋତେ ଶୁଣି ପାରୁଛନ୍ତି କି? ମୁଁ ଶାୟ, ବକ୍ସ ଭିତରେ ଅଛି । ମୋତେ ବାହାରକୁ ବାହାର କରନ୍ତୁ । ଭିତରେ ବହୁତ ଅନ୍ଧାର । ଏହା ଶୁଣି ପାଦ୍ରୀ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ପରିବାର ଲୋକେ ହସିବାକୁ ଲାଗିଥିଲେ । ପରେ କଫିନ୍ ଭିତରୁ ଶୁଭିଥିଲା, ହେଲୋ....ମୁଁ କେବଳ ଗୁଡ୍ବାଏ କହିବା ପାଇଁ କଲ୍ କରିଥିଲି । ଶାୟଙ୍କ ପରିବାର ବ୍ୟତୀତ ଏ ବିଷୟରେ କେହି କିଛି ବୁଝି ପାରୁ ନଥିଲେ । ଯାହା ପରେ ଶାୟଙ୍କ ଝିଅ ସମସ୍ତଙ୍କ ଦ୍ୱନ୍ଦ୍ୱ ଦୂର କରିଥିଲେ ।
ତାଙ୍କ ଝିଅ ଆଣ୍ଡ୍ରିଆଙ୍କ କହିବା ଅନୁଯାୟୀ, ବାପା ୩ବର୍ଷ ହେଲା ରୋଗଗ୍ରସ୍ତ ଥିଲେ । ତାଙ୍କ ପାଇଁ ପରିବାର ଚିନ୍ତାରେ ରହୁଥିବାରୁ ଗତ ବର୍ଷଠାରୁ ମୃତ୍ୟୁ ପରେ ସେ ଏଭଳି ଥଟ୍ଟା କରିବେ ବୋଲି ପ୍ରସ୍ତୁତି କରିଥିଲେ । ତାଙ୍କର ଏଭଳି କଥାକୁ ରେକର୍ଡ କରାଯାଇ ରଖାଯାଇଥିଲା । ଯାହାକୁ କଫିନ ଭିତରେ ରଖି ଦିଆଯାଇଥିଲା । ଏଭଳି କଥାକୁ ଶୁଣି ତାଙ୍କ ପରିବାର ଦୁଃଖୀ ହେବା ପରିବର୍ତ୍ତେ ଖୁସି ହେବେ ବୋଲି ଭାବି ବାପା ଏଭଳି ଯୋଜନା କରିଥିଲେ ।