ଟ୍ରକ ଡ୍ରାଇଭରଙ୍କ ପରିବାରକୁ ନିଜ ଦରମାର ଅଧା ଦେଉଛନ୍ତି ଏହି ଆଇପିଏସ୍‌ ଅଫିସର!

ଟ୍ରକ ଡ୍ରାଇଭରଙ୍କ ପରିବାରକୁ ନିଜ ଦରମାର ଅଧା ଦେଉଛନ୍ତି ଜଣେ ଆଇପିଏସ୍‌ ଅଫିସର। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ମାନବିକତାର ପରିଚୟ ଦେଇଛନ୍ତି ଉତ୍ତର ପଶ୍ଚିମ ଦିଲ୍ଲୀର ଡିସିପି ଅସଲମ ଖାନ୍‌। ଏହି ଆଇପିଏସ ଅଫିସର ଜଣକ ଗତ କେତେ ମାସ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ସୁଚେତଗଡର ଏକ ପରିବାରକୁ ନିଜ ଦରମାର କିଛି ଅଂଶ ପଠାଉଛନ୍ତି। ସବୁଠାରୁ ବଡ କଥା ହେଉଛି ଅଫିସର ଜଣଙ୍କ ଉକ୍ତ ପରିବାରକୁ ଭେଟି ନଥିବା ସତ୍ତ୍ୱେ ମଧ୍ୟ ଏଭଳି ସହାୟତା ପାଇଁ ଆଗକୁ ଆସିଛନ୍ତି। ଟଙ୍କା ପଠାଇବା ସହ ପ୍ରତି ୩ ଦିନରେ ଉକ୍ତ ପରିବାରକୁ ଫୋନ କରି ଖବର ବୁଝିଥାନ୍ତି। ତେବେ ଏହା ପଛରେ କଣ କାରଣ ରହିଛି ଜାଣିଲେ କାହାର ଭି ମଧ୍ୟ ହୃଦୟ ତରଳିଯିବ।

ପ୍ରକୃତ ଘଟଣା ହେଉଛି, ଜାନୁଆରୀ ୯ ତାରିଖରେ ଦିଲ୍ଲୀର ଜାହାଙ୍ଗୀରପୁରୀର ମାନସିଂହ ନାମକ ଜଣେ ଟ୍ରକ ଡ୍ରାଇଭରଙ୍କୁ ଲୁଟ୍‌ କରିବା ଉଦ୍ୟମରେ ହତ୍ୟା କରାଯାଇଥିଲା। ତେବେ ମାନସିଂହଙ୍କ ପରିବାରରେ ୫ଜଣ ସଦସ୍ୟ ଥିବା ବେଳେ କେବଳ ମାନସିଂହ ହିଁ ଜଣେ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ। ପରିବାରର ମୁଖିଆଙ୍କ ଅଚାନକ ମୃତ୍ୟୁ କାରଣରୁ ପରିବାର ଉପରେ ଦୁଃଖରେ ପାହାଡ ଭାଙ୍ଗିପଡିଥିଲା। ଏହି ହତ୍ୟାକାଣ୍ଡର ତଦନ୍ତ ସମୟରେ ଡିସିପି ଅସଲମ ଖାନଙ୍କୁ ମାନସିଂହଙ୍କ ପରିବାରର ଅବସ୍ଥା ସମ୍ପର୍କରେ ଜଣାପଡିଥିଲା ଏବଂ ସେହିଦିନ ଠାରୁ ଡିସିପି ନିଜ ଦରମାର କିଛି ଅଂଶ ମାନସିଂହଙ୍କ ପରିବାରକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ମାନସିଂହଙ୍କ ପରିବାରରେ ତାଙ୍କ ଝିଅ ବଲଜୀତ କୌର(୧୮), ଜସତ୍ମି କୌର(୧୪), ପୁଅ ଅସତ୍ମି ସିଂହ(୯) ଏବଂ ମାନସିଂହଙ୍କ ସ୍ତ୍ରୀ ଦର୍ଶନ କୌର(୪୦) ଅଛନ୍ତି। ତେବେ ଏଭଳି ପରିସ୍ଥିତିରେ ଡିସିପି ଅସଲମ ଖାନ ସେମାନଙ୍କ ପାଇଁ ଭଗବାନଙ୍କ ଅବତାର ହୋଇ ଆସିଥିବା ଚର୍ଚ୍ଚା ହେଉଛି। ମାନସିଂହଙ୍କ ଝିଅଙ୍କ କହିବା ଅନୁଯାୟୀ, ବାପାଙ୍କ ମୃତ୍ୟୁ ପରେ ଘର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା। ସ୍କୁଲ ଫି ଦେବା ଠାରୁ ଆରମ୍ଭ କରି ଘର ଖର୍ଚ୍ଚ ଚଳାଇବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନଥିଲା। ଏପରିକି ଅନେକ ରାତି ସେମାନଙ୍କୁ ଭୋକ ଓପାସରେ ମଧ୍ୟ ଶୋଇବାକୁ ପଡିଛି। କିନ୍ତୁ ହଠାତ ଦିଲ୍ଲୀରୁ ଏକ ଫୋନ ଆସିଥିଲା ଏବଂ ଏହା ପରେ ସମସ୍ତ ଦୁଃଖ କମ ହେବାରେ ଲାଗିଥିଲା। ଡିସିପିଙ୍କର ଏଭଳି ସହାୟତାରେ ପ୍ରେରିତ ହୋଇ ମାନସିଂହଙ୍କ ଝିଅ ମଧ୍ୟ ପୋଲିସ ଅଫିସର ହେବା ପାଇଁ ଚାହୁଁଛନ୍ତି। ଆଉ ଏଥିପାଇଁ ଏବେ ଠାରୁ ସେ ପଢାପଢି ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର