ଦିଲ୍ଲୀର ଏହି କନେଷ୍ଟବଳଙ୍କ ନାମ ‘ହେଲମେଟ୍‌ ଭାଇ’ କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ କାମ ସରିଲା ପରେ ଘରକୁ ଯାଇ ଟିକେ ବିଶ୍ରାମ ନେବାକୁ କିମ୍ବା ସାଙ୍ଗସାଥୀଙ୍କ ସହିତ କିଛି ସମୟ ପାଇଁ ମଜାମଉଜ କରିବାକୁ ଚାହାନ୍ତି। କିନ୍ତୁ ଦିଲ୍ଲୀର କନେଷ୍ଟବଳ ସନ୍ଦୀପ କୁମାର ନିଜର ଡିୟୁଟି ସରିବା ପରେ ଯାହା କରନ୍ତି ତାହା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି କୁହାଯାଉଛି।

ସନ୍ଦୀପ କୁମାର ଦିଲ୍ଲୀରେ କନେଷ୍ଟବଳ ଭାବେ କାମ କରନ୍ତି। ସେ ସୁପ୍ରିମକୋର୍ଟର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ନିଜର ରୁଟିନ୍‌ ଜବ ପରେ ସନ୍ଦୀପ ଉତ୍ତର ପଶ୍ଚିମ ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଟ୍ରାଫିକ୍‌ ପୁଲିସଙ୍କ ସାହାଯ୍ୟ ପାଇଁ ପହଞ୍ଚି ଯାଇ ଥାଆନ୍ତି। ଏଠାରେ ସନ୍ଦୀପ ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ବାଇକ ଆରୋହୀଙ୍କ ସହିତ କଥାବର୍ତ୍ତା ହୋଇଥାଆନ୍ତି। ଯେଉଁମାନଙ୍କ ଉପରେ ବିନା ହେଲମେଟ ପାଇଁ ଜରିମାନା ଲାଗା ଯାଇଥାଏ।

ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବା ଯାତ୍ରୀଙ୍କୁ ସନ୍ଦୀପ ବିନା ହେଲମେଟରେ ଗାଡ଼ି ଚଳାଇବା ଦ୍ୱାରା କେଉଁକେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ, ତଥା ହେଲମେଟର ଫାଇଦା ସମ୍ପର୍କରେ ବୁଝାଇ ଥାଆନ୍ତି। ଏଥିସହିତ ସେ ଯାତ୍ରୀଙ୍କୁ ପୁଲିସକର୍ମୀମାନେ କାହିଁକି ସେମାନଙ୍କୁ ହେଲମେଟ ପିନ୍ଧିବାକୁ କହିଥାଆନ୍ତି ତାହା ବି ବୁଝାଇ ଥାଆନ୍ତି। ଯେତେବେଳେ ସନ୍ଦୀପଙ୍କୁ ଲାଗେ କି ସେ କହିଥିବା କଥା ଶ୍ରୋତା ବୁଝିଗଲେ ,ସେ ସେମାନଙ୍କୁ ଉପହାର ବାବଦରେ ହେଲମେଟ ଦେଇ ଥାଆନ୍ତି।

ବିଶେଷ କରି ସନ୍ଦୀପ ରାକ୍ଷାବନ୍ଧନ ଓ ଭାଇଦୁଜ ସମୟରେ ହେଲମେଟ ଦାନ କରନ୍ତି। ସନ୍ଦୀନ ନିଜ ବିବାହବାର୍ଷିକରେ ୨୦ଜଣ ମହିଳାଙ୍କୁ ୧୭ହଜାର ଟଙ୍କାର ହେଲମେଟ ଉପହାର ଦେଇଥିଲେ। ସନ୍ଦୀପଙ୍କର ମାସିକ ବେତନ ୪୦ହଜାର ଟଙ୍କା । ଏଥିମଧ୍ୟରୁ ସେ ପ୍ରତିମାସରେ ୫୦୦ରୁ ଅଧିକ ହେଲମେଟ ବାଇକ୍‌ ଆରୋହୀଙ୍କୁ ଦେଇଥାଆନ୍ତି। ଏଥିପାଇଁ ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ‘ହେଲମେଟ ମ୍ୟାନ୍‌’ ଓ ‘ହେଲମେଟ୍‌ ଭାଇ’ ବୋଲି ଡାକି ଥାଆନ୍ତି।

ସନ୍ଦୀପ କହନ୍ତି, ‘ଦିଲ୍ଲୀ ପୁଲିସରେ ମୋର ଚାକିରି କରିବା ସମୟରେ ମୁଁ ଦେଖିଛି ୯୦ ପ୍ରତିଶତ ବାଇକ୍‌ ଚାଳକଙ୍କ ମୃତ୍ୟୁ ହେଲମେଟ ନପିନ୍ଧିବା କାରଣୁ ଓ ମଦ୍ୟପାନ କରିବା ହେତୁ ହୋଇଥାଏ। ତେଣୁ ମୁଁ ଏହି ସମ୍ପର୍କରେ ଲୋକମାନଙ୍କୁ ଜାଗୃତ କରିବା ପାଇଁ ହେଲମେଟ ଦେବା ଆରମ୍ଭ କରିଛି। ମୋ ମତରେ ସରକାର ଚାଲାଣ କାଟିବା ପରିବର୍ତ୍ତେ ଲୋକମାନଙ୍କୁ ହେଲମେଟ ଉପହାର ଦେବାର ବ୍ୟବସ୍ଥା କରିବା ଉଚିତ।’

ସମ୍ବନ୍ଧିତ ଖବର