ବଦଳିବାକୁ ଯାଉଛି ଓଡ଼ିଶା ପର୍ଯ୍ୟଟନ ବିଭାଗର ଲୋଗୋ : ନୂଆ ଲୋଗୋ ତିଆରି କରି ଜିତନ୍ତୁ ୧ ଲକ୍ଷ ଟଙ୍କାର ପୁରସ୍କାର!

ବଦଳିବାକୁ ଯାଉଛି ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ। ଏହାକୁ ନେଇ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା। ନୂଆ ଲୋଗୋ ପାଇଁ ଲୋକଙ୍କ ଠାରୁ ଡିଜାଇନ ଆହ୍ଵାନ କରାଯାଇଛି। ଏଥିପାଇଁ ମଧ୍ୟ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଏହି ସୂଚନା ଦେଇଛନ୍ତି। ତେବେ ବଡ କଥା ହେଉଛି, ଲୋଗୋର ଡିଜାଇନ କୌଣସି ଅନୁଷ୍ଠାନ ବା କୌଣସି ବ୍ୟକ୍ତିବିଶେଷକୁ ଦେବା ପରିବର୍ତ୍ତେ ଏହାକୁ ପାଥେୟ କରି ଲୋକଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଅନେ୍ଵଷଣ କରିବାର ଏକ ଅଭିନବ ଉଦ୍ୟମ ଆରମ୍ଭ କରାଯାଇଛି।

ଓଡିଶା ପର୍ଯ୍ୟଟନ ବିଭାଗର ନୂଆ ଲୋଗୋ ପାଇଁ ଲୋକଙ୍କ ଠାରୁ ଡିଜାଇନ ଆହ୍ଵାନ କରିଛି ବିଭାଗ। ପ୍ରତିଯୋଗୀତା ଜରିଆରେ ଲୋକଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବ ବିଭାଗ। ରାଜ୍ୟ ପର୍ଯ୍ୟଟନ ସଂକ୍ରାନ୍ତୀୟ ବିଷୟକୁ ଆଧାର କରି ଡିଜାଇନ ତିଆରି କରିବାକୁ କୁହାଯାଇଛି। ଯେଉଁ ଡିଜାଇନକୁ ରାଜ୍ୟ ସରକାର ପସନ୍ଦ କରିବେ ବା ଯେଉଁ ଡିଜାଇନକୁ ଚୁଡାନ୍ତ ବୋଲି ଚିନ୍ତା କରାଯିବ, ସେହି ଡିଜାଇନ ପ୍ରସ୍ତୁତ କରିଥିବା ବ୍ୟକ୍ତି ବା ଅନୁଷ୍ଠାନକୁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରାଯିବ। ଏନେଇ ଘୋଷଣା ମଧ୍ୟ କରାଯାଇଛି। ଏଥିପାଇଁ ଶେଷ ତାରିଖ ରହିଛି ୧୫ ସେପଟେମ୍ବର। ଦିନ ୧୧ଟା ୫୯ ଭିତରେ ନିଜ ନିଜର ଡିଜାଇନ୍‌କୁ [email protected]କୁ ପଠାଇ ପାରିବେ। ସମସ୍ତ ଲୋଗୋ ଭିତରୁ ରାଜ୍ୟ ସରକାର ନୂଆ ଏକ ଲୋଗୋକୁ ବାଛିବେ। ସମ୍ଭବତଃ ଖୁବଶୀଘ୍ର ଓଡିଶା ପର୍ଯ୍ୟଟନ ବିଭାଗର ଲୋଗୋ ପରିବର୍ତ୍ତନ ହୋଇ ନୂଆ ରୂପରେ ଆସିବ।

ଲୋଗୋ ଡିଜାଇନର ଏହି ଧାରା କିଛି ନୂଆ ନୁହେଁ। ଅତୀତରେ ସ୍ୱଛ ଭାରତ, ଦୁରଦର୍ଶନ, ଆଇଆରସିଟିସି ଭଳି ଏକାଧିକ ଲୋଗୋ ପରିବର୍ତ୍ତନ ବେଳେ କେନ୍ଦ୍ର ସରକାର ଲୋକଙ୍କ ଠାରୁ ଡିଜାଇନ ଆହ୍ଵାନ କରିଥିଲେ। ଯେଉଁଥିରେ ପୁରସ୍କାର ରାଶି ମଧ୍ୟ ଆହ୍ଵାନ କରାଯାଇଥିଲା। ସେହିଭଳି ଭୁବନେଶ୍ୱର ସ୍ମାର୍ଟସିଟି ପ୍ରୋଜେକ୍ଟରେ ମଧ୍ୟ ଲୋଗୋ ଡିଜାଇନର ଧାରା ଦେଖିବାକୁ ମିଳିଥିଲା। ଆଉ ସମାନ ରାସ୍ତାରେ ଆଗକୁ ବଢିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଏହାରି ଭିତରେ ନଜର, ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ ନବକଳେବର କିଭଳି ରହୁଛି।

ସମ୍ବନ୍ଧିତ ଖବର