‘ଧୂଳିଆ’ ଗୁଣ୍ଡିଚା ଓ ‘କାଦୁଆ’ ଗୁଣ୍ଡିଚା, ‘ବାହୁଡ଼ା’ ପନ୍ତି ଓ ‘ଆହୁଡ଼ା’ ପନ୍ତି

ରଥ କଥା - ଅସିତ ମହାନ୍ତି

ଶ୍ରୀଜଗନ୍ନାଥ ମନ୍ଦିରର ପରିଭାଷା ବଡ଼ ବିଚିତ୍ର । ଏହା ଓଡ଼ିଆ ଭାଷାକୁ ବହୁ ନୂଆ ଶବ୍ଦ ଦେଇଛି । ସେ ସବୁ ଶବ୍ଦର ସ୍ୱତନ୍ତ୍ର ଅର୍ଥ ନ ବୁଝିଲେ ଶ୍ରୀଜଗନ୍ନାଥଙ୍କୁ ଓ ତାଙ୍କର ଲୀଳା ଖେଳାକୁ ବୁଝିହୁଏ ନାହିଁ । ସେମିତି କେତୋଟି ଶବ୍ଦ ହେଉଛି ‘ଧୂଳିଆ’ ଗୁଣ୍ଡିଚା ଓ ‘କାଦୁଆ’ ଗୁଣ୍ଡିଚା ଏବଂ ‘ଆହୁଡ଼ା’ ପନ୍ତି ଓ ‘ବାହୁଡ଼ା’ ପନ୍ତି ।

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ‘ଧୂଳିଆ ଗୁଣ୍ଡିଚା’ ଅର୍ଥରେ କୁହାଯାଇଛି- ଯେଉଁ ଗୁଣ୍ଡିଚା ବା ରଥଯାତ୍ରା ସମୟରେ ପ୍ରଚଣ୍ଡ ଖରା ହୋଇ ଧୂଳି ଉଡ଼ୁଥାଏ, ଅର୍ଥାତ୍‍ ବର୍ଷା ନହୋଇ ଶୁଖିଲା ପାଗ ହୋଇଥାଏ, ତାହାକୁ ‘ଧୂଳିଆ ଗୁଣ୍ଡିଚା’ କୁହାଯାଏ । କିନ୍ତୁ ‘ଉକ୍ରଳ ଦୀପିକା’ର ବିବରଣୀ ଅନୁସାରେ ଏହାର ଅର୍ଥ ସଂପୂର୍ଣ୍ଣ ଭିନ୍ନ । ଦେଢ଼ ଶହ ବର୍ଷ ତଳର ‘ଉକ୍ରଳ ଦୀପିକା’ ବିବରଣୀ ଅନୁସାରେ- ସେତେବେଳେ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ପଥ ରଥଯାତ୍ରାପାଇଁ ଅତ୍ୟନ୍ତ କଷ୍ଟକର ଥିଲା । ରଥ ଯାଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବାପାଇଁ- ତିନି ଚାରି ଦିନ ସମୟ ଲାଗିଯାଉଥିଲା । ସେହି ସମୟରେ ପଶ୍ଚିମା ଯାତ୍ରୀ ଓ ବଙ୍ଗୀୟ ଯାତ୍ରୀମାନେ ଶ୍ରୀଗୁଣ୍ଡିଚାର ପରଦିନ ମଧ୍ୟ ତିନି ରଥକୁ ଟାଣିବାର ସୁଯୋଗ ପାଇପାରୁଥିଲେ । ସେହି ଯାତ୍ରାକୁ ‘ଧୂଳିଆ ଗୁଣ୍ଡିଚା’ କୁହାଯାଉଥିଲା । କିନ୍ତୁ ଏହି ଅର୍ଥ ଯୁକ୍ତିଯୁକ୍ତ ମନେହୁଏ ନାହିଁ । ମନେହୁଏ, ଏ ସଂପର୍କରେ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ଅର୍ଥ ହିଁ ଯଥାର୍ଥ ।

ଏହି ଅନୁସାରେ, ‘କାଦୁଆ ଗୁଣ୍ଡିଚା’ର ଅର୍ଥକୁ ମଧ୍ୟ ବୁଝିହୁଏ । କାରଣ, ଯେଉଁ ବର୍ଷ ଶ୍ରୀଗୁଣ୍ଡିଚା ଦିନ ବର୍ଷା ହୋଇ ରଥର ପଥ କର୍ଦ୍ଦମାକ୍ତ ହୋଇଥାଏ, ତାହାକୁ ‘କାଦୁଆ ଗୁଣ୍ଡିଚା’ କୁହାଯାଏ ।

ତେବେ ଏ ବାବଦରେ ‘ସ୍କନ୍ଦପୁରାଣ’ରେ ଏକ ସୁନ୍ଦର, ଆଧ୍ୟାତ୍ମିକ ବର୍ଣ୍ଣନା ଅଛି । ତ୍ରୟତ୍ରିଂଶ (୩୩) ଅଧ୍ୟାୟର ୬୨ ଓ ୬୩ ଶ୍ଳୋକରେ ଅତି ସୁନ୍ଦର ଭାବରେ ‘ବୃଷ୍ଟିପାତ’ ସହ ପ୍ରଭୁଙ୍କ ‘ଦୃଷ୍ଟିପାତ’ର ଉପସ୍ଥାପନା କରାଯାଇଛି । କୁହାହୋଇଛି-

“ରଥମାର୍ଗ ବହୁଳ ବୃଷ୍ଟିପାତରେ ପଙ୍କିଳ ହୋଇଥିଲେ ମଧ୍ୟ, ଭଗବାନଙ୍କର ଦିବ୍ୟ ଦୃଷ୍ଟିପାତ ଯେ ଏହି ନିଖିଳ ସୃଷ୍ଟିର ଅନ୍ତରର ମଳ ଅପହରଣକାରୀ, ଏଥିରେ କୌଣସି ସନ୍ଦେହ ନାହିଁ । ଏଣୁ ଯେଉଁ ଉତ୍ତମ ବିଷ୍ଣୁଭକ୍ତଗଣ ସେହି ପଙ୍କିଳ ପଥରେ ମସ୍ତକ ସ୍ଥାପନ କରି ପ୍ରଭୁଙ୍କୁ ପ୍ରଣିପାତ କରନ୍ତି, ସେମାନେ ଅସୀମ ପାପ ପଙ୍କକୁ ବିଦୂରିତ କରି ମୋକ୍ଷ ପାଇଥାଆନ୍ତି ।

ସେହିପରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଉ ଦୁଇଟି ପରିଭାଷିକ ଶବ୍ଦ ହେଉଛି ‘ଆହୁଡ଼ା ପନ୍ତି’ ଓ ‘ବାହୁଡ଼ା ପନ୍ତି’ ।

ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାର ଗୋଟିଏ ବିଶେଷ ଅନୁଷ୍ଠାନ ହେଉଛି ‘ପନ୍ତିଭୋଗ’ । ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ, ‘ପନ୍ତି’ର ଅର୍ଥ ‘ପଥ’ ଏବଂ ‘ପନ୍ତିଭୋଗ’ ହେଉଛି ‘ପଥଭୋଗ’ । ଏ ସଂପର୍କରେ ଉଲ୍ଲେଖନୀୟ ଯେ ଠାକୁର ଭୋଗ ଖାଇବାପାଇଁ ଗ୍ରାମଦାଣ୍ଡକୁ ଆସିଲେ, ଗୃହସ୍ଥଙ୍କର ସାମନା ଦାଣ୍ଡରେ କିଛିକ୍ଷଣ ରହି ସେଠାରେ ବଢ଼ା ହୋଇଥିବା ଭୋଗ ଓ ନୈବେଦ୍ୟ ଗ୍ରହଣ କରିଥାଆନ୍ତି । ସେହି ଭୋଗ ହେଉଛି ‘ପନ୍ତି ଭୋଗ’ । କିନ୍ତୁ ଶ୍ରୀଜଗନ୍ନାଥାଦି ଦେବତାଙ୍କୁ ମନ୍ଦିରରେ ବା ମନ୍ଦିର ବାହାରେ ଯେଉଁ ଭୋଗ ଅର୍ପଣ କରାଯାଏ, ତାହାକୁ ‘ପନ୍ତିଭୋଗ’ କୁହାଯାଏ । ଏ ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ଭୋଗ ପରମ୍ପରାରେ ଏହାର ଅର୍ଥ ଅଧିକ ବ୍ୟାପକ ।

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥାଦି ଦେବତାଙ୍କୁ ଯେଉଁ ପନ୍ତିଭୋଗର ନୈବେଦ୍ୟ ବଢ଼ାଯାଏ, ସେଥିପାଇଁ ପୂଜାପଣ୍ଡା ସେବକ ମୁରୁଜ ପକାଇ ତାହାର ସୀମାରେଖା ନିର୍ଦ୍ଧାରଣ କରିଥାଆନ୍ତି । ମୁରୁଜରେ କଟା ହୋଇଥିବା ସୀମା ଭିତରେ ଯେଉଁ ଭୋଗ ବଢ଼ାଯାଏ, ତାହା ମହାପ୍ରସାଦ ହୋଇଥାଏ । କିନ୍ତୁ ରଥର ପନ୍ତିଭୋଗରେ ସେପରି କରାଯାଇ ନଥାଏ । ରଥଟଣା ସମୟରେ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ମଠ, ଆଶ୍ରମ ବା ପୀଠମାନଙ୍କ ପକ୍ଷରୁ ରଥାରୂଢ଼ ଦେବତାମାନଙ୍କୁ ପନ୍ତିଭୋଗ ନିବେଦିତ ହୋଇଥାଏ । ଏହାକୁ ସାଧାରଣତଃ ‘ସର୍ପା ମଣୋହି’ ବିଧିରେ ଦୁଇ ହାତର ପାପୁଲିରେ ଧରି, ଉତ୍ସର୍ଗ ମୁଦ୍ରାରେ ଉପରକୁ ଟେକି ସମର୍ପଣ କରାଯାଏ । ଏହି ଭୋଗ ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ରଥ ଉପରେ ହେଉଥିବା ପନ୍ତିଭୋଗ ଶ୍ରୀମନ୍ଦିରର ବଡ଼ୁସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୁଏ ।

ବିଲୁପ୍ତ ରଥଭୋଗ- ‘କେଳି’ ଓ ‘ମାଣ୍ଡୁଅ’

ଏହି ପ୍ରସଙ୍ଗରେ ଆସେ ‘ଆହୁଡ଼ା’ ପନ୍ତି ଓ ‘ବାହୁଡ଼ା’ ପନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରାର ରଥଭୋଗକୁ ‘ଆହୁଡ଼ା ପନ୍ତି’ କୁହାଯିବା ବେଳେ, ବାହୁଡ଼ାଯାତ୍ରାର ରଥଭୋଗକୁ ‘ବାହୁଡ଼ା ପନ୍ତି’ କୁହାଯାଏ ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୂର୍ବରୁ ରଥରେ ଯେଉଁସବୁ ପନ୍ତି ଭୋଗ ହେଉଥିଲା, କାଳକ୍ରମେ ସେଥିରୁ ଅନେକ ଲୁପ୍ତ ହୋଇଯାଇଛି । ଏପରି ଦୁଇଟି ବିଲୁପ୍ତ ରଥଭୋଗ ହେଉଛି- ‘କେଳି’ ଓ ‘ମାଣ୍ଡୁଅ’ । ଏବେ ଏହି ଭୋଗ ଚନ୍ଦନଯାତ୍ରାରେ, ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଚକଡ଼ାଠାରେ ହେଉଛି ।

 

ସମ୍ବନ୍ଧିତ ଖବର