ରହସ୍ୟମୟ ‘ଏଲିଏନ୍‌’ ଉପରୁ ନାସା ପରଦା ଉଠାଇବ ୧୪ରେ

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ମହାକାଶରେ କ’ଣ ଏମିତି କିଛି ଗ୍ରହ ଅଛନ୍ତି, ଯେଉଁଠାରେ କି ଜୀବସତ୍ତା ରହିଛି? ସତରେ କ’ଣ ‘ଏଲିଏନ୍‌’ ନାମରେ କୌଣସି ପ୍ରକାରର ଜୀବସତ୍ତା ବା ବ୍ୟକ୍ତି ଅନ୍ୟ ଗ୍ରହରେ ବସବାସ କରୁଛନ୍ତି? ଏସବୁର ସନ୍ଧାନରେ ଲାଗିଥିଲା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’।

ଏକ ଅତ୍ୟନ୍ତ ଅତ୍ୟାଧୁନିକ କ୍ଷମତା ସମ୍ପନ୍ନ କେପ୍‌ଲର ନାମକ ଏକ ମହାକାଶ ଦୂରବୀକ୍ଷଣ ଯନ୍ତ୍ର (ଟେଲିସ୍କୋପ୍‌) ସାହାଯ୍ୟରେ ବିଗତ ୨୦୦୯ରୁ ନାସା ମହାକାଶରେ ଏଲିଏନ୍‌ମାନଙ୍କର ସନ୍ଧାନରେ ଲାଗିଥିଲା। ଏବେ, ଏଥିରେ ନାସାର ବୈଜ୍ଞାନିକମାନଙ୍କୁ ସଫଳତା ମିଳି ଯାଇଥିବା ଜଣାପଡ଼ିଛି! ଏଲିଏନ୍‌ ଏବଂ ପୃଥିବୀ ବାହାରେ ଅନ୍ୟ ଗ୍ରହରେ ଥିବା ଜୀବସତ୍ତା ବାବଦରେ ନାସା ବୈଜ୍ଞାନିକମାନେ ଠୋସ୍‌ ପ୍ରମାଣ ଖୋଜି ପାଇଛନ୍ତି। ଆଜି ପର୍ଯ୍ୟନ୍ତ ରହସ୍ୟମୟ ଓ ଦୁର୍ବୋଧ୍ୟ ହୋଇ ରହି ଆସିଥିବା ଏଲିଏନ୍‌ ଓ ଏହାର ସତ୍ତା ସଂପର୍କରେ ଖୁବ୍‌ ଶୀଘ୍ର ନାସା ପକ୍ଷରୁ ଆନୁଷ୍ଠାନିକ ଭାବେ ଏକ ବଡ଼ ଧରଣର ଖୁଲାସା ହେବାକୁ ଯାଉଛି। ନାସାର ଏହି ଖୁଲାସା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଦେବ ବୋଲି କୁହାଯାଉଛି।

ନାସା ପକ୍ଷରୁ ଆସନ୍ତା ଡିସେମ୍ବର ୧୪ ତାରିଖ, ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀର

ଆୟୋଜନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏହି ଖୋଜ୍‌ରେ ସାମିଲ୍‌ ହୋଇଥିବା ନାସାର ମହାକାଶ ବିଜ୍ଞାନୀମାନେ ଉପସ୍ଥିତ ରହି ଏହି ରହସ୍ୟର ଉନ୍ମୋଚନ କରିବା ସହ ଏହା ଉପରୁ ପରାଦା ଉଠାଇବେ ବୋଲି ନାସା ପକ୍ଷରୁ କୁହାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନାସା ପକ୍ଷରୁ ୨୦୦୯ରେ କେପ୍‌ଲର ମହାକାଶ ଟେଲିସ୍କୋପ୍‌କୁ ମହାକାଶକୁ ପ୍ରେରଣ କାରାଯିବା ସହ ମହାକାଶରେ ରହିଥିବା ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହମାନଙ୍କୁ ଖୋଜିବା କାମ ଆରମ୍ଭ ହୋଇଥିଲା। ମୂଳ ଲକ୍ଷ୍ୟ ଥିଲା, ମହାକାଶରେ ପୃଥିବୀ ପରି ଆଉ କେତେ ଗ୍ରହ ଅଛନ୍ତି, ସେମାନଙ୍କର ଆକାର ଓ ପ୍ରକାର କିପରି, ସେସବୁ ଗ୍ରହରେ ଜୀବସତ୍ତା ତିଷ୍ଠି ରହିବା ସମ୍ଭବପର କି ନୁହେଁ; ଏବଂ ପ୍ରକୃତରେ ‘ଏଲିଏନ୍‌’ ନାମରେ ପୃଥିବୀ ପୃଷ୍ଠ ବାହାରେ ଅନ୍ୟ କୌଣସି ଏକ ରହସ୍ୟମୟ ସତ୍ତା ଅବସ୍ଥାନ କରୁଛି ନା ନାହିଁ।

ତେବେ, ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ କେପ୍‌ଲର୍‌ ଟେଲିସ୍କୋପ୍‌ ମହାକାଶରେ ତା’ର କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରି ମହାକାଶରେ ୪୫୦୦ଟି ଗ୍ରହର ସନ୍ଧାନ କରିଛି। ଏଥିମଧ୍ୟରୁ ଏଯାବତ୍‌ ୨୫୦୦ଟି ଗ୍ରହର ଅନୁଧ୍ୟାନ କାର୍ଯ୍ୟ ନାସାର ବୈଜ୍ଞାନିକମାନେ ଶେଷ କରିଥିବା ବେଳେ ଆହୁରି ୨୦୦୦ଟି ଗ୍ରହର ଅନୁଧ୍ୟାନ କାର୍ଯ୍ୟ ଜାରି ରହିଛି। କେପ୍‌ଲର୍‌ ସନ୍ଧାନ କରିଥିବା ଗ୍ରହଗୁଡ଼ିକ ମଧ୍ୟରୁ ଏକାଧିକ ଗ୍ରହ ପୃଥିବୀ ଠାରୁ ସୁଦ୍ଧା ଆକାରରେ ବଡ଼ ଏବଂ ଏଠାରେ ଥିବା ପରିବେଶ ଓ ପରିସ୍ଥିତିରେ ଜୀବସତ୍ତା ତିଷ୍ଠି ରହିବା ମଧ୍ୟ ସମ୍ଭବ ବୋଲି ଏହି ଗବେଷଣାରେ ନିୟୋଜିତ ଥିବା ବୈଜ୍ଞାନିକମାନେ ସ୍ୱୀକାର କରିଛନ୍ତି।

ବର୍ତ୍ତମାନ କେପ୍‌ଲର୍‌ ଟେଲିସ୍କୋପ୍‌ ତାହାର ପ୍ରଥମ ପର୍ଯ୍ୟାୟ ଅନୁସନ୍ଧାନ କାର୍ଯ୍ୟକୁ ସଫଳତାର ସହ ଶେଷ କରିବା ପରେ ଏବେ ‘କେ୨’ ନାମରେ ଦ୍ୱିତୀୟ ପର୍ଯ୍ୟାୟ ଅନୁସନ୍ଧାନ ଆରମ୍ଭ କରିଛି। ଏଥିରେ ପୃଥିବୀ ସହ ସାମଞ୍ଜସ୍ୟ ରହିଥିବା ଯେଉଁ ୭ଟି ଗ୍ରହର ସନ୍ଧାନ ମିଳିଛି, ସେଗୁଡ଼ିକୁ କେପ୍‌ଲର୍‌ ବ୍ୟାପକ ଭାବେ ନିରୀକ୍ଷକ କରିବ ବୋଲି ନାସା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି କ୍ରମରେ ନାସାର ବୈଜ୍ଞାନିକ କୌଣସି ଏକ ଗ୍ରହରେ ଏଲିଏନ୍‌ମାନଙ୍କ ସନ୍ଧାନ ପାଇଥିବା ବିଶ୍ୱାସ କରାଯିବା ସହ ଏସଂପର୍କିତ ଘୋଷଣା ଡିସେମ୍ବର ୧୪ରେ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର