ଶରଶଯ୍ୟାରେ ପିତାମହ ଭୀଷ୍ମ ଏମିତି କ’ଣ କହିଲେ ଯେ କୁଳବଧୂ ଦ୍ରୌପଦୀଙ୍କ ମୁହଁରୁ ବାହାରି ଆସିଲା ଅପମାନଜନକ ହସ?

ମହାଭାରତର ଜଣେ ବୟୋଜ୍ୟୋଷ୍ଠ ଏବଂ ଜ୍ଞାନୀ ବ୍ୟକ୍ତି ଭାବେ ପାଣ୍ଡବ ଏବଂ କୌରବଙ୍କ ପିତାମହ ଭୀଷ୍ମଙ୍କର ବେଶ୍‌ ନାମ ରହିଛି। ପିତାମହ ଭୀଷ୍ମଙ୍କୁ ନାତିମାନଙ୍କଠାରୁ ଆରମ୍ଭ କରି ପଣ୍ଡୁ ପତ୍ନୀ କୁନ୍ତି, ଧୃତରାଷ୍ଟ୍ର, ତାଙ୍କ ପତ୍ନୀ ଗାନ୍ଧାରୀ ଏପରିକି ସ୍ୱୟଂ ଶ୍ରୀକୃଷ୍ଣ ମଧ୍ୟ ଅନେକ ସମ୍ମାନ ଦିଅନ୍ତି। ଅନେକ ସମୟରେ ପରାମର୍ଶ ଓ ଉପଦେଶ ଲୋଡ଼ାପଡ଼ିଲେ କୌରବମାନଙ୍କଠାରୁ ପାଣ୍ଡବ ପର୍ଯ୍ୟନ୍ତ ମନେ ପକାନ୍ତି ପିତାମହ ଭୀଷ୍ମଙ୍କୁ। ଏପରି ଜଣେ ସମ୍ମାନସ୍ପଦ ଓ ଗୁଣୀ ବ୍ୟକ୍ତିଙ୍କୁ ତାଙ୍କ ନିଜ କୂଳବଧୂ କାହିଁକି ଅସମ୍ମାନ ପ୍ରଦର୍ଶନ କଲେ, ଶେଷ ସମୟରେ ସେ ଏମିତି କ’ଣ କହିଲେ ଯେ ଦୌପଦୀ ପିତାମହଙ୍କୁ ଅଟ୍ଟହାସ୍ୟ କଲେ?ଆସନ୍ତୁ ଜାଣିବା ପୂରା କାହାଣୀ।

ମହାଭାରତ ଯୁଦ୍ଧରେ କୌରବମାନଙ୍କ ପରାସ୍ତ ହୋଇ ସାରିଥାଏ। ପାଣ୍ଡବମାନେ ବିଜୟର ଧ୍ୱନି ଉଡ଼ାଇ ସାରିଥାନ୍ତି। ପୂର୍ବ ଜନ୍ମରୁ ଭିଷ୍ମଙ୍କ ଉପରେ ରହିଥିବା ଅଭିଶାପ ଅନୁଯାୟୀ ଶ୍ରୀଖଣ୍ଡି ଭୀଷ୍ମଙ୍କୁ ଏକ ଶର ମାରି ସାରିଥାଏ। ମାତ୍ର ଭୀଷ୍ମଙ୍କୁ ଏକ ବରଦାନ ମଧ୍ୟ ମିଳିଥାଏ ଯେ ତାଙ୍କର କେବଳ ଇଚ୍ଛା ମୃତ୍ୟୁ ହେବ। ଯେପର୍ଯ୍ୟନ୍ତ ସେ ନିଜେ ନଚାହିଁବେ ସେ ପର୍ଯ୍ୟନ୍ତ ତାଙ୍କ ଶରୀରରୁ ଆତ୍ମା ପୃଥକ ହେବ ନାହିଁ। ଶେଷ ମୁହୂର୍ତ୍ତରେ ଶରଶଯ୍ୟା ଭୀଷଣ ଯନ୍ତ୍ରଣାରେ ଶୋଇଥାନ୍ତି ପିତାମହ ଭୀଷ୍ମ। ପାଣ୍ଡବ ପରିବାର ଧରି ଭୀଷ୍ମଙ୍କ ପାଖରେ ପହଞ୍ଚିଲେ ଶ୍ରୀକୃଷ୍ଣ। ପିତାମହଙ୍କଠାରୁ ମୂଲ୍ୟବାନ ଉପଦେଶ ଗ୍ରହଣ କରିବା ପାଇଁ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ପରାମର୍ଶ ଦେଲେ। ପାଣ୍ଡବ ପାଞ୍ଚଭାଇ ଭୀଷ୍ମଙ୍କୁ ଜୀବନର ମାର୍ଗ ଦେଖାଇବା ପାଇଁ ଅନୁରୋଧ କଲେ। ସେତିକି ବେଳେ ପିତାମହ ନାତିମାନଙ୍କୁ ଉପଦେଶ ଦେଇ କହିଲେ ଯେ ସର୍ବଦା ଜୀବନରେ ଭୁଲ୍‌-ଠିକ୍‌ ମଧ୍ୟର ପାର୍ଥ୍ୟକ ଦେଖିବ। ଭୁଲ୍‌-ଠିକ୍‌ ମଧ୍ୟରେ ପାର୍ଥକ୍ୟ ଜାଣୁନଥିବା ବ୍ୟକ୍ତି ହାରିଯାଏ। ଠିକ୍‌ ଏତିକି ବେଳେ ଭୀଷ୍ମଙ୍କୁ ଅପମାନ ଦେବା ପରି ଫେଁ କରି ହସିଦେଲେ କୁଳବଧୂ ଦ୍ରୌପଦୀ। ରାଗରେ ଭୀଷ୍ମ ନାଲି ପଡ଼ିଗଲେ। ପିତାମହଙ୍କୁ ପତ୍ନୀଙ୍କର ଏପରି ଅପମାନିତ କରୁଥିବା ଦେଖି ପାଣ୍ଡବମାନେ ବି ତଳକୁ ମୁହଁ କରି ଠିଆ ହୋଇଥିଲେ। ନିଜ କ୍ରୋଦ୍ଧର କାରଣ କହିବାକୁ ଦୌପଦୀଙ୍କୁ ଆଦେଶ ଦେଲେ ଭୀଷ୍ମ।

ଦୌପଦୀ କହି ଚାଲିଲେ ନିଜ ଅପମାନର କଥା। ଯେତେବେଳେ କୌରବ ସଭାରେ ତାଙ୍କୁ ବିବସ୍ତ୍ର କରାଯାଉଥିଲା। ବହୁ ଜ୍ଞାନୀ-ଗୁଣୀ ଏବଂ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ପିତାମହ ଭୀଷ୍ମ ମଧ୍ୟ ଉପସ୍ଥିତ ଥିଲେ। ଭୁଲ୍‌ କରିବା ଯେତିକି ପାପ, ଭୁଲ୍‌କୁ ପ୍ରଶୟ ଦେବା ତା’ଠାରୁ ବେଶି ପାପ। ଏକଥା କ’ଣ ଜାଣିନଥିଲେ ଭୀଷ୍ମ, କାହିଁକି କଲେନି ପ୍ରତିବାଦ? କୂଳବଧୂର ବିବଶତା ଦେଖିବା ସତ୍ତ୍ୱେ ବି କାହିଁକି ଚୁପ୍‌ ରହିଲେ ସିଏ? ସେତେବେଳେ କ’ଣ ସେ ଜାଣିପାରିନଥିଲେ ଠିକ୍‌-ଭୁଲ୍‌ର ପାର୍ଥକ୍ୟ? ଦେଖିପାରୁନଥିଲେ ଶହ ଶହ ଲୋକଙ୍କ ସମ୍ମୁଖରେ କେଉଁଭଳି ଭାବେ ଅପମାନିତ ହେଉଥିଲେ ଯାଜ୍ଞସେନୀ? ଯଦି ସେ ନିଜେ ଭୁଲ୍‌-ଠିକ୍‌ର ବିବେଚନା କରିପାରିନାହାନ୍ତି ତେବେ ନାତିମାନଙ୍କୁ ଦେଉଥିବା ଉପଦେଶ ବା କେତେ ଯୁକ୍ତିଯୁକ୍ତ ବୋଲି ଚିନ୍ତା କରି ଅଟହାସ୍ୟ କରି ହସିଥିଲେ ଦୃପଦ ନନ୍ଦିନୀ। ଦ୍ରୌପଦୀଙ୍କ ଏପରି ଅଭିମାନ ଶୁଣି ମୁଣ୍ଡ ତଳକୁ କରିଦେଲେ ପିତାମହ। ସମସ୍ତେ ଆଶ୍ଚର୍ଯ୍ୟରେ ସ୍ତବ୍ଧ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର