ସମ୍ବନ୍ଧ ବେଳେ ଭୟରେ ଆଖି ବୁଜି ଦେବାରୁ ଅମ୍ବିକାଙ୍କ ଗର୍ଭରୁ ଜନ୍ମିଲେ ଅନ୍ଧପୁତ୍ର ଧ୍ରୃତରାଷ୍ଟ୍ର, ପଣ୍ଡୁ ଓ ବିଦୁରଙ୍କ ଜନ୍ମ ପଛରେ ବି ରହିଛି ଏପରି କିଛି ରହସ୍ୟ

ମହାଭାରତ ବିଷୟରେ ଯଦି କିଛି କିଛି ଧାରଣା ଥାଏ ତ ଏ କଥା ନିଶ୍ଚୟ ଜାଣିଥିବେ ଯେ ସାନ୍ତ୍ୱନୁଙ୍କ ପୁତ୍ର ଭୀଷ୍ମ ହେଉଛନ୍ତି ତାଙ୍କ ପ୍ରଥମ ପତ୍ନୀ ଗଙ୍ଗାଙ୍କ ପୁତ୍ର। ପିତୃ ସୁଖ ପାଇଁ ଭୀଷ୍ମ ନିଜେ ବ୍ରହ୍ମଚାରୀ ହେବାର ଶପଥ ନେଇ ପିତାଙ୍କର ସତ୍ୟବତୀ ନାମକ ଜଣେ କେଉଟ ଝିଅ ସହ ଦ୍ୱିତୀୟ ବିବାହ କରାଇଥିଲେ। ସତ୍ୟବତୀଙ୍କ ବାପାଙ୍କ ସର୍ତ୍ତ ଅନୁସାରେ ସତ୍ୟବତୀଙ୍କ ପୁତ୍ର ଯୁବରାଜ ହେବ ବୋଲି କଥା ଦେଇ ଭୀଷ୍ମ ସବୁଦିନ ପାଇଁ ଅବିବାହିତ ରହିବାକୁ ବଚନବଦ୍ଧ ହୋଇଥିଲେ।

ସମୟ କ୍ରମେ ସତ୍ୟବତଙ୍କର ୨ ପୁତ୍ର ହେଲେ। ସେ ଦୁଇ ପୁତ୍ରଙ୍କୁ ସେ ଅମ୍ବିକା ଓ ଅମ୍ବାଲିକାଙ୍କ ସହ ବିଭା ଦେଲେ। ମାତ୍ର ବିଡ଼ମ୍ବନା ହେଲା ସେମାନଙ୍କର କେହି ଉତ୍ତରାଧିକାରୀ ହେବା ପୂର୍ବରୁ ସେ ଦୁହେଁ ବି ପ୍ରାଣ ହରାଇ ବସିଲେ। ସେତେବେଳକୁ ସାନ୍ତ୍ୱନୁ ଦେହତ୍ୟାଗ କରି ସାରିଥାନ୍ତି। ରାଜ ସିଂହାସନ ବଞ୍ଚାଇବା ଦାୟିତ୍ୱ ଥାଏ ସତ୍ୟବତୀଙ୍କ ମୁଣ୍ଡରେ। ସେ ନିଜର ସାବତ ପୁତ୍ର ଭୀଷ୍ମଙ୍କୁ ବିବାହ ପାଇଁ ବାଧ୍ୟ କରାଇଲେ। ମାତ୍ର ଭୀଷ୍ମ ମାଆଙ୍କୁ କ୍ଷମା ମାଗି ସେ କରିଥିବା ଶପଥ ମନେ ପକାଇଦେଲେ। ସତ୍ୟବତୀ ଆଉ କିଛି ଉପାୟ ନପାଇଁ ତାଙ୍କ ଇଚ୍ଛାରୁ ଜନ୍ମଲାଭ କରିଥିବା ପୁତ୍ର ଋଷି ବ୍ୟାସଙ୍କୁ ମନେ ପକାଇଲେ। ବ୍ୟାସ ସେତେବେଳେ ଜଙ୍ଗଲରେ ରହି ତପସ୍ୟା କରୁଥିଲେ। ମାଆ ଡକାଇ ପଠାଇବାରୁ ସେ ଘରକୁ ଫେରିଲେ। ସତ୍ୟବତୀ ତାଙ୍କୁ ଅମ୍ବିକା ଓ ଅମ୍ବାଲିକାଙ୍କ ସହ ସଂପର୍କ ସ୍ଥାପନ କରି ନିଜ ବଂଶ ବଢ଼ାଇବାରେ ଭାଗୀଦାର ହେବାକୁ ଆଦେଶ ଦେଲେ।

ବ୍ୟାସ କିନ୍ତୁ ଜଙ୍ଗଲରେ ରହି, ଲମ୍ବା କେଶ ଓ ଦାଢ଼ିରେ ଅତ୍ୟନ୍ତ ଭୟାନକ ଦିଶୁଥାନ୍ତି। ସେ ମାଆଙ୍କୁ ଆଉ କିଛି ଦିନ ସମୟ ମାଗିଲେ। ସତ୍ୟବତୀ କିନ୍ତୁ ଶୁଣିଲେ ନାହିଁ। ସତ୍ୟବତୀ କରିଥିବା ବ୍ୟବସ୍ଥା ମୁତାବକ ପ୍ରଥମେ ବ୍ୟାସଙ୍କ କକ୍ଷକୁ ଅମ୍ବିକାଙ୍କୁ ପଠାଇଲେ। ବ୍ୟାସଙ୍କୁ ଏପରି ଅବସ୍ଥାରେ ଦେଖି ଅମ୍ବିକା ଭୟରେ ଥରି ଉଠିଲେ। ସେ ଭୟରେ ଆଖି ବନ୍ଧ କରିଦେଲେ। ଆଖି ବନ୍ଧ କରି ସମ୍ବନ୍ଧ ରଖିଥିବାରୁ ତାଙ୍କ ଗର୍ଭରେ ଜଣେ ଅନ୍ଧପୁତ୍ର ରହିଲେ। ସେ ହେଉଛନ୍ତି ଧୃତରାଷ୍ଟ୍ର। ବ୍ୟାସ ମାଆଙ୍କୁ ଆଗରୁ ହିଁ କହିଥିଲେ କି ଅନ୍ଧପୁତ୍ର ହିଁ ଜନ୍ମ ନେବ। ସତ୍ୟବତୀ ଦ୍ୱିତୀୟ ବୋହୂ ଅମ୍ବାଲିକାଙ୍କୁ ବୁଝାଇ ସୁଝାଇ ବ୍ୟାସଙ୍କ କକ୍ଷକୁ ପଠାଇଲେ। ଅମ୍ବାଲିକା ଆଖି ବନ୍ଦ କଲେ ନାହିଁ ସତ କିନ୍ତୁ ବ୍ୟାସ୍‌ଙ୍କୁ ଦେଖି ଭୟରେ କମ୍ପିବାକୁ ଲାଗିଲେ। ସେଥିପାଇଁ ପଣ୍ଡୁ ରୋଗୀଣା ହୋଇ ଜନ୍ମଲାଭ କଲେ। ଶେଷର ବ୍ୟାସଙ୍କ କକ୍ଷରୁ ଗଲେ ଜଣେ ଦାସୀ। ଦାସୀ ବ୍ୟାସଙ୍କୁ ଆଦରର ସହ ଗ୍ରହଣ କଲେ। ଫଳରେ ତାଙ୍କ ଗର୍ଭରୁ ଜନ୍ମିଲେ ମହାଜ୍ଞାନୀ ବିଦୁର।

ସମ୍ବନ୍ଧିତ ଖବର