୨୦ ମିନିଟ୍ରେ ଖାଅ: ୩୦ ହଜାର ନିଅ !
ଟୋକିଓରେ ଅଛି ‘ୟୁମାକାରା ରମେନ୍ ହ୍ୟୋରି’ ନାମକ ରେସ୍ତୋରାଁ। ତିନି ବର୍ଷ ତଳେ ଏହି ରେସ୍ତୋରାଁ ପକ୍ଷରୁ ଏକ ଗ୍ରାହକ ଆକର୍ଷଣକାରୀ ଘୋଷଣା କରାଯାଇଥିଲା। ଘୋଷଣା ଅନୁଯାୟୀ ଯିଏ ବି ଏକ ଥାଳି ରମେନ୍ ନୁଡୁଲ୍ସ କୋଡ଼ିଏ ମିନିଟ୍ରେ ଖାଇ ସାରିପାରିବେ, ତାଙ୍କୁ ମିଳିବ ଭାରତୀୟ ମୁଦ୍ରାରେ ପ୍ରାୟ ତିରିଶ ହଜାର ଟଙ୍କା। ଅନେକ ଘୋଷଣାଟି ଦ୍ୱାରା ଆକର୍ଷିତ ହେବା ସ୍ୱାଭାବିକ। ତେବେ, ତିନି ବର୍ଷରେ ମାତ୍ର ନଅ ଜଣ ହିଁ ପୁରସ୍କାର ଜିଣିପାରିଛନ୍ତି। ଆଉ ପୁରସ୍କାର ଜିଣିବା ପରେ ପାଞ୍ଚରୁ ସାତ ଦିନ କୌଣସି ଖାଦ୍ୟ ଛୁଇଁନାହାନ୍ତି ଏବଂ ସବୁ ଦିନ ପାଇଁ ରମେନ୍ ନ ଖାଇବାକୁ ପ୍ରତିଜ୍ଞା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଆହ୍ଵାନକୁ ଗ୍ରହଣ କରି, ଖାଇବାକୁ ଗଲେ, ପ୍ରଥମେ ରମେନ୍ ବାବଦକୁ ଦେବାକୁ ପଡ଼ିବ ୧୮୦୦ ଟଙ୍କା। ଆଉ କୋଡ଼ିଏ ମିନିଟ୍ରେ ସାରି ନ ପାରିଲେ ଜରିମାନା ବାବଦରେ ଭରିବାକୁ ହେବ ୬୦୦୦ ଟଙ୍କା। ଅର୍ଥାତ୍, ଏହି ଘୋଷଣା ମୁଖ୍ୟତଃ ରେସ୍ତୋରାଁକୁ ଲାଭବାନ କରିବାକୁ ହିଁ ଉଦ୍ଦିଷ୍ଟ।