ଚନ୍ଦକା ଶିଳ୍ପାଞ୍ଚଳର ପରିଚୟ : ଶିକ୍ଷା-ଆଇଟି ହବ୍‌

ଭୁବନେଶ୍ବରରେ ଉଚ୍ଚଶିକ୍ଷାର ମୂଳଦୁଆ ପଡ଼ିଥିଲା ବାଣୀବିହରରେ। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଏଠାକାର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଭୁବନେଶ୍ବରକୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ଦେଇଥିଲା। ସମୟ ସ୍ରୋତରେ ସହରରେ ଓୟୁଏଟି, ବିଜେବି କଲେଜ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ସିଇଟି, ରାଜଧାନୀ କଲେଜ ପରି ଅନେକ ସରକାରୀ ଶିକ୍ଷାନୁଷ୍ଠାନ ଗଢ଼ିଉଠିଲେ।

ତେବେ ୯୦ ଦଶକରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆସିଥିଲା। ଭୁବନେଶ୍ବରରେ ଶିକ୍ଷା ଆଉ କେବଳ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସୀମିତ ହୋଇ ରହିଲା ନାହିଁ। ୧୯୯୩ ମସିହାରେ ଶିଖରଚଣ୍ଡୀ ପାଦଦେଶ ତଥା ଚନ୍ଦକା ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିଲା କିଟ୍‌ ବିଶ୍ବବିଦ୍ୟାଳୟ। ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଏହି ଅଞ୍ଚଳରେ ପ୍ରତିଷ୍ଠା ହେବା ସହ ଚନ୍ଦକା ଶିଳ୍ପାଞ୍ଚଳ ଏବେ ଶିକ୍ଷା ଓ ଆଇଟି ହବ୍‌ରେ ପରିଣତ ହୋଇଛି। ଇଞ୍ଜିନିୟରି˚, ମ୍ୟାନେଜ୍‌ମେଣ୍ଟ, ମେଡିକାଲ ଶିକ୍ଷାନୁଷ୍ଠାନ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ଆଇଟି କମ୍ପାନି ସାଙ୍ଗକୁ ଓଡ଼ିଶାର ନାମକରା ଇ˚ରାଜୀ ମାଧ୍ୟମ ବିଦ୍ୟାଳୟ ଏଠାରେ ମୁଣ୍ତ ଟେକିଛି।

ପୂର୍ବ ଭାରତରେ ଭୁବନେଶ୍ବର ଶିକ୍ଷା ହବ୍‌ରେ ପରିଣତ ହୋଇଛି ସତ କିନ୍ତୁ ଭୁବନେଶ୍ବରର ଶିକ୍ଷା ହବ୍‌ର ସ୍ବତନ୍ତ୍ର ପରିଚୟ ପାଇଛି ଚନ୍ଦକା ଶିଳ୍ପାଞ୍ଚଳ। ଏବେ ସୁଦ୍ଧା ସରକାରୀ, ଘରୋଇ ମିଶାଇଲେ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ୯ଟି ବିଶ୍ବବିଦ୍ୟାଳୟ, ୩ଟି ଘରୋଇ ମେଡିକାଲ କଲେଜ, ୨୦୦ରୁ ଅଧିକ କଲେଜ, ୬୦୦ ସ୍କୁଲ ରହିଛି। ସେଥିମଧ୍ୟରୁ ଚନ୍ଦକା ଶିଳ୍ପାଞ୍ଚଳ ସହ ଏହାର ତିନି କିମି ପରିଧି ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅନେକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉଛି। କିଟ୍‌ ଡିମ୍‌ଡ ବିଶ୍ବବିଦ୍ୟାଳୟ ଓ କିସ୍‌ ବିଶ୍ବବିଦ୍ୟାଳୟ ଏଠାରେ ରହିଛି। ଏଥିସହ ୨୫ ହଜାରରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ କିସ୍‌ ସ୍କୁଲରେ ରହି ପଢ଼ିବା ଓଡ଼ିଶା ପାଇଁ ସାରା ବିଶ୍ବରେ ଗୌରବ ଆଣିଦେଇଛି। ଏହାବ୍ୟତୀତ କିମ୍‌ସ ମେଡିକାଲ କଲେଜ, ସିପେଟ୍‌, ସିଲିକନ୍‌, କୌସ୍ତଭ ଗ୍ରୁପ୍‌ ଅଫ୍ ଇନ୍‌ଷ୍ଟଚ୍ୟୁସନ୍, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଓଡିଏମ୍‌ ପବ୍ଲିକ ସ୍କୁଲ, ଭେଙ୍କଟେଶ୍ବର ଇ˚ରାଜୀ ମାଧ୍ୟମ ବିଦ୍ୟାଳୟ, କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ, ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ, ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ, ନାରାୟଣୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ-୪, ନୀଳାଦ୍ରିବିହାର ସରସ୍ବତୀ ବିଦ୍ୟାମନ୍ଦିର, ପରି ଶିକ୍ଷାନୁଷ୍ଠାନ ଶିକ୍ଷା କ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହୋଇଛି। ଚନ୍ଦକା ଶିଳ୍ପାଞ୍ଚଳ ଆଇଟି ହବ୍‌ ବି ପରିଣତ ହୋଇଛି। ଇନ୍‌ଫୋସିସ୍‌, ମାଇଣ୍ତ୍‌ ଟ୍ରି, ୱିପ୍ରୋ, ଟିସିଏସ୍‌, ଡିଏଲ୍‌ଏଫ୍‌ ସାଇବର ସିଟି ଭିତରେ ଅନେକ ଜାତୀୟସ୍ତରର ଆଇଟି କମ୍ପାନି ରହିଛି।

ସମ୍ବନ୍ଧିତ ଖବର