ପ୍ଲାଷ୍ଟିକ୍‌ କପରେ ଚା’ ପିଉଛନ୍ତି କି ? ଭୋଗିପାରନ୍ତି ଏହି ସବୁ ସମସ୍ୟା

ଆଜିକାଲି ପ୍ରାୟତଃ ସବୁଠି ପ୍ଲାଷ୍ଟିକ ବା ପେପର କପ୍‌ର ବହୁଳ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି। ଦୋକାନ ବଜାର ଠାରୁ ଆରମ୍ଭ କରି ଅଫିସ, ବିବାହ ଉତ୍ସବ, ଯାନିଯାତ୍ରା ଆଦିରେ ବହୁ ମାତ୍ରାରେ ଏହାର ବ୍ୟବହାର କରାଯାଉଛି। ପ୍ଲାଷ୍ଟିକ କପ ବ୍ୟବହାର କରି ଯେଉଁ କଫି ଓ ଚା’କୁ ସୁରକ୍ଷିତ ଭାବୁଛୁ, ବାସ୍ତବରେ ତାହା ଶରୀର ପାଇଁ ବହୁତ କ୍ଷତିକାରକ। ପ୍ଲାଷ୍ଟିକ୍‌ କପରେ ଚା’ ପିଇଲେ ଏହାର କଣ ପ୍ରଭାବ ରହିଛି ? ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ କେତେ ସାଂଘାତିକ ହୋଇପାରେ ଆସନ୍ତୁ ଜାଣିବା।

ପ୍ଲାଷ୍ଟିକ କପ୍‌, ବିସଫେନଲ-ଏ ବା ବିପିଏ ଓ ପଲିପ୍ରୋପିଲିନ୍‌ ରସାୟନରେ ତିଆରି। ଏଥିରେ ଗରମ ପାଣି ବା ଗରମ ଚା’ ପଶିଲେ, ଏହା ତାତି ଯିବା ସହ ଏଥିରୁ ବିସଫେନଲ-ଏ ବା ବିପିଏ ନିର୍ଗତ ହୋଇଥାଏ। ଏହି ରାସାୟନିକ ପଦାର୍ଥର ପ୍ରଭାବରୁ ମେଦ ବୃଦ୍ଧି, କ୍ୟାନସର, ଯୌନ କ୍ଷମତାରେ ଅସୁବିଧା ପରି ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି।

ଏହା ସହ ବିସଫେନଲ-ଏ ନାମକ ରାସାୟନିକ ପଦାର୍ଥ ସିଧାସଲଖ ଆମ ଦେହର ହରମୋନକୁ ପ୍ରଭାବିତ କରିଥାଏ। ଫଳରେ ବହୁ ହରମୋନ ଜନିତ ସମସ୍ୟା ଦେଖାଦେଇଥାଏ। ଟେଷ୍ଟୋଟେରନ, ଇଷ୍ଟ୍ରୋଜେନ, ପ୍ରୋଜେଷ୍ଟେରନ ପରି ହରମୋନ ସହ ବିସଫେନଲ-ଏ ରାସାୟନିକ ମିଶିବା ଫଳରେ ଯୌନସମସ୍ୟା ସୃଷ୍ଟି ହୋଇଥାଏ। ପ୍ରୋଷ୍ଟେଟ୍‌ କ୍ୟାନସର, ଶୁକ୍ରାଣୁ ସଂଖ୍ୟାରେ ହ୍ରାସ ପରି ରୋଗ ହେବା ସମ୍ଭାବନା ରହିଥାଏ। ଅନ୍ୟପଟେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ, ଗର୍ଭପାତ ଏବଂ ଗର୍ଭ ଭିତରେ ଥିବା ଶିଶୁ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

ପ୍ଲାଷ୍ଟିକ ଚା କପରୁ ନିର୍ଗତ ହେଉଥିବା ବିସଫେନଲ-ଏ ନାମକ ରାସାୟନିକ ପଦାର୍ଥ ପିଟ୍ୟୁଟାରି ଗ୍ରନ୍ଥିରୁ ନିର୍ଗତ ହରମୋନ ସହ ମିଶିବା ଫଳରେ ମସ୍ତିଷ୍କର ବିକାଶ ବାଧା ପ୍ରାପ୍ତ ହୋଇଥାଏ। ଏହା ସହ ଏହି ମାରାତ୍ମକ ରାସାୟନିକ ପାନକ୍ରିଆସର ଆଲ୍‌ଫା-କୋଷକୁ ପ୍ରଭାବିତ କରିବା ଫଳରେ ଇନସୁଲିନ୍‌ କ୍ଷରଣ ପ୍ରଭାବିତ ହୋଇଥାଏ। ଫଳରେ ଇନସୁଲିନ୍‌ ଅଭାବରୁ ମଧୁମେହ ବା ଡାଏବେଟିସ୍‌ ରୋଗ ହେବାର ସମ୍ଭାବନା ବଢିଯାଏ।

 

ଅନ୍ୟପଟେ ପ୍ଲାଷ୍ଟିକ କପରେ ଚା’ ପିଇବା ଫଳରେ ସୃଷ୍ଟି ହେଉଥିବା ବିସଫେନଲ-ଏ ରାସାୟନିକ ପଦାର୍ଥର ପ୍ରଭାବରେ ଆମ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ଫଳରେ ସାଧାରଣ ରୋଗ ମଧ୍ୟ ସହଜରେ ଆକ୍ରମଣ କରିଥାଏ। ପ୍ରତିଶେଧକ ଶକ୍ତିର ଅଭାବ ଯୋଗୁଁ କୌଣସି ରୋଗରୁ ମୁକ୍ତି ପାଇବା ମଧ୍ୟ କଷ୍ଟ ସାଧ୍ୟ ହୋଇଥାଏ।

ସମ୍ବନ୍ଧିତ ଖବର