ବିନା ଅନୁମତିରେ ଆପଣଙ୍କ ଘର କାନ୍ଥରେ କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ନିଜର ବିଜ୍ଞାପନ ଲଗାଇ ପାରିବେ ନାହିଁ!

ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଯାଇଛି। ଏହି ରାଜ୍ୟମାନଙ୍କ ତାଲିକାରେ ଅଛନ୍ତି ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଏବଂ ମଧ୍ୟପ୍ରଦେଶ। ନିର୍ବାଚନକୁ ସୁରୁଖୁରୁରେ କରିବା ସହ ନିର୍ବାଚନରେ ଲାଗୁ ହେଉଥିବା ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ତେବେ ନିର୍ବାଚନ ଆୟୋଗଙ୍କ ଅଧିସୂଚନା ଜାରି ହେବା କ୍ଷଣି ହିଁ ଏହି ସମସ୍ତ ରାଜ୍ୟମାନଙ୍କରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇସାରିଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି କି, କୌଣସି ବି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଆପଣଙ୍କ ଘର କାନ୍ଥରେ ନିଜର ବିଜ୍ଞାପନ ଲଗାଇ ପାରିବେ ନାହିଁ। ସାଧାରଣତଃ ଲୋକଙ୍କୁ ଏସଂପର୍କରେ ଜ୍ଞାନ ନଥାଏ କି, ତାଙ୍କ ଘର କାନ୍ଥରେ ବିନା ସହମତିରେ ଯଦି କୌଣସି ରାଜନୈତିକ ଦଳ କିମ୍ବା ନିର୍ବାଚନ ଲଢୁଥିବା ପ୍ରାର୍ଥୀ ବିଜ୍ଞାପନ ଲଗାନ୍ତି ତେବେ ତାଙ୍କର ନିର୍ବାଚନ ପ୍ରାର୍ଥିପତ୍ର ରଦ୍ଦ ହୋଇପାରେ। ଏଥିପାଇଁ ପ୍ରଥମେ ଆପଣଙ୍କୁ ଜାଣିବାକୁ ହେବ କି ଆଦର୍ଶ ନିର୍ବାଚନ ଆଚାର ସଂହିତା କଣ ? ଏବଂ ଏନେଇ ଅଭିଯୋଗ କିଭଳି ଓ କେଉଁଠି କରିବେ ?

ଆଦର୍ଶ ନିର୍ବାଚନ ସଂହିତା କଣ?

କାହାର ବିନା ଅନୁମତିରେ ତାଙ୍କ ଘରର କାନ୍ଥ, କିମ୍ବା ବ୍ୟକ୍ତିଗତ ସଂପତି କୌଣସି ରାଜନୈତିକ ଦଳ ବ୍ୟବହାର କରିପାରିବେ ନାହିଁ। ସେହିପରି କୌଣସି ଦଳର ସଭା କିମ୍ବା ପଟୁଆରରେ ବାଧା ଦେଇପାରିବେ ନାହିଁ।

କୌଣସି ବି ଦଳ ଏଭଳି କାମ ନକରିବା ଉଚିତ, ଯାହାଦ୍ୱାରା ଜାତି କିମ୍ବା ଧର୍ମ ବା ଭାଷା ସମୁଦାୟ ମଧ୍ୟରେ ମତଭେଦ ବୃଦ୍ଧି ପାଉ କିମ୍ବା ଘୃଣା ମନୋଭାବ ବ୍ୟାପୁ।

ରାଜନୈତିକ ଦଳଗୁଡିକର ଆଲୋଚନା କାର୍ଯ୍ୟକ୍ରମ ଏବଂ ନୀତିଗୁଡିକ ଭିତରେ ସୀମିତ ଥିବା ଉଚିତ, ନା ହିଁ ବ୍ୟକ୍ତିଗତ।

ଧାର୍ମିକ ସ୍ଥାନର ବ୍ୟବହାର ନିର୍ବାଚନ ପ୍ରଚାରର ମଂଚ ଭାବରେ ଉପଯୋଗ କରା ନଯିବା ଉଚିତ।

ମତ ପାଇବା ପାଇଁ ଭ୍ରଷ୍ଟ ଆଚରଣର ଉପଯୋଗ କରନ୍ତୁ ନାହିଁ, ଯେପରିକି, ଲାଂଚ ଦେବା, ମତଦାତାଙ୍କୁ ହଇରାଣ କରିବା ଇତ୍ୟାଦି।

ସେହିପରି ରାଜନୈତିକ ଦଳ ଏଭଳି କୌଣସି ବି ଅପିଲ ଜାରି କରିବେ ନାହିଁ, ଯେଉଁଥିରେ କାହାର ଧାର୍ମିକ କିମ୍ବା ଜାତିଗତ ଭାବନାଆଘାତ ଦେଲାଭଳି ହେଉଥିବ।

ରାଜନୈତିକ ସଭା କାର୍ଯ୍ୟକ୍ରମ ସହ ଜଡିତ କିଛି ନିୟମ

ସଭା-ସ୍ଥଳରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ପୂର୍ବରୁ ଆଣିବାକୁ ହେବ।

ସଭାର ଆୟୋଜକ ବାଧା ସୃଷ୍ଟିକରୁଥିବା ଲୋକଙ୍କୁ ସାମ୍ନା କରିବା ପାଇଁ ପୁଲିସର ସହାୟତା ଦେବାକୁ ହେବ।

ସଭା ସ୍ଥଳି ଏବଂ ସମୟର ପୂର୍ବ ସୂଚନା ପୁଲିସ ଅଧିକାରୀଙ୍କ ଦେବାକୁ ହେବ।

ତେବେ ଯଦି କୌଣସି ବ୍ୟକ୍ତିଙ୍କୁ ଲାଗେ କି କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀ ନିର୍ବାଚନ ଆଚାର ସଂହିତାର ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କ ବିରୋଧରେ ଅଭିଯୋଗ ନିର୍ବାଚନ ଆୟୋଗଙ୍କ ନିକଟରେ କରିପାରିବେ। କାରଣ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟରେ ନିଜର ଏକ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥାନ୍ତି। ତେବେ ଯଦି କୌଣସି ବ୍ୟକ୍ତିଙ୍କୁ ଲାଗୁଛି କି, ନିର୍ବାଚନ ଆଚାର ସଂହିତାର ଉଲ୍ଲଂଘନ କରାଯାଉଛି, ତେବେ ସେ ଏନେଇ ସିଧାସଳଖ ଭାବରେ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିପାରିବେ। ଏଥିପାଇଁ ଆୟୋଗର ଏକ ଆପ୍‌ ମଧ୍ୟ ଆପଣଙ୍କ ସହାୟତା କରିବ। ଯାହାର ନାଁ ରହିଛି C-VIGIL APP । ତେବେ କୌଣସି ବି ବ୍ୟକ୍ତି ଏହି ଆପକୁ ଡାଉନଲୋଡ କରି ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର