ସମୁଦ୍ର ମନ୍ଥନରୁ ମିଳିଥିବା ପାରିଜାତ ବୃକ୍ଷ ଏବେ ବି ଭାରତରେ ରହିଛି

0 2,362

ମହାଭାରତ ଏବଂ ବିଷ୍ଣୁ ପୁରାଣରେ ବର୍ଣ୍ଣିତ ହୋଇଛି ଦେବ ଓ ଦାନବମାନେ ମିଶି କରିଥିବା ସମୁଦ୍ର ମନ୍ଥନ କଥା। ଅମୃତ ଓ ହଳାହଳ ସମେତ ଦେବୀ ଲକ୍ଷ୍ମୀ, କାମଧେନୁ, ଅପ୍ସରା, ବାରୁଣୀ, ଉଚ୍ଚୈଶ୍ରବା, କୌସ୍ତୁଭ, ପାରିଜାତ, ଶାରଙ୍ଗ, ଚନ୍ଦ୍ର ଏବଂ ଧନନ୍ତ୍ୱରୀ ଆଦି ଅନେକ ଦୁର୍ଲଭ ଓ ବିଚିତ୍ର ଜିନିଷ ମିଳିଥିଲା ମନ୍ଥିତ ସମୁଦ୍ର ଗର୍ଭରୁ।

ସମୁଦ୍ର ମନ୍ଥନରୁ ପ୍ରାପ୍ତ ପାରିଜାତ ବୃକ୍ଷର ଫୁଲ କେବେ ମଉଳେ ନାହିଁ, ଏହାର ରଙ୍ଗ ଫିକା ପଡ଼େ ନାହିଁ। ଇନ୍ଦ୍ରଦେବ ଏହାକୁ ସ୍ୱର୍ଗକୁ ନେଇ ଯାଇଥିଲେ।

ସେ ବୃକ୍ଷର ବଡ଼ ବିଚିତ୍ର କରାମତି। ତାହାକୁ ସ୍ପର୍ଶ କରିବା ମାତ୍ରେ ଉଭେଇ ଯାଏ ସକଳ ଯନ୍ତ୍ରଣା, ଦୁଃଖ ଓ କ୍ଳାନ୍ତି। ଏହାକୁ କେତେକ କଳ୍ପବୃକ୍ଷ ମଧ୍ୟ କହନ୍ତି।

ବିଷ୍ଣୁ ଜିଗର କରିବାରୁ ମାନବ କଲ୍ୟାଣ ପାଇଁ ଇନ୍ଦ୍ରଦେବ ପୁଣି ପାରିଜାତ ବୃକ୍ଷକୁ ପୃଥିବୀକୁ ଫେରାଇ ଦେଇଥିଲେ। କୁହାଯାଏ ସେ ପବିତ୍ର ବୃକ୍ଷ ଉତ୍ତର ପ୍ରଦେଶର ଅନ୍ତର୍ଗତ ବାରବାଙ୍କି ନିକଟବର୍ତ୍ତୀ କିଣ୍ଟୁର୍‌ ଗାଁ’ରେ ରହିଛି।

ଏଥିରେ କଦବା କ୍ୱଚିତ, ବିଶେଷ କରି ଗଙ୍ଗା ଦଶହରା ପରେ ଧଳା ରଙ୍ଗର ଫୁଲ ଫୁଟେ। କ୍ରମେ ଫୁଲ ଶୁଖି ଯାଇ ହଳଦିଆ ପଡ଼ିଯାଏ। ଏହା ଉଭୟ ଲିଙ୍ଗୀ। ଏଥିରେ ଫଳ କି, ମଞ୍ଜି ଧରେ ନାହିଁ। ଏହାର ଡାଳରୁ ମଧ୍ୟ ଗଛ ହୁଏ ନାହିଁ। ମଣିଷର ଆଙ୍ଗୁଠି ପରି ଦିଶେ ଏହାର ପତ୍ର।

ପାରିଜାତ ଫୁଲର ଉତ୍ପତି ସଂକ୍ରାନ୍ତରେ ଆଉ ଏକ କିଂବଦନ୍ତି ବି ଶୁଣାଯାଏ। ମହାଭାରତ ଯୁଗର କଥା। ମାତା କୁନ୍ତୀଙ୍କ ସହ ପାଣ୍ଡବ ଭ୍ରାତା ନିର୍ବାସିତ ହୋଇ ଥାଆନ୍ତି। ଦିନେ ଶିବଲିଙ୍ଗରେ ଚଢ଼ାଇବାକୁ କୁନ୍ତୀ କୌଣସି ଫୁଲ ପାଇଲେ ନାହିଁ। ଏ କଥା ଦେଖି ଅର୍ଜୁନ ଇନ୍ଦ୍ରଙ୍କୁ ବୁଝାଶୁଝା କରି ପାରିଜାତ ଗଛ ଆଣିଲେ। କୁନ୍ତୀ ସେ ଦୈବୀ ଫୁଲକୁ ଶିବଲିଙ୍ଗରେ ଚଢ଼ାଇଲେ।

ହରିବଂଶ ପୁରାଣରେ ପାରିଜାତ ବୃକ୍ଷକୁ କଳ୍ପବୃକ୍ଷ ଭାବେ ନାମିତ କରାଯାଇଛି। ସମୁଦ୍ର ମନ୍ଥନ ପରେ ଇନ୍ଦ୍ରଦେବ ଏହାକୁ ନେଇ ସ୍ୱର୍ଗରେ ରୋପଣ କରିଥିଲେ।

ସ୍ଥାନୀୟ କିଣ୍ଟୁର ଅଧିବାସୀମାନଙ୍କର ବିଶ୍ୱାସ ନବବିବାହିତାମାନେ ଏ ବୃକ୍ଷରେ ବ୍ରତ ବାନ୍ଧିରେ ସେମାନଙ୍କର ମନୋକାମନା ପୂରଣ ହୋଇଥାଏ। ମଙ୍ଗଳବାର ଦିନ ପାରିଜାତ ବୃକ୍ଷ ପୂଜା କରାଯାଏ।

ଭାରତୀୟ ଡାକ ବିଭାଗ ପାରିଜାତ ବୃକ୍ଷର ଚିତ୍ର ଥିବା ଡାକ ଟିକିଟ୍‌ ମଧ୍ୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.