ଦୂତାବାସମାନଙ୍କରେ ରହିଛି ଚାକିରିର ପ୍ରଚୁର ସୁଯୋଗ !

ଭୂମଣ୍ଡଳୀକରଣର ଏହି ଯୁଗରେ ଦୂତାବାସଗୁଡିକରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । କିଛି ବର୍ଷ ପୂର୍ବେ ଦୂତାବାସଗୁଡିକ ଦୁଇ ଦେଶ ମଧ୍ୟରେ କେବଳ ରାଜନୈତିକ ସଂପର୍କ ଯୋଡିବାର କାମ କରୁଥିଲା, କିନ୍ତୁ ଆଜି ଏହା ବିଭିନ୍ନ ଦେଶର ସାଂସ୍କୃତିକ ଭାବ ଆଦାନ ପ୍ରଦାନର ସେତୁ ଭାବେ କାର୍ଯ୍ୟ କରୁଛି । ଏହି କାରଣରୁ ଏବେ ଦୂତାବାସରେ ଚାକିରି କରିବା ଲାଗି ଅନେକ ଲୋକ ଚାହୁଁଛନ୍ତି। ବିଶେଷ କରି ଯେଉଁମାନେ ରାଜନୀତି ବିଜ୍ଞାନ ବା ଇତିହାସର ଛାତ୍ର ଥିବେ ସେମାନେ ଏଥିପ୍ରତି ବିଶେଷ ଆଗ୍ରହ ଦେଖାଇଥାନ୍ତି। ସବୁଠୁ ବଡ଼ କଥା ହେଲା ଯେ ଏହି କ୍ଷେତ୍ରରେ ରୋଜଗାରର ସମ୍ଭାବନା ମଧ୍ୟ ଢ଼େର ବୃଦ୍ଧି ପାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଥିରେ ଚାକିରି କଲେ ବିଭିନ୍ନ ଦେଶର ସଂସ୍କୃତି ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ମିଳିବ। ଏଥିଲାଗି ଏବେ ଏ ସଂପର୍କୀତ ସ୍ୱତନ୍ତ୍ର ପାଠ୍ୟକ୍ରମର ପ୍ରଚଳନ ବି ହେଲାଣି। ଭାରତରେ ସ୍ଥିତ ବିଭିନ୍ନ ଦେଶଗୁଡିକର ଦୂତାବାସରେ ସେହି ଦେଶର ନାଗରିକମାନଙ୍କ ବ୍ୟତୀତ ଭାରତୀୟ ନାଗରିକମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି । କିନ୍ତୁ ଏସଂପର୍କୁ ନେଇ ଅନେକ ଲୋକ ଅନଭିଜ୍ଞ, ଯେଉଁ କାରଣରୁ ନିଜ ଦେଶର ବିଦେଶୀ ସଂସ୍ଥା ମାନଙ୍କରେ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି ଅନେକ ଶିକ୍ଷିତ ଭାରତୀୟ ।
ଦୂତାବାସମାନଙ୍କରେ ବିଭିନ୍ନ ପ୍ରକାରର ଚାକିରି ରହିଛି। ଏଠାରେ ସାଧାରଣତଃ ପାଠାଗାର ରକ୍ଷକ, କିରାଣୀ, ଟେକ୍‌ନିସିଆନ୍‌, ଦ୍ୱିଭାଷୀ ବ୍ୟକ୍ତି, ସାମାଜିକ କାର୍ଯ୍ୟକର୍ତ୍ତା, କଳା, ସଂସ୍କୃତି ସହିତ ଜଡିତ ବ୍ୟକ୍ତି ଏବଂ ଚତୁର୍ଥ କର୍ମଚାରୀମାନଙ୍କ ପାଇଁ ନିଯୁକ୍ତିର ବିଶେଷ ସୁବିଧା ରହିଛି ।

ଦୂତାବାସମାନଙ୍କରେ ଚାକିରି କରିବାକୁ ଚାହାଁନ୍ତି କି?

ଦୂତାବାସ ମାନଙ୍କରେ କିରାଣୀ ହେବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଲା ସ୍ନାତକ । ଏତଦ୍‌ବ୍ୟତୀତ କଂପ୍ୟୁଟର ଜ୍ଞାନ ମଧ୍ୟ ଅତ୍ୟାବଶ୍ୟକ । ଯେଉଁମାନେ ଏହି ପଦବୀରେ ନିଯୁକ୍ତ ହୋଇଥାଆନ୍ତି, ସେମାନେ ସାଧାରଣତଃ ଭିସା, ପାସପୋର୍ଟ ଇତ୍ୟାଦି କାମ କରିଥାଆନ୍ତି । ପୁସ୍ତକାଳାୟ ବା ପାଠାଗାରକୁ ସୁରାରୁରୂପେ ପରିଚାଳନା କରିବା ହେଉଛି ପାଠାଗାର ରକ୍ଷକଙ୍କ କାମ । ଏହି ଚାକିରୀ ପାଇଁ ଲାଇବ୍ରେରୀ ସାଇନ୍ସରେ ଡିଗ୍ରୀ କିମ୍ବା ଡିପ୍ଳୋମା ଥିବା ଅନିବାର୍ଯ୍ୟ । ଟେକ୍‌ନିସିଆନ୍‌ମାନେ ଦୂତାବାସର ବିଦ୍ୟୁତ୍‌ ଜଳ ଓ ଲିଫ୍ଟ ଇତ୍ୟାଦିର ବ୍ୟବସ୍ଥାକୁ ସୁଚାରୁରୂପେ ସଂପାଦନ କରିଥାଆନ୍ତି । ଏଥିପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ବି ଜରୁରୀ ।

ସାମାଜିକ କାର୍ଯ୍ୟକର୍ତ୍ତାମାନେ ସମସ୍ତ ଦୂତାବାସରେ ସାଂସ୍କୃତିକ ମିଳାମିଶା ଓ ସମାଜସେବା ସଂପର୍କୀତ କାର୍ଯ୍ୟ କରିଥାଆନ୍ତି । ଏହି ଦୂତାବାସଗୁଡିକରେ ସାଧାରଣତଃ ପ୍ରାର୍ଥୀମାନଙ୍କର ଅଭିଜ୍ଞତାକୁ ପ୍ରାଥମିକ ଗୁରୁତ୍ୱ ଦିଆଯାଇଥାଏ । ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଦୂତାବାସର ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେଇଥାଆନ୍ତି । ଖାଲିଥିବା ପଦବୀଗୁଡିକ ପୂରଣ ଲାଗି ବିଭିନ୍ନ ସମୟରେ ସମ୍ବାଦପତ୍ରରେ ବିଜ୍ଞାପନ ବାହାରିଥାଏ । ତେବେ ସମୟ ସମୟରେ ଦୂତାବାସର କାର୍ଯ୍ୟଳୟର ନୋଟିସ୍‌ ବୋର୍ଡରେ ନିଯୁକ୍ତି ସଂପର୍କୀତ ସୂଚନା ନିଆଯାଇଥାଏ । ଏହି କର୍ମଚାରୀମାନଙ୍କୁ ସପ୍ତାହରେ ପାଞ୍ଚଦିନ କାମ କରିବାକୁ ପଡିବ । ଏମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବେତନ ମିଳିଥାଏ ।

ସମ୍ବନ୍ଧିତ ଖବର