ବସିପାରନ୍ତି ନାହିଁ କି ଛିଡା ବି ହୋଇ ପାରନ୍ତି ନାହିଁ, ଶୋଇ ରହି ବିସିଏ ପରୀକ୍ଷା ପାସ୍‌ କରିଥିଲେ ଏହି ଯୁବତୀ

ଭୋପାଳ: ମଣିଷର ମନରେ ଇଚ୍ଛା ଶକ୍ତି ଥିଲେ ସବୁ ଅସମ୍ଭବ କଥା ସମ୍ଭବ ହୋଇଥାଏ। ଏଭଳି ଉକ୍ତି କହିବାର ଯର୍ଥାତ ହେଉଛି, ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ ବାସ କରୁଥିବା ଅଙ୍କିତା ନାୟଡୁ ଓଷ୍ଟୋ ଜେନେଟିକ୍‌ ରୋଗରେ ପୀଡିତ। ଏହି ରୋଗ ଏକ ବିରଳ ରୋଗ, ଯାହାକି ପ୍ରାୟତଃ ଲକ୍ଷେ ଲୋକଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ । ଏହା ଏଭଳି ଏକ ରୋଗ ଯେଉଁଥିରେ ମନୁଷ୍ୟ ଶରୀରର ସମସ୍ତ ହାଡକୁ ଦୁର୍ବଳ କରିଦେଇଥାଏ ଏବଂ ତାକୁ ଅପାରଗ କରିପକାଇଥାଏ । ତେବେ ଅଙ୍କିତା ଓଷ୍ଟୋ ଜେନେଟିକ୍‌ ରୋଗରେ ପୀଡିତ ହୋଇ ବି ଭାଙ୍ଗି ପଡି ନଥିଲେ। ନିଜର ଏହି ଦୁର୍ବଳତାକୁ ଦୃଢ଼ କରି ଅନ୍ୟ ପାଇଁ ଆଜି ଅଙ୍କିତା ପାଲଟି ଯାଇଛନ୍ତି ପ୍ରେରଣାର ଉତ୍ସ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏହି ରୋଗ କାରଣରୁ ଏଭଳି କୌଣସି ଦିନ ନାହିଁ କି ଅଙ୍କିତାଙ୍କର ହାଡ ଭାଙ୍ଗି ନ ଥିବ । ଏପରିକି ପେନର କ୍ୟାପ ବାହାର କରିବା ସମୟରେ ବି ଅନେକ ଥର ଅଙ୍କିତାଙ୍କ ହାତର ହାଡ ମଧ୍ୟ ଭାଙ୍ଗି ଯାଇଛି । ଖାଲି ସେତିକି ନୁହେଁ, ଏହି ରୋଗ କାରଣରୁ ଅଙ୍କିତାଙ୍କ ଉଚ୍ଚତା ପାଖାପାଖି ୩ ଫୁଟ୍‌ ବଢି ପାରିଛି ଏବଂ ହାଡଗୁଡିକ ତ ଅଗଣିତ ଥର ଭାଙ୍ଗି ସାରିଛି, କିନ୍ତୁ ଏହାସବୁ ସତ୍ତ୍ୱେ ବି ଅଙ୍କିତା କେବେ ଭାଙ୍ଗି ପଡ଼ି ନଥିଲେ। ଅଙ୍କିତା ଓଷ୍ଟୋ ଜେନେଟିକ୍‌ ରୋଗରେ ଆକ୍ରାନ୍ତ ହୋଇ ବି ବିସିଏ ପାଠପଢା ଶେଷ କରିଥିଲେ ଏବଂ ବର୍ତ୍ତମାନ ଏମବିଏ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି।

ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ ବାସ କରୁଥିବା ଅଙ୍କିତା ନାୟଡୁ (୨୪ ବର୍ଷ) ହେଉଛନ୍ତି ଘରର ବଡ ଝିଅ । ସେ କେବେ ବସି ପାରନ୍ତି ନାହିଁ କି ଛିଡା ହୋଇ ପାରନ୍ତି ନାହିଁ। ଅଙ୍କିତାଙ୍କ ବାପା ସତ୍ୟନାରାୟଣ ନାୟଡୁ ଛିନ୍ଦୱାଡାରେ ଏକ ଘରୋଇ କଂପାନିରେ କାମ କରନ୍ତି ଏବଂ ତାଙ୍କ ମାଆ ଜଣେ ଶିକ୍ଷୟିତ୍ରୀ ।

ଅଙ୍କିତାଙ୍କ ମାଆ କୁହନ୍ତି, ଅଙ୍କିତା ଏହି ରୋଗରେ ପିଲାଦିନରୁ ଆକ୍ରାନ୍ତ, କିନ୍ତୁ ସେ ଜଣେ ଦୃଢ ଆତ୍ମବିଶ୍ୱାସୀ ହୋଇଥିବା ଝିଅ। ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଅଙ୍କିତା ବିସିଏ କରିବାକୁ ନିଷ୍ପତ୍ତି ନେଇଥିଲା ଆଉ ତାକୁ ପୂରଣ ମଧ୍ୟ କରିଥିଲା । ଖାଲି ସେତିକି ନୁହେଁ ଅଙ୍କିତା କମ୍ପ୍ୟୁଟର ମଧ୍ୟ ସେହିପରି ଶୋଇରହି ହିଁ ଶିଖିଥିଲା ଏବଂ ସମସ୍ତ ପରୀକ୍ଷାଗୁଡିକ ବି ସେ ସେହିଭଳି ଶୋଇରହି ଦେଇଥିଲେ । ଉଚ୍ଚଶିକ୍ଷିତ ହୋଇ ଆତ୍ମର୍ନିଭରଶୀଳ ହେବାକୁ ଇଚ୍ଛା ରଖିଛନ୍ତି।

ଖାଲି ସେତିକି ନୁହେଁ, ଅଙ୍କିତା ବାପାମାଆଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି । ବାପା ସତ୍ୟନାରାୟଣ ଅଙ୍କିତାଙ୍କୁ ପରୀକ୍ଷା ସେଣ୍ଟରକୁ କାଖ କରି ନେଇ ଯାଆନ୍ତି ।

ଅଙ୍କିତା କହନ୍ତି, ‘ମୋର ବାପା-ମାଆ କେବେ ମୋର ରୋଗକୁ ମୋ ସ୍ପପ୍ନ ମଝିରେ ଆଣିବାକୁ ଦେଇ ନାହିଁନ୍ତି । ମୁଁ ବହୁତ ଖୁସି କି ମୋତେ ଏତେ ଭଲ ପାଉଥିବା ବାପା ମାଆ ମିଳିଛନ୍ତି।

ସମ୍ବନ୍ଧିତ ଖବର