ହକ୍‌ ପାଇଁ ଚାଷୀ ଏକାଠି

‘ଭାରତ ମାତା କୀ ଜୟ’…. ରୁ ଆରମ୍ଭ

ଆଜି ସମାବେଶରେ ହଜାର ହଜାର କୃଷକ ଆନ୍ନା ହଜାରେଙ୍କୁ ଅପେକ୍ଷା କରିଥିଲେ। କେତେବେଳେ ସେ କହିବେ ଏବଂ କ’ଣ କହିବେ ଏହାକୁ ନେଇ ଉତ୍କଣ୍ଠା ଭରି ରହିଥିଲା। ଅନ୍ୟ କର୍ମକର୍ତ୍ତାଙ୍କ ବକ୍ତବ୍ୟ ପରେ ଶ୍ରୀ ହଜାରେ ନିଜର ବକ୍ତବ୍ୟ ପାଇଁ ଉଠିବା କ୍ଷଣି ହଜାର ହଜାର ଚାଷୀ କରତାଳି ବର୍ଷା କରିଥିଲେ। ଭାରତମାତାକୀ ଜୟରୁ ଶ୍ରୀ ହଜାରେ ଆରମ୍ଭ କରିଥିଲେ ବକ୍ତବ୍ୟ। ଦୁଇ ଥର ଭାରତ ମାତାକୀ ଜୟ, ଦୁଇ ଥର ବନ୍ଦେ ମାତରମ୍‌ ଏବଂ ଦୁଇ ଥର ଇନ୍‌କିଲାବ୍‌ ଜିନ୍ଦାବାଦ କହିଥିଲେ। ଚାଷୀମାନେ ମଧ୍ୟ ଆନ୍ନାଙ୍କ ସହ ସ୍ଲୋଗାନ ଦେଇଥିଲେ। ପ୍ରଥମେ ଭାରତମାତାକୀ ଜୟ ସ୍କୋଗାନ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲା।

ମୃତ ଚାଷୀଙ୍କ ପାଇଁ ଦୁଇ ମିନିଟ୍‌

ଚାଷହାନୀ ଓ ଋଣ ଚିନ୍ତାରେ ଚାଷୀ ଆତ୍ମହତ୍ୟା କରୁଛି। ହେଲେ ସରକାର ଅସ୍ୱୀକାର କରୁଛି। ସାମାନ୍ୟତମ ଦୁଃଖ ପ୍ରକାଶ ମଧ୍ୟ କରୁନାହିଁ। ତେବେ ମୃତ ଚାଷୀ ପରିବାରକୁ ସ୍ୱାନ୍ତନା ଦେବା ପୂର୍ବକ ଏବଂ ସମ୍ମାନ ଜଣାଇ ସଭା ଆରମ୍ଭରେ ଦିବଙ୍ଗତ ଚାଷୀଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଆନ୍ନା ହଜାରେଙ୍କ ସମେତ ଉପସ୍ଥିତ ଅନ୍ୟ ଅତିଥିମାନେ ଛିଡ଼ା ହୋଇ ନିରବ ପ୍ରାର୍ଥନା କରିଥିଲେ।

ଜଗତସିଂହପୁରରେ ଭବ୍ୟ ସମ୍ବର୍ଦ୍ଧନା

ଆଜି ଦ୍ଵିତୀୟ ଥର ପାଇଁ ଜଗତସିଂହପୁର ମାଟିରେ ପାଦ ଥାପିଥିଲେ ଆନ୍ନା ହଜାରେ। ଏହାକୁ ନେଇ ଜଗତସିଂହପୁରବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ରାଜ୍ୟ ଅତିଥି ଭବନରୁ ବାହାରି ଏକ ଶୋଭାଯାତ୍ରରେ ସୁରକ୍ଷା ବଳ ଭିତରେ ଜଗତସିଂହପୁର କଲେଜଛକରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସମେତ ସଙ୍ଗଠନର କର୍ମକର୍ତ୍ତାମାନେ ଆନ୍ନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। କଲେଜ ଛକରୁ ଜିଲ୍ଲାପାଳଙ୍କ ପଡ଼ିଆ ପର୍ଯ୍ୟନ୍ତ ଦୁଇ କଡ଼ରେ ହଜାର ହଜାର ଜନ ସାଧାରଣ ଛିଡ଼ା ହୋଇ ଆନ୍ନାଙ୍କୁ ଦେଖିଥିଲେ। ଆନ୍ନାଜି ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ବାଟରେ ଜନ ସାଧାରଣ ପୁଷ୍ପ ଗୁଚ୍ଛ ଦେଇ ଆନ୍ନାଙ୍କୁ ସ୍ୱାଗତ କରିଥିଲେ।

‘ଜୟ କିଷାନ’ରେ କମ୍ପିଲା ସମାବେଶସ୍ଥଳ

ଆଜି ସମାବେଶ ସ୍ଥଳରେ ଚାଷୀ ମାନଙ୍କ ଭିତରେ ଅହେତୁକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଅତିଥିମାନେ ବକ୍ତବ୍ୟ ଦେଉଥିବା ବେଳେ ହଜାର ହଜାର କୃଷକଙ୍କ କରତାଳିରେ ଫାଟି ପଡ଼ୁଥିଲା ସମାବେଶ। ଏଥିସହ କୃଷକଙ୍କ ଜୟ କିଷାନ ଧ୍ୱନୀ ଏବଂ ଜୋ କିଷାନ୍‌କା କାମ୍‌ କରେଗା… ୱ ଦେଶ୍‌ମେ ରାଜ୍‌ କରେଗା ଧ୍ୱନୀ ସଭାସ୍ଥଳକୁ ପ୍ରକମ୍ପିତ କରୁଥିଲା।

ଆନ୍ନା ଦେଲେ ସଂଜୀବନୀ

ଜଗତସିଂହପୁର ଟାଉନ୍‌ : ଦେଶ ତଥା ରାଜ୍ୟରେ ଚାଷୀ ଓ ଚାଷ ଦୁଇଟି ସଙ୍କଟରେ ରହିଛି। ଗୋଟିଏ ପଟେ ଚକଡ଼ା ମାଡ଼ରେ ଉଜୁଡ଼ି ଯାଇଛି ସୁନାର ଫସଲ। ଅନ୍ୟପଟେ ଅଦିନିଆ ବର୍ଷା ଧୋଇ ଦେଇଛି ଚାଷୀର ଝାଳ ବୁହା ଫସଲ। ଉଜୁଡ଼ା ଫସଲ ଏବଂ ଋଣ ଚିନ୍ତାରେ ଚାଷୀ ଆତ୍ମହତ୍ୟା କରୁଛି। ରାଜ୍ୟରେ ବିଗତ ବର୍ଷକୁ ହିସାବକୁ ନେଲେ ଶହ ଶହ ଚାଷୀ ଆତ୍ମହତ୍ୟା କରିଥିବା ନଜିର ରହିଛି। କିନ୍ତୁ ସରକାରୀ କ୍ଷେତ୍ରରେ ଚାଷୀ ଆତ୍ମହତ୍ୟାକୁ ଗ୍ରହଣ କରାଯାଉନାହିଁ। ବରଗଡ଼ର ବୃନ୍ଦା ସାହୁ ଆତ୍ମହତ୍ୟାକୁ ମଧ୍ୟ ସରକାରୀ ରିପୋର୍ଟରେ ଗ୍ରହଣ କରାଯାଉନାହିଁ। ଚାଷୀଙ୍କୁ ସମବେଦନା ଜଣାଇବା ପରିବର୍ତ୍ତେ କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନବାଜି ଚାଷୀଙ୍କ ପୋଡ଼ା ଘା’ରେ ଚୂନ ଦେବା ଭଳି ମନେ ହେଉଛି। ତେବେ ଚକଡ଼ା ପୋକ ମାରିବାକୁ ଦିଆଯାଇଥିବା କୀଟନାଶକ ଔଷଧ ଚକଡ଼ା ପୋକ ମାରିବା ବଦଳରେ ଅଧିକ ବଢ଼ାଇଛି। ଏଭଳି ଏକ ସମୟରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ପଡ଼ିଆରେ ଆୟୋଜିତ ଜୟକିଷାନ ମହାସମାବେଶରେ ଯୋଗଦେଇ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଚାଷୀଙ୍କ ମନୋବଳ ବୃଦ୍ଧି କରିଛନ୍ତି। ଚାଷୀଙ୍କ ପାଇଁ ଏ ଦେଶ। ଏ ଦେଶରେ ଚାଷୀକୁ ଉଚିତ ଦର, ସମ୍ମାନ ଏବଂ ସୁରକ୍ଷା ଭତ୍ତା ମିଳିବ। ଏଥିପାଇଁ ଗାନ୍ଧୀଙ୍କ ପଥରେ ସାରା ଦେଶରେ ସେ ଆନ୍ଦୋଳନ କରିବେ। ଆନ୍ନା ହଜାରେଙ୍କ ଏହି ବାଣୀରେ ଉପସ୍ଥିତ କୃଷକ ଭାଇ ଏବଂ ସାରା କୃଷକ ସମାଜରେ ଆଶା ସଂଞ୍ଚାର ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାରେ ମରିମରି ଯାଇଥିବା କୃଷକ ମନରେ ସଞ୍ଜୀବନୀ ଭରି ଦେଇଛନ୍ତି ଆନ୍ନା ହଜାରେ।

ମହିଳା ବି ସାମିଲ ହେଲେ

ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଜି ପ୍ରାୟ ୨ରୁ ୩ ହଜାର ମହିଳା ଚାଷୀ ସମାବେଶକୁ ଆସିଥିଲେ। ମହିଳାମାନେ ମଧ୍ୟ ଚାଷ କରୁଛନ୍ତି ଏବଂ ଚାଷୀଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିଛନ୍ତି। ତେବେ ଅତିଥିଙ୍କ ମଞ୍ଚ ପ୍ରବେଶ ଓ ବକ୍ତବ୍ୟ ବେଳେ ପୁରୁଷ ମାନେ କରତାଳି ଦେଇ ସ୍ୱାଗତ କରିଥିବା ବେଳେ ମହିଳାମାନେ ହୁଳହୁଳି ଦେଇ ଆନ୍ନା ହଜାରେ ତଥା ଅନ୍ୟ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।

‘ବିକାଶର ବିକଳ୍ପ ବିଚାର ନବନିର୍ମାଣ’

ଆଜି ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ତିଥିରେ ନବନିର୍ମାଣ କୃଷକ ସଙ୍ଗଠନ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ଜୟ କିଷାନ ମହାସମାବେଶ ଅବସରରେ ଜନ୍ମ ନେଇଛି ବିକାଶର ବିକଳ୍ପ ବିଚାର ନବନିର୍ମାଣ। ଏହାକୁ ଆଜି ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ମଞ୍ଚରେ ଉନ୍ମୋଚନ କରିଛନ୍ତି। ୩୩ ବର୍ଷ ତଳେ ସମ୍ବାଦ ଏକ ସଙ୍କଳ୍ପ ନେଇ ଜନ୍ମ ହୋଇଥିଲା। ଆଜି ସମ୍ବାଦର ଏକ ଅଂଶ ଭାବେ ନବନିର୍ମାଣ ଜନ୍ମ ନେଇଛି। ଚାଷୀଙ୍କ ବିକାଶର ନୂଆ ନକସା ତିଆରି କରିବ ନବନିର୍ମାଣ। ଚାଷୀଙ୍କ କଥା ଏବଂ ଚାଷୀଙ୍କ ବିକାଶର କଥା କହିବ ନବନିର୍ମାଣ। ଆଜି ଏହାର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନ୍ନା ହଜାରେ ଏହାକୁ ଉନ୍ମୋଚନ କରିଛନ୍ତି। ଉନ୍ମୋଚନ ହେବା ପରେ ଏହାକୁ ଚାଷୀମାନଙ୍କୁ ସଭାସ୍ଥଳରେ ବଣ୍ଟା ଯାଇଥିଲା।

ସମାବେଶରେ ଉଜୁଡ଼ା ଫସଲ ପ୍ରଦର୍ଶନ

ଜଗତ୍‌ସିଂହପୁରଠାରେ ଅୟୋଜିତ ଜୟକିଷାନ ମହାସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଚାଷୀ ଆସିଥିଲେ। ଏହି ସମାବେଶରେ ବହୁ ଚାଷୀ ଉଜୁଡ଼ା ଫସଲ ପ୍ରଦର୍ଶନ କରିଥିଲେ। ଏବଂ ସରକାର ଚାଷୀମାନଙ୍କ ଫସଲହାନୀ ପାଇଁ ସମୁଚିତ ଧ୍ୟାନ ଦେଉନଥିବାର ଅଭିଯୋଗ କରିଥିଲେ। ରାଜ୍ୟରେ ଚାଷୀ ଆତ୍ମହତ୍ୟାର ଏକ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର