କାନ୍ଥରେ ଗାତ କରି ମହିଳାଙ୍କୁ ଘରୁ କଢ଼ାଯାଇ ହସ୍ପିଟାଲ୍‌କୁ ନିଆଗଲା

ବିଶ୍ୱର ଏମିତି ଦଶ ଜଣ ମେଦ ବହୁଳ ବା ପୃଥୁଳ ଲୋକ ଅଛନ୍ତି, ଯେଉଁମାନଙ୍କୁ ଘର ବାହାରକୁ ହସ୍ପିଟାଲକୁ ନେଇ ସେମାନଙ୍କର ଜୀବନ ରକ୍ଷାର ବନ୍ଦୋବସ୍ତ କରାଯାଇଛି ଏବଂ ସେଥିପାଇଁ ଘର ଭାଙ୍ଗିବାକୁ ପଡିଛି । ଏମିତି ଜଣେ ୩୦ ବର୍ଷୀୟା ମହିଳା ହେଲେ ଇସାବେଲା ଆମାରାଲ୍‌ । ତାଙ୍କର ଓଜନ ୪୯୦ କିଲୋଗ୍ରାମ୍‌ । ସେ ଆଦୌ ଗତି କରି ପାରନ୍ତି ନାହିଁ ।

ଆର୍ଜେଣ୍ଟିନାର ବାସିନ୍ଦା ଇସାବେଲା ବେଶ କିଛି ମାସ ହେବ ଖଟରେ ବସି ରହିଛନ୍ତି । ତାଙ୍କର ଚିକିତ୍ସା ପାଇଁ ଇସାବେଲାଙ୍କୁ ଏକ ହସ୍ପିଟାଲ୍‌ କୁ ନିଆଯିବାର ଆବଶ୍ୟକତା ପଡ଼ିଲା । ତାଙ୍କୁ ରୁମ୍‌ରୁ ବାହାର କରିବା ପାଇଁ ବେଡରୁମ୍‌ର କାନ୍ଥରେ ଏକ ବଡ଼ ଗାତ ଖୋଳିବାକୁ ପଡ଼ିଥିଲା । ଇସାବେଲାଙ୍କର ଗ୍ୟାସ୍‌ଷ୍ଟ୍ରିକ୍‌ ବାଇପାସ୍‌ ସର୍ଜରି କରାଯିବାର ଆବଶ୍ୟକତା ଥିଲା । ଏହି ସର୍ଜରି କରାଯିବା ପୂର୍ବରୁ ଇସାବେଲାଙ୍କର ୨୦୦ କିଲୋଗ୍ରାମ୍‌ ଓଜନ ହ୍ରାସ କରାଯିବା ଦରକାର ।

photo–mirror

ଇସାବେଲାଙ୍କର ଭାଇ କାରମେନ୍‌ କହିଛନ୍ତି ଯେ ଭଉଣୀଙ୍କର ହସ୍ପିଟାଲକୁ ସ୍ଥାନାନ୍ତରଣରେ ସ୍ୱାସ୍ଥ୍ୟଗତ ବିପଦ ରହିଥିଲା । କିନ୍ତୁ ସେ ଭଲରେ ପହଞ୍ଚି ଯାଇଛନ୍ତି ହସ୍ପିଟାଲରେ । ଇସାବେଲା ପତଳା ହେବା ଲାଗି ମାସକ ହେବ ତରଳ ଖାଦ୍ୟ ଗ୍ରହଣ କରୁଛନ୍ତି । ହସ୍ପିଟାଲର ନିର୍ଦ୍ଦେଶକ ଆଡ୍ରିଆନ୍‌ ଚାପେଲେଟ୍‌ କହିଛନ୍ତି ଯେ ଇସାବେଲା ବର୍ତ୍ତମାନ ବିପଦର ବାହାରେ ଅଛନ୍ତି । ତାଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ତାଙ୍କ ଉପରେ ସତର୍କ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି । ପୂର୍ବରୁ ଆଉ ଥରେ ନିମୋନିଆରେ ପୀଡ଼ିତ ହେବା କାରଣରୁ ଇସାବେଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ସମ୍ବନ୍ଧିତ ଖବର